ମିଛ ସରକାର ବନାମ ଦୂରଦୃଷ୍ଟି ସମ୍ପନ୍ନ ସରକାର

ଭୁବନେଶ୍ବର () କେନ୍ଦ୍ରର ବିଜେପି ସରକାର ମିଛ ପ୍ରତିଶୃତିର ସରକାର ପାଲଟିଛି । ଗତ ସାଢେ ଚାରି ବର୍ଷ ମଧ୍ୟରେ ସରକାର ଦେଇଥିବା କୌଣସି ଗୋଟିଏ ହେଲେ ପ୍ରତିଶୃତି ପାଳନ କରିନାହାଁନ୍ତି । ବରଂ ଏଇ ସାଢେ ଚାରି ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ଏକ ନିଯୁକ୍ତି ବିହୀନ ଅଭିବୃଦ୍ଧି ହୋଇଛି । ଅନ୍ୟ ପ୍ରତିଦ୍ବନ୍ଦ୍ବୀ ବିକାଶଶୀଳ ରାଷ୍ଟ୍ର ତୁଳନାରେ ଭାରତ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଛି ସତ, ହେଲେ ଏହି ଅଭିବୃଦ୍ଧିର ସ୍ବାଦ ସମାଜର ସବୁ ସ୍ତର ପାଖରେ ପହଁଚିପାରୁନି । ଦେଶ ତମାମ ଯୁବପିଢି ଆଜି ବେକାରୀ ଜାଲରେ ଫସିଛନ୍ତି । ସରକାର କିନ୍ତୁ ଉଚ୍ଚ ଅର୍ଥନୀତିକୁ ଜାବୁଡି ଧରି ବାହାବା ନେବାରେ ଲାଗିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ ଏଭଳି ଅଭିଯୋଗ କରିବା ସହ କେନ୍ଦ୍ର ସରକାରଙ୍କ ବିଫଳତା ଓ ରାଜ୍ୟ ସରକାରଙ୍କ ସଫଳତାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ନିକଟରେ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ସାମୟିକ ଶ୍ରମଶକ୍ତି ସର୍ବେକ୍ଷଣ ରିପୋର୍ଟରେ ଦେଶର ବେକାରୀ ହାର 6.1 ପ୍ରତିଶତ ବୋଲି ଦର୍ଶାଯାଇଥିଲା । 45 ବର୍ଷରେ ଏହା ସର୍ବାଧିକ ଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଥିଲା । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ ବି ତାଙ୍କ ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ସେହିଭଳି କେନ୍ଦ୍ର ସରକାରଙ୍କ ଏକଚାଟାଆ ମନୋବୃତ୍ତି ଓ ଅପାରଗତା ଯୋଗୁଁ ଦେଶ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି । ସ୍ବଳ୍ପ ବ୍ୟବଧାନରେ ନୋଟବନ୍ଦୀ ଓ ଜିଏସଟି ଲାଗୁ କରି ଦେଶର ଅର୍ଥନୀତିକୁ ନିଯୁକ୍ତି ବିହୀନ କରିଦେଇଛନ୍ତି । ନୋଟବନ୍ଦୀ ଯୋଗୁଁ ପ୍ରାୟ 15 ଲକ୍ଷ ଲୋକ ବେକାର ହୋଇଛନ୍ତି । ସେହିଭଳି ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଶିଳ୍ପ ଅଭିବୃଦ୍ଧି 17 ମାସର ସର୍ବନିମ୍ନ ତଳକୁ ଖସିଆସିଛି । ଗତ ନଭେମ୍ବରରେ ଏହା 0.5 ପ୍ରତିଶତକୁ ହ୍ରାସ ପାଇଛି । ଶିଳ୍ପ କ୍ଷେତ୍ରରେ ଏଭଳି ନିମ୍ନମାନର ଅଭିବୃଦ୍ଧି ଯୋଗୁଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହ୍ରାସ ପାଇଛି ବୋଲି ସେ କହିଥିଲେ ।

ବିଜେପି ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ଭୁଲିଯାଇଥିବା ବେଳେ ରାଜ୍ୟରେ ବିଜେଡି ନେତୃତ୍ବାଧୀନ ସରକାର ଯାହାସବୁ ପ୍ରତିଶୃତି ଦେଇଥିଲେ ତାହାକୁ ପାଳନ କରିଛନ୍ତି । ଏହାର ସ୍ବାଦ ରାଜ୍ୟର ସବୁ ବର୍ଗର ଲୋକେ ପାଇଛନ୍ତି । ଗତ 16 ବର୍ଷ ଧରି ରାଜ୍ୟ ସରକାର ଶିଳ୍ପର ଅଭିବୃଦ୍ଧିକୁ ପ୍ରଧାନ୍ୟ ଦେଇଛନ୍ତି । ଗତ 16 ବର୍ଷରେ 403ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । 2016 ମେକ ଇନ ଓଡିଶା କନକ୍ଲେଭରେ 84ଟି କମ୍ପାନୀ ପୁଂଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାଦ୍ବାରା 35ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଦକ୍ଷତା ବିକାଶରେ ମଧ୍ୟ ଓଡିଆ ଆଗୁଆ ରହିଛି । ଏଥିରେ 9 ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ମିଳିଛି । ସେ ମଧ୍ୟରୁ 96ହଜାର ଯୁବକ ଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ଚାକିରି ମିଳିଛି ବୋଲି ସେ କହିଛନ୍ତି ।

ସେହିଭଳି ବେକାରୀ ହାର ଦୃଷ୍ଟିରୁ ଓଡିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି । 2016ରେ ରାଜ୍ୟରେ ବେକାରୀ ହାର ଗ୍ରାମାଞ୍ଚଳରେ 5.1 ପ୍ରତିଶତ ଥିଲା ବେଳେ ସହରାଞ୍ଚଳରେ 4.7 ପ୍ରତିଶତ ଥିଲା । ସେହି ଅନୁପାତରେ ଆସାମରେ 5.5 ଓ 10.1 ପ୍ରତିଶତ, ବିହାରରେ 5.9 ଓ 7.4 ପ୍ରତିଶତ, ପଂଜାବରେ 5.9 ଓ 6.2 ପ୍ରତିଶତ ଓ ଉତ୍ତର ପ୍ରଦେଶରେ 7.6 ଓ 6.7 ପ୍ରତିଶତ ଥିଲା । ଏଥିସହିତ ଉଭୟ ଗ୍ରାମୀଓ ଓ ସହରାଞ୍ଚଳରେ ଶ୍ରମଶକ୍ତି ଯୋଗଦାନ ଏବଂ ନିୟମିତ ମଜୁରି ବା ବେତନଭୋଗୀ ନିଯୁକ୍ତିକୁ ଦେଖିଲେ ଓଡିଶାର ସ୍ଥିତି ବେଶ ଭଲ ରହିଥିବା ସେ କହିଛନ୍ତି । କେନ୍ଦ୍ରର ରାଜ୍ୟ ପ୍ରତି ନକରାତ୍ମକ କାର୍ଯ୍ୟ ସତ୍ତ୍ବେ ଓଡିଶାକୁ ଶ୍ରେଷ୍ଠ ଆସ୍ପାୟାରିଂ ଲିଟରର ମାନ୍ୟତା ମିଳିଛି । ଆଉ ଏହା ସମ୍ଭବ ହୋଇଛି ଏକ ଦୂରଦୃଷ୍ଟି ସମ୍ପନ୍ନ ସରକାରର ବଳିଷ୍ଠ ନେତୃତ୍ବ ଯୋଗୁଁ ।

Share

Leave a Reply

Your email address will not be published. Required fields are marked *

16 − 10 =