ନବଙ୍କ ବିଜେଡି ଏଣ୍ଟ୍ରି ପରେ … ମୁରବିଶୂନ୍ୟ କଂଗ୍ରେସ, ଛାନିଆରେ ବିଜେପି

ଭୁବନେଶ୍ବର () ପଶ୍ଚିମ ଓଡିଶାର ଟାଣୁଆ ନେତା ନବ ଦାସ ନିକଟରେ ବିଜେଡିରେ ଯୋଗ ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ଆଜି ବାଚସ୍ପତି ପ୍ରଦୀପ ଆମାତଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି । ସେ ଏକା ବିଜେଡିରେ ମିଶିନାହାଁନ୍ତି, ଦଳବଳ ସହ ଏକ ବିରାଟ ପଟୁଆରା ବି ଗତ 24 ତାରିଖରେ ବିଜେଡିରେ ସାମିଲ ହେଲେ । ଜିଲ୍ଲାର ସବୁ ବ୍ଲକ ସଭାପତିଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ବି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଖାଲି ସେତିକି ନୁହେଁ, ନବଙ୍କ ଜନ୍ମମାଟି ସମ୍ବଲପୁର ଜିଲ୍ଲାର ବି ତାଙ୍କର ସମସ୍ତ ସମର୍ଥକ ଦଳ ଛାଡି ଦେଇଛନ୍ତି ।

ଏଭଳିସ୍ଥିତିରେ ସାରା ରାଜ୍ୟରେ ଏକମାତ୍ର କଂଗ୍ରେସ ଗଡ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡା ଏବେ ସବୁଜମୟ ହୋଇଯାଇଛି । ନବଙ୍କ ବିଜେଡି ଏଣ୍ଟ୍ରି ପରୋକ୍ଷରେ ପଶ୍ଚିମ ଓଡିଶାର ରାଜନୀତିକୁ ପ୍ରଭାବିତ କରିବା ଏକପ୍ରକାର ଥୟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ନବଙ୍କ ଯୋଗଦାନ ପରେ ବିଜେପି ସାଂଘାତିକ ଛାନିଆ ହୋଇଯାଇଥିବା ବେଳେ କଂଗ୍ରେସ ସାରା ପଶ୍ଚିମ ଓିଡଶାରେ ଏକପ୍ରକାର ମୁରବୀଶୂନ୍ୟ ଅବସ୍ଥାକୁ ଚାଲି ଆସିଛି ।

ସାରା ରାଜ୍ୟରେ ବିଜେଡି ଅସମ୍ଭବ ସଫଳତା ହାସଲ କରି ଆସିଥିବା ବେଳେ ଝାରସୁଗୁଡା ଏଥିରୁ ବ୍ୟତିକ୍ରମ ଥିଲା । ସେହିପରି କଂଗ୍ରେସ ସାରା ରାଜ୍ୟରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟର ସ୍ବାଦ ଚାଖୁଥିବା ବେଳେ ଝାରୁସୁଗୁଡା ଜିଲ୍ଲାରେ ଅସମ୍ଭବ ସଫଳତା ହାସଲ କରିଆସୁଥିଲା । ସାଧାରଣ ନିର୍ବାଚନ ହେଉ କି ପଂଚାୟତ ନିର୍ବାଚନ ପ୍ରତି ଭୋଟରରେ ନବଙ୍କ ନେତୃତ୍ବରେ ଦଳ ବିଜୟର ବାନା ଉଡାଉଥିଲା । କେବଳ ଝାରସୁଗୁଡା ଜିଲ୍ଲା ନୁହେଁ, ବରଂ ପଶ୍ଚିମ ଓଡିଶା ରାଜନୀତିରେ ନବଙ୍କ ଦବଦବା କଥା ସମସ୍ତଙ୍କୁ ଜଣା । ସମ୍ବଲପୁର ଜିଲ୍ଲା ରାଜନୀତିରେ ବି ତାଙ୍କର ପ୍ରଭା ରହିଛି । ରେଙ୍ଗାଲି ନିର୍ବାଚନମଣ୍ଡଳୀ ସମତେ କୁଚୁଣ୍ଡା ଏବଂ ରେଢାଖୋଲରେ ଏବେ ବି ତାଙ୍କର ସଂଗଠନ ରହିଛି ।

ଏପରିକି ଗତ ପଂଚାୟତ ନିର୍ବାଚନରେ ନବଙ୍କ ନେତୃତ୍ବରେ କଂଗ୍ରେସ ଝାରସୁଗୁଡା ଜିଲ୍ଲା ପରିଷଦରୁ ଆରମ୍ଭ କରି ପଂଚାୟତ ସମିତି ପର୍ଯ୍ୟନ୍ତ ସବୁ ଆସନ ଦଖଲକୁ ନେଇଥିଲା । ହାଇକୋର୍ଟ ରହିତାଦେଶ ଯୋଗୁଁ ପରେ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପଂଚାୟତ ସମିତି ନିର୍ବାଚନରେ ସେ ମୁଣ୍ଡ ପୁରାଇବାରୁ କଂଗ୍ରେସ ସମିତି ଦଳକୁ ନେଇଥିଲା । ଏଭଳିସ୍ଥିତିରେ ଝାରସୁଗୁଡା ଜିଲ୍ଲାରେ ବିଜେଡି କ୍ଷମତାରୁ ଦୀର୍ଘ ବର୍ଷ ହେଲା ଦୂରରେ ଥିଲେ ହେଁ ସଂଗଠନ ମଜବୁତ ରହିଆସିଛି । ଉଭୟ ବ୍ରଜରାଜନଗର ଓ ଝାରସୁଗୁଡା ଆସନରେ ଦଳ ପ୍ରତିଥର ଦମଦାର ପ୍ରତିଦ୍ବନ୍ଦିତା କରି ଅଳ୍ପ ବ୍ୟବଧାନରେ ପରାସ୍ତ ହେଉଛି । ଆଉ ଏବେ ନବଙ୍କ ଏଣ୍ଟ୍ରି ପରେ କିଶୋର ଏବଂ ଏନଙ୍କ ମଧ୍ୟରେ ଦୀର୍ଘ ଦଶନ୍ଧିର ରାଜନୈତିକ ତିକ୍ତତା ଦୂର ହୋଇଛି  । ଆଉ ପରସ୍ପର ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁଁ ହିଁ ମୋଦିଙ୍କ ଝାରସୁଗୁଡା ସମାବେଶକୁ ବଳି ଯାଇଥିଲା ନବୀନଙ୍କ ସମାବେଶ । ନବଙ୍କ ପରେ ଏବେ ସୁନ୍ଦରଗଡରୁ ଯୋଗେ ସିଂହ ଦଳ ଛାଡି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ ଏବେ କଂଗ୍ରେସ ସାରା ପଶ୍ଚିମ ଓଡିଶାରେ ମୁରବିଶୂନ୍ୟ ହୋଇପଡିଛି ।

ଏହା ହିଁ ପଶ୍ଚିମ ଓଡିଶାରେ ବିଜେଡିକୁ ଅସମ୍ଭବ ବଳ ଦେବ ବୋଲି କୁହାଯାଉଛି । ନବଙ୍କ ରାଜନୈତିକ ପଟ୍ଟ ପରିବର୍ତ୍ତନ କେବଳ କଂଗ୍ରେସକୁ ମୁରବିଶୂନ୍ୟ କରିନି ବରଂ ବିଜେପିକୁ ଆତଙ୍କିତ କରିଦେଇଛି । ଏବେ ବିଜେପି ହାତରୁ ବ୍ରଜରାଜନଗର ଆସନଟି ଖସିଯିବାର ଭୟ ସୃଷ୍ଟି ହୋଇଛି । ସମ୍ବଲପୁର ଜିଲ୍ଲାରେ ମଧ୍ୟ ନବଙ୍କ ପ୍ରଭାବ ରହୁଥିବାରୁ, ବିଜେପିର ଗଡ କୁହାଯାଉଥିବା ସମ୍ବଲପୁର ବିଜେଡି ହାତକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ସେହିଭଳି କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ମଧ୍ୟ ନବଙ୍କ ଏକ ଶକ୍ତିଶାଳୀ ସଂଗଠନ ଥିବାରୁ ବିଜେପି ବିଧାୟକ ରବି ନାୟକଙ୍କୁ ତାଙ୍କ ଆସନ ବଳବତ୍ତର ରଖିବ କଷ୍ଟକର ହୋଇପଡିବ  ।

Share

Leave a Reply

Your email address will not be published. Required fields are marked *

fourteen − 1 =