ସାତ ମାସ ପରେ ସତ ଅନୁଭବ କଲେ

ଭୁବନେଶ୍ବର : ବିଜେଡି ଛାଡିବାର 7 ମାସ ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡିଶାର ନାଡି ମାପିବାରେ ସକ୍ଷମ ହୋଇଛନ୍ତି । ସେ ଅନୁଭବ କରିବାକୁ ବାଧ୍ୟ ହୋଇଛନ୍ତି ଯେ, ଏବେ ବି ରାଜ୍ୟର ସହର ଠାରୁ ଗାଁ ଯାଏଁ ସବୁଠି ନବୀନ ପଟ୍ଟନାୟକଙ୍କ କ୍ରେଜ ରହିଛି । ତେବେ ଏକଥା ବି ସେ ସ୍ବୀକାର କରିଛନ୍ତି ଯେ, ତଳ ସ୍ତରରେ ସ୍ଥାନୀୟ ନେତୃତ୍ବ ପ୍ରତି କିଛିଟା ଅସନ୍ତୋଷ ରହିଥିଲେ ବି ବିଜେପି କି କଂଗ୍ରେସ ସେ ଅସନ୍ତୋଷର ଫାଇଦା ନେପାରିବେ ନାହିଁ ।

ତିନି ଦିନ ତଳେ ଦିଲ୍ଲୀରେ ନିଜର ଏକ ପୁସ୍ତକ ଉନ୍ମୋଚନ ଅବସରରେ କିଛି ଜାତୀୟ ଗଣମାଧ୍ୟମକୁ ସେ ଦେଇଥିବା ସାକ୍ଷାତକାର ଅନୁଯାୟୀ ତାଙ୍କ ପାଇଁ ବିଜେପିର ଦୁଆର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ସେ ବିଜେପି କି କଂଗ୍ରେସ କୌଣସି ଦଳରେ ଯୋଗ ଦେବେ ନାହିଁ । ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହେବ ଏବଂ ସେ ବିଜେଡିରୁ ଇସ୍ତଫା ଦେବା ପରେ ସାଧାରଣରେ ସେ ବିଜେପିରେ ଯୋଗଦେବେ ବୋଲି ହେଉଥିବା ଚର୍ଚ୍ଚାକୁ ସେ ଅସ୍ବୀକାର କରିଛନ୍ତି ।

ଏଥିସହିତ ସେ ଦାମୋଦର ରାଉତ, ବ୍ରଜ ତ୍ରିପାଠୀ, ଖାରବେଳ ସ୍ବାଇଁଙ୍କ ସହ ମିଶି ଆଉ ଏକ ନୂଆ ଦଳ ଗଠନ କରିବାର ସଙ୍କେତ ଦେଇଛନ୍ତି । ଏହି ତିନି ନେତା ପୂର୍ବରୁ ବୈଜୟନ୍ତଙ୍କ ସହ କଥାବାର୍ତ୍ତା ଚାଲିଥିବା କହିଥିବା ବେଳେ ବୈଜୟନ୍ତ ମଧ୍ୟ ଏହା ସ୍ବୀକାର କରିଛନ୍ତି । ଦଳ ଗଢ଼ିବା ପାଇଁ ଏବେବି ବହୁ ସମୟ ରହିଛି ଏବଂ ନିଷ୍ପତି ନେବାର ଚୂଡ଼ାନ୍ତ ପର୍ଯ୍ୟାୟରେ ସେ ପହଁଚି ସାରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ସେ ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 1 =