ଯୋଗ୍ୟ ବାପାଙ୍କ ସୁଯୋଗ୍ୟ ସନ୍ତାନ : ଲୋକଙ୍କ ସ୍ୱାର୍ଥ ଆଗରେ ସମ୍ପତ୍ତି ଓ ସ୍ମତି ତୁଚ୍ଛ

ଭୁବନେଶ୍ୱର () ଲୋକପ୍ରିୟତା କିମ୍ବା ରାଜନୈତିକ ସଫଳତାରେ ବୋଧହୁଏ ଚଳିତ ଦଶନ୍ଧୀର କୌଣସି ରାଜନେତା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରି ନୁହଁନ୍ତି । କ୍ରମାଗତ ଭାବେ ୨୦୦୦ ମସିହାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଆସିଲେଣି । ପ୍ରତି ନିର୍ବାଚନରେ ତାଙ୍କ ପ୍ରତି ଜନସମର୍ଥନ ବଢୁଛି । ହେଲେ କ୍ଷମତା ଓ ଐଶ୍ୱର୍ଯ୍ୟର ମୋହମାୟା ଏହି ସଫଳ ଜନନେତାଙ୍କ ଅଭିମୁଖ୍ୟ ଓ ରାଜ୍ୟର ବିକାଶ ପ୍ରତି ଥିବା ତାଙ୍କ ପ୍ରତିବଦ୍ଧତାକୁ କୌଣସି ଭାବେ ପ୍ରଭାବିତ କରିପାରିନି । ତାଙ୍କ ପାଇଁ ରାଜନୀତି ଜନସେବାର ଏକ ମାଧ୍ୟମ । ସାଧାରଣ ଲୋକଙ୍କ ସେବା ପାଇଁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ, ରାଜ୍ୟ ଓ ଜାତୀୟ ସ୍ତରର ନେତାଙ୍କ ପାଇଁ ଅନୁକରଣୀୟ । ପ୍ରଥମେ କଟକରେ ଥିବା ତାଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଲେ । ଆଉ ଆଜି ତାଙ୍କ ବାପା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧି ପିଠକୁ ରାଜ୍ୟବାସୀଙ୍କ ସେବା ପାଇଁ ଟେକି ଦେଇଛନ୍ତି ।

ପ୍ରକୃତ ଅର୍ଥରେ ଦେଖିବାକୁ ଗଲେ ଓଡିଶାର ବିକାଶ ପାଇଁ ଭାରତର ‘ଟଲ ମ୍ୟାନ’ଅର୍ଥାତ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ, ଆଜି ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ତାଙ୍କ ପଦାଙ୍କ ଅନୁସରଣ କରି ତାକୁ ସାକାର କରିବାକୁ ଯାଉଛନ୍ତି । ଏକଦା ବିଜୁ ବାବୁ ରାଜ୍ୟର ବିକାଶ ପାଇଁ ନିଜର ସବୁ କିଛି ତ୍ୟାଗ କରିଦେଇଥିଲେ । ନବୀନ ମଧ୍ୟ ରାଜ୍ୟର ବିକାଶ ପାଇଁ ପ୍ରଥମେ ନିଜ ପୈତୃକ ସମ୍ପତ୍ତି ଆଉ ଏବେ ନିଜ ବାପାଙ୍କ ସମାଧିକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ଟେକି ଦେଇଛନ୍ତି ।

ସ୍ୱର୍ଗଦ୍ୱାରର ବିକାଶ ପାଇଁ ହୋଇଥିବା ସମୀକ୍ଷା ବୈଠକ ପରେ ଏଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ବିଜୁ ବାବୁ କୋଟି କୋଟି ଓଢ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା, ସେସବୁ ଏବେ ଓଢ଼ିଶାବାସୀଙ୍କ ସେବାରେ ଲାଗିବ । ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି ଭାବରେ ବର୍ଣ୍ଣନା କରି ଏହାର ବିକାଶରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଫନିରେ ବିଧ୍ୱସ୍ତ ପୁରୀକୁ ଦେଖି ଆଚମ୍ଭିତ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ କ୍ଷେତ୍ରକୁ ବିଶ୍ୱ ଐତିହ୍ୟ କ୍ଷେତ୍ର ଭାବେ ଗଢି ତୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଶ୍ରୀମନ୍ଦିରର ୭୫୦ ମିଟର ପରିସୀମା ମଧ୍ୟରେ ଥିବା ସବୁ ପ୍ରକାର ନିର୍ମାଣକୁ ଉଚ୍ଛେଦ କରାଯାଉଛି । ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତଙ୍କୁ ଭକ୍ତି ଓ ସମର୍ପିତ ଭାବର ଏକ ପରିବେଶର ଅନୁଭୁତି ଦେବାକୁ ବିଶାଳ ଯୋଜନା ହୋଇଛି । ଏହି କ୍ରମରେ ସ୍ୱର୍ଗଦ୍ୱାରର ବିକାଶ ବି ହେବ । କିନ୍ତୁ ଏହି ରୂପାନ୍ତରଣ ପ୍ରକ୍ରିୟାରେ ବିଜୁ ବାବୁଙ୍କ ସମାଧି ବାଧକ ସାଜିବନି । ବିଜୁ ବାବୁ ଓଡିଆଙ୍କ ହୃଦୟରେ ଅଛନ୍ତି । ତାଙ୍କୁ ଏକ ୧୬୦୦ ଫୁଟର ଏକ ସମାଧି ମଧ୍ୟରେ ବାନ୍ଧି ରଖାଯାଇପାରିନି ।

ଫନି ପରେ ସ୍ୱର୍ଗଦ୍ୱାରର ବହୁତ କ୍ଷତି ହୋଇଥିଲା । ତେଣୁ ଏହାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର କାମ ହାତକୁ ନେଇଛନ୍ତି । ଶବଦାହଠାରୁ ଆରମ୍ଭ କରି ଶବ ବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ଏଠାରେ ବ୍ୟବସ୍ଥା କରାଯିବ । ଶବବାହକ ମାନଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷଠାରୁ ଆରମ୍ଭ କରି ବ୍ୟାପକ ବୃକ୍ଷରୋପଣ କରାଯିବ । ଅସ୍ଥି ସଂଗ୍ରହ ଏବଂ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସମାଧିକୁ ହଟେଇ ଦିଆଯାଇ କେବଳ ଏକ ଫଳକ ରଖାଯିବ । ଏହି କାମ ଆରମ୍ଭରୁ ୬ ମାସ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାରର ପ୍ଲଟ ନମ୍ବର ୧୪୫୨ ଓ ୧୪୫୫ ମଧ୍ୟରେ ବିଜୁ ବାବୁଙ୍କର ସମାଧି କରାଯାଇଥିଲା । ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଫୋଏନିକ୍ସ ଫାଉଣ୍ଡେସନ ସହଯୋଗରେ ସ୍ୱର୍ଗଦ୍ୱାରର ବିକାଶ କରାଯିବ ।

Share

Leave a Reply

Your email address will not be published. Required fields are marked *

8 + eight =