ନିର୍ବାଚନ କମିଶନଙ୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ 66 ପୂର୍ବତନ ପ୍ରଶାସକ

ଭୁବନେଶ୍ବର () ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଅଳ୍ପ କିଛି ଘଣ୍ଟା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନଙ୍କ ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ । କମିଶନଙ୍କ କାର୍ଯ୍ୟଶୈଳୀ, ସ୍ବଚ୍ଛତା ଏବଂ ବିଶ୍ବାସନିୟତା ଉପରେ ସନ୍ଦେହ ପ୍ରକାଶ କରି 66 ଜଣ ପୂର୍ବତନ ପ୍ରଶାସକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଫେରାଦ ହୋଇଛନ୍ତି । ବିଶେଷ କରି ବିଜେପି ନେତା ଓ ପ୍ରାର୍ଥୀଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ଆସୁଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି ।

ଭାରତ ସଫଳତାର ସହ ସାଟେଲେଇ ବିଧ୍ବଂସୀ ଅସ୍ତ୍ରର ସଫଳ ପରୀକ୍ଷଣରେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ମୋଦିଙ୍କ ୱେବ ସିରିଜର ଲୋକାର୍ପଣ ଏବଂ ନମୋ ଟିଭି ଚ୍ୟାନେଲର ଶୁଭାରମ୍ଭ କ୍ଷେତ୍ରରେ କମିଶନଙ୍କ ଆଳସ୍ୟକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି । ସେହିଭଳି ଭାରତୀୟ ସେନାକୁ ମୋଦି ସେନା ବୋଲି କହିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା କଥା  । କିନ୍ତୁ କମିଶନ କେବଳ ଏକ ଭର୍ସନାରେ କାର୍ଯ୍ୟାନୁଷ୍ଠାନକୁ ସୀମିତ କରିଦେଲେ ।

ସ୍ବଚ୍ଛ ଏବଂ ନିରପେକ୍ଷ ତଦନ୍ତ କରିବାର ଟ୍ରାକ ରେକର୍ଡ ରଖିଥିବା ନିର୍ବାଚନ କମିଶନ ଏବଂ ବିଶ୍ବାସନୀୟତା ସଂକଟରେ ପଡିଛନ୍ତି । କମିଶନଙ୍କ ନିରପେକ୍ଷତା, ସ୍ବଚ୍ଛତା, ସ୍ବାଧୀନତା ଓ ଦକ୍ଷତା ଏବେ ବାଜିରେ ଲାଗିଛି । ଏହାଦ୍ବାରା ଏବେ ଗଣତନ୍ତ୍ରର ମୂଳଦୁଆ ବୋଲି କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟା ବିପଦଗ୍ରସ୍ତ ହୋଇଛି ।

ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହୋଇଥିବା ପୂର୍ବତନ ପ୍ରଶାସକଙ୍କ ମଧ୍ରେ ଅଛନ୍ତି ରାଜସ୍ଥାନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସଲାହୁଦିନ ଅହମଦ, ପଂଜାବର ପୂର୍ବତନ ମହାନିର୍ଦ୍ଦେଶକ ଜୁଲିଓ ରିବେରିଓ, ପ୍ରସାର ଭାରତିର ପୂର୍ବତନ ସିଇଓ ନଜିବ ଜଙ୍ଗ, ଦିଲ୍ଲୀର ପୂର୍ବତନ ଲେଫ୍ଟେନାଣ୍ଟ ଜେନେରାଲ ମୀରାନ ବୋରୱାନକର ଏବଂ ପୁଣେର ପୂର୍ବତନ ପୋଲିସ କମିଶନର ।

ସେମାନେ ଆନ୍ଧ୍ରପ୍ରଦେଶର ତିନି ଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ଏବଂ ପଶ୍ଚିମବଙ୍ଗର ଚାରି ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ନେଇ ନିର୍ବାଚନ କମିଶନ ଦେଇଥିବା ନିର୍ଦ୍ଦେଶର ଉଦାହାରଣ ଦେଇ ସେମାନେ ତାମିଲାନାଡୁ ପୋଲିସ ଡିଜିଙ୍କ କ୍ଷେତ୍ରରେ କାହିଁକି ସମାନ ନିୟମ ଲାଗୁ ହେଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ତାମିଲନାଡୁ ପୋଲିସ ଡିଜି ମଧ୍ୟ ଗୁଟକା ସ୍କାମରେ ସିବିଆଇ ଦ୍ବାରା ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − three =