ବିଜେଡିରେ ମିଶିଲେ ଆମ୍‍ ଆଦମୀ ପାର୍ଟି ନେତା ଓ କର୍ମୀ

ଭୁବନେଶ୍ବର () : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଆମ୍‍ ଆଦମୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ବାଜ ମିଶ୍ର, ରାଜ୍ୟ ଯୁବ ସଭାପତି ସୁବ୍ରତ ଛାଟୋଇ, ରାଜ୍ୟ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି, ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସଙ୍କ ସହ ଆପ୍‍ର ୨୦୦ରୁ ଊର୍ଦ୍ଧ୍ବ କର୍ମୀ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଯୋଗଦାନ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଦଳ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗ ଦେଇଥିବା ଆପ୍‍ର ସମସ୍ତ ନେତା ଓ କର୍ମୀଙ୍କୁ ଦଳର ସଭାପତି ସ୍ବାଗତ କରିବା ସହ କହିଥିଲେ ଯେ ଆଜି ଆମ୍‍ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ । ବିଜୁ ଜନତା ଦଳ କିପରି ଆହୁରି ଶକ୍ତିଶାଳୀ ହେବା ସହ ଜନସାଧାରଣଙ୍କୁ ସୁଶାସନ ଯୋଗାଇ ପାରିବ, ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନୂତନ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ।

ଏହି ଅବସରରେ ଭରଦ୍ବାଜ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ଆଜି ବହୁତ ଆଗକୁ ଯାଇପାରିଛି । ଭୁବନେଶ୍ବର ଆଜି ୧ନମ୍ବର ସ୍ମାର୍ଟସିଟି ହୋଇଥିବା ବେଳେ ସ୍ପୋର୍ଟ୍ସ କ୍ୟାପିଟାଲରେ ପରିଣତ ହୋଇଛି । ଏପରିକି ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଯଥେଷ୍ଟ ଆଗରେ ରହିଛି । ୨୦୧୯ରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯେଭଳି ପୁଣିଥରେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ, ସେଥିନିମନ୍ତେ ବିଜେଡିକୁ ଆମ୍‍ ଆଦମୀ ପାର୍ଟିର ପ୍ରାୟ ୭୦ ହଜାର କର୍ମୀ ତୃଣମୂଳ ସ୍ତରରେ ସାହାଯ୍ୟ କରିବେ । ଏଥିସହିତ ଦଳ ଯେଉଁ ଦାୟିତ୍ବ ନ୍ୟସ୍ତ କରିବ, ସେ ଦାୟିତ୍ବ ତୁଲାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

nine + eighteen =