ଅକ୍ଷୟଙ୍କ ସହ ଅଣରାଜନୈତିକ ଆଲୋଚନା କାହିଁକି ?

କେନ୍ଦ୍ରାପଡା () ଦେଶରେ ଏବେ ରାଜନୈତିକ ପାଣିପାଗ ଗରମ । କାରଣ 2019 ସାଧାରଣ ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଅଣରାଜନୈତିକ ଆଲୋଚନା କାହିଁକି କଲେ । ଗତ କିଛି ମାସ ହେଲା ହ୍ରାସ ପାଉଥିବା ଲୋକପ୍ରିୟତାକୁ ପୁର୍ନଜୀବିତ କରିବା ଏବଂ ଭାବମୂର୍ତ୍ତୀ ସଜାଜିବାକୁ ପ୍ରୟାସ ନୁହେଁ ତ? ଏଭଳି ଏକ ପ୍ରଶ୍ନ ଉଠିବା ସ୍ବାଭାବିକ । ଜାତୀୟ ସ୍ତରରେ ହେଉଥିବା ଆଲୋଚନା ଏହାର ସଙ୍କେତ ମଧ୍ୟ ଦେଉଛି ।

2019 ସାଧାରଣ ନିର୍ବାଚନର ବହୁ ପୂର୍ବରୁ ମୋଦିଙ୍କ ଲୋକପ୍ରିୟତାର ପ୍ରଭାବ ହ୍ରାସ ହୋଇଛି । ଏକଥା ଦଳ ଓ ଦଳର କାର୍ପଟଦାର ମାନେ ମଧ୍ୟ ଅନୁଭବ କରିଛନ୍ତି । ଗତବର୍ଷ ଅନୁଷ୍ଠିତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଥିଲା । ତୃତୀୟ ପର୍ଯ୍ୟାୟ ଶେଷ 302ଟି ଲୋକସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ସରିଲାଣି । ଏହାର ଅର୍ଥ 543 ଆସନ ବିଶିଷ୍ଟ ଲୋକସଭାର ଅଧାରୁ ଅଧିକ ଆସନରେ ନିର୍ବାଚନ ସରିଲାଣି । ହେଲେ ମୋଦି ଦ୍ବିତୀୟ ଥର କ୍ଷମତାକୁ ଫେରିବା ନେଇ ନିଶ୍ଚିତ ହୋଇପାରୁନାହାଁନ୍ତି ।

ମୋଦିଙ୍କ ଘନ ଘନ ହ୍ରାଇ ଭୋଲଟେଜ ପ୍ରଚାର, ବଡ ବଡ ରାଲି ଓ ନିର୍ବାଚନୀ ସଭାରେ ଭୋଟରଙ୍କୁ ଭୋଟ ଅପିଲ ଲୋକଙ୍କୁ ବିଶେଷ ପ୍ରଭାବିତ କରୁନାହିଁ । ବିଭିନ୍ନ ସଂସ୍ଥା ପକ୍ଷରୁ ହେଉଥିବା ନିର୍ବାଚନୀ ଟ୍ରେଣ୍ଡ ସର୍ଭେ ମଧ୍ୟ ପୂର୍ବାନୁମାନ କରୁଛି ଯେ, ମହାରାଷ୍ଟ୍ର, ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବିଜେପି ଲୋକଙ୍କ ଆସ୍ଥା ଓ ବିଶ୍ବାସ ହରାଇସାରିଲାଣି । ଓଡିଶା, ଛତିଶଗଡ, ରାଜସ୍ଥାନ, କେରଳ ଓ ମଧ୍ୟପ୍ରଦେଶରେ ମଧ୍ୟ ଦଳର ପ୍ରଦର୍ଶନ ଅତି ଖରାପ ହେବାକୁ ଯାଉଛି ।

ଗତ 5 ବର୍ଷ ମୋଦି ସରକାରରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ଦୁରାବସ୍ଥା, କୃଷି ଓ କୃଷକକୁ ଅବହେଳା ଏବଂ ସର୍ବୋପରି ସରକାର ବିରୋଧୀ ହାୱାକୁ କାଟିବାକୁ ମୋଦିଙ୍କ ଗଳାଫଟା ଭାଷଣ କୌଣସି କାମ ଦେଉନି । ପୂର୍ବରୁ ତାଙ୍କର ଭାଷଣକୁ ତାଙ୍କର କରିସ୍ମା ବୋଲି ଗ୍ରହଣ କରାଯାଉଥିବା ବେଳେ ଏବେ ସେହି ଭାଷଣ ତାଙ୍କ ଔଦ୍ଧତ୍ୟ ଓ ଗର୍ବର ପ୍ରତିଫଳନ ବୋଲି କୁହାଯାଉଛି । ଏକଥା କେବଳ ରାଜନୈତିକ ସମୀକ୍ଷକମାନେ କହୁନାହାଁନ୍ତି, ବିଜେପି କ୍ୟାମ୍ପରେ ମଧ୍ୟ ଏନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି । ପରବର୍ତ୍ତି ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖଉଛି ବିଜେପିର ମଙ୍ଗୁଆଳ ନେତାଙ୍କ ଚିନ୍ତା ସେତିକି ବଢୁଛି ।

ଏମିତି ଏକ ସଙ୍ଗିନ ସ୍ଥିତିରେ ନିଜର ଲୋକ ସଂପର୍କ ବୃଦ୍ଧି ଏବଂ ଭୋଟ ହାତେଇ ଷ୍ଟ୍ରେଟେଜିରେ ଅକ୍ଷୟ କୁମାରଙ୍କ ସେହି ପ୍ରାୟୋଜିତ ସାକ୍ଷାତକାର କରାଯାଇଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏକ ସ୍କ୍ରିପ ଆଧାରରେ ହୋଇଥିବା ଏହି ସାକ୍ଷାତକାରରେ ମୋଦିଙ୍କୁ ସାଧାରଣ ଲୋକଙ୍କ ସହ ତୁଳନା କରିବାକୁ ଚେଷ୍ଟା କରାଯାଇଛି । ଗତ 5 ବର୍ଷରେ ଥରେ ହେଲେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିନଥିବା ପ୍ରଧାନମନ୍ତ୍ରୀ ଅଣରାଜନୈତିକ ବ୍ୟକ୍ତି ଭାବେ ଜଣେ ସିନେ ଷ୍ଟାରଙ୍କ ସହ ସାଧାରଣ ଜୀବନ ଶୈଳି ଉପରେ ଆଲୋଚନା ଯେତିକି ଅଯୌକ୍ତିକ ସେତିକି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭଳି ସ୍ପଷ୍ଟ ବାରି ହେଉଛି । କାରଣ ପୂର୍ବରୁ ସେ କିଛି ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ବି ତାଙ୍କ କାର୍ଯ୍ୟାଳୟ ଦ୍ବାରା ପ୍ରସ୍ତୁତ ପ୍ରଶ୍ନ ଆଧାରରେ ହୋଇଥାଏ । ଏକଥା ବୋଧହୁଏ କାହାକୁ ଅଛପା ନୁହେଁ ।

Share

Leave a Reply

Your email address will not be published. Required fields are marked *

five × five =