2018 ଗଣିତ : ରାଜନୀତି କକଟେଲରେ ବିଜେଡି ଫ୍ଲେବର ଲୋକପ୍ରିୟ

କଂଗ୍ରେସର ଶତ୍ରୁ ପାଲଟିଛି କଂଗ୍ରେସ

ଗୋଳିଆ ସ୍ଥିତିରେ ବିଜେପି

ଭୁବନେଶ୍ବର () ବିଭିନ୍ନ ରାଜନୈତିକ ଘଟଣାକ୍ରମ ମଧ୍ୟରେ ଚର୍ଚ୍ଚିତ 2018କୁ ବାଏ ବାଏ କହି 2019କୁ ନୂଆ ଉତ୍ସାହ ଓ ଉନ୍ନାଦନାର ସହ ସ୍ବାଗତ କରିବାକୁ ଅଣ୍ଟାଭିଡିଛନ୍ତି ତିନି ପ୍ରମୁଖ ଦଳର ନେତା ଓ କର୍ମୀ । ଗତ ବର୍ଷର ତିକ୍ତ ଅନୁଭୁତି ସହ ନୂଆ ବର୍ଷର ସଙ୍କଳ୍ପ ଏକ ଫେଣ୍ଟାଫେଣ୍ଟି ରାଜନୈତିକ ଦୃଶ୍ୟପଟ । ପଂଚାୟତ ନିର୍ବାଚନର ତିକ୍ତ ଅନୁଭୁତିକୁ ନେଇ 2018 ବର୍ଷରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଗଣିତ କଷିଥିଲେ ତାହା ଅନେକାଂଶରେ କାମ ଦେଇଛି । ମିଶନ 120 ପ୍ଲସର ଲକ୍ଷ୍ୟ ନେଇଥିବା ବିଜେପି ଧିରେ ଧିରେ ତୃଣମୂଳ ସ୍ତରରେ ପ୍ରଭାବ ହରାଉଛି । ଆଉ କଂଗ୍ରେସର ଶତ୍ରୁ ପାଟଲଟିଛି କଂଗ୍ରେସ ।

2017 ପଂଚାୟତ ନିର୍ବାଚନ ବିଜେଡି ପାଇଁ ଥିଲା ଟର୍ଣ୍ଣିଂ ପଏଣ୍ଟ । ପଂଚାୟତ ନିର୍ବାଚନରେ ବିଜେଡି ଯଦିଓ ସଂଖ୍ୟାଧିକ ଆସନ ଦଖଲ କରିଥିଲା, 2012 ତୁଳନାରେ କିନ୍ତୁ ପ୍ରଦର୍ଶନ ଥିଲା ନୈରାଶ୍ୟଜନକ । କଂଗ୍ରେସ ଦୁଇ ନମ୍ବରରୁ ତିନି ନମ୍ବର ସ୍ଥାନକୁ ଖସିଆସିଲା । ଆଉ ପଂଚାୟତ ନିର୍ବାଚନରେ ବିଜେପି ଯେଉଁ ସଫଳତା ପାଇଲା ତାକୁ ନେଇ ମିଶନ 120 ପ୍ଲସର ଗଣିତ ମୁଣ୍ଡ ଟେକିଲା ।

ହେଲେ ପଂଚାୟତ ନିର୍ବାଚନର ସଫଳତା ପରେ ବିଜେପୁରରୁ ବିଜତଳା ଯାଏଁ ଅନୁଷ୍ଠିତ ସବୁ ଜିଲ୍ଲାପରିଷଦ, ପଂଚାୟତ ସମିତି, ସରପଂଚ ଓ ପୌର ପରିଷଦ ଉପନିର୍ବାଚନରେ ବିଜେପି ଧୁଳିଚାଟିଲା । ବିଜେପୁର ଆସନରେ ବିଜେଡି ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାର୍ଥୀ ପାଉନଥିବା ବେଳେ କଂଗ୍ରେସ ନିଜ ଗଡ ରକ୍ଷା କରିପାରିଲା ନାହିଁ, ଅମାନତ ହରାଇଲା ।  ସେହିଭଳି ବିଜେପିର ହାଇପ୍ରୋଫାଇଲ କ୍ୟାମ୍ପେନ ବି ବିଜେଡିର ବିଜୟ ଯାତ୍ରାକୁ ଚେକ୍ ଦେଇପାରିଲା ନାହିଁ । ପଂଚାୟତ ନିର୍ବାଚନରେ ଦଳର ପରାଜୟ ପରେ ବିଭିନ୍ନ ସ୍ତରରେ ଥିବା ଦୁର୍ବଳତାର ଭରଣା ପାଇଁ ମୁଖ୍ୟମନ୍ତ୍ରୀ ବର୍ଷକ ମଧ୍ୟରେ 20ରୁ ଅଧିକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ଗାଁ ଆମ ବିକାଶ, ବିଜୁ ଯୁବ ବାହିନୀ, କାଳିଆ, ଗୋପବନ୍ଧୁ ସ୍ବାମାଦିକ ସ୍ବାସ୍ଥ୍ୟ ବୀମା ଯୋଜନା, ମହିଳା ଚାଷୀଙ୍କ ପାଇଁ ମାଗଣା ସ୍ମାର୍ଟ ଫୋନ, ଜାଗା ମିଶନ, ସଙ୍କଳ୍ପ, ମୁଖ୍ୟମନ୍ତ୍ରୀ ଅଭିନକ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା, ମୁଖ୍ୟମନ୍ତ୍ରୀ କୃଷକ ଉଦ୍ୟୋଗ ଯୋଜନା, ଓଡିଶା ସର୍ବକ୍ଷମା ଯୋଜନା, ଖୁସୀ ଯୋଜନା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ଆଦିବାସୀ ଉପଦେଷ୍ଟା ପରିଷଦ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ସବୁଜ ମହାନଦୀ ମିଶନ, ପିଠା ମିଶନ, ଚାଷୀ ତାଲିମ କାର୍ଯ୍ୟକ୍ରମ, ଓଡିଶା ବିଶ୍ବବିଦ୍ୟାଳୟ, ମହିଳା ସଂରକ୍ଷଣ ବିଲ ଏମିତି ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

ଏମିତି ସବୁ ଯୋଜନାର ସଫଳତା ମଧ୍ୟରେ ବିଜେପିର ଓଡିଶାରେ ସରକାର ଗଠନର ସ୍ବପ୍ନ ଧିରେ ଧିରେ ଧୂଳିସାତ ହେଲାଭଳି ସ୍ଥିତିକୁ ଚାଲିଆସିଲା । ଯଦିଓ ବିଜେପିକୁ ଅଧିକ କ୍ରିୟାଶିଳ ଓ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏଇ ବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏକାଧିକ ଥର ଓଡିଶାର ଗସ୍ତ କରିଛନ୍ତି, ବିଜେଡିର ଲୋକପ୍ରିୟତା ଓ ନବୀନଙ୍କ ଭାବମୂର୍ତ୍ତିକୁ ତାହା ପ୍ରଭାବିତ କରିପାରିନି । ବରଂ ବର୍ଷ ଗଡିବା ସହ ମିଶନ 120ରୁ ଗୋଟିଏ ପରେ ଗୋଟିଏ ଅଙ୍କ ଛିଡି ଚାଲିଲା । ରାଜ୍ୟ ବିଜେପିର ଚେହେରା ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ମଙ୍ଗ ଧରି ଆଗେଇ ଚାଲିଥିବା ବେଳେ ଏବେ ତାଙ୍କୁ ଚେକ ଦେବାକୁ ପାଦ ଥାପିଛନ୍ତି ଅପରାଜିତ ଷଢଙ୍ଗୀ । ସେ ମଧ୍ୟ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜକୁ ଚିତ୍ରିତ କରୁଥିବାରୁ ଦଳ ମଧ୍ୟରେ ଏକ ପ୍ରକାର ନେତୃତ୍ବ ପ୍ରତିଯୋଗିତା ଆରମ୍ଭ ହୋଇଛି ।

ସେପଟେ ଏହି ବର୍ଷକ ମଧ୍ୟରେ ନବୀନ ଜାତୀୟ ରାଜନୀତିରେ ନିଜର ନୁଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଆଦର୍ଶ ମୁଖ୍ୟମନ୍ତ୍ରୀର ମାନ୍ୟତା ସହ ମହିଳାଙ୍କ ପାଇଁ ସଂସଦ ଓ ଲୋକସଭାରେ 33 ପ୍ରତିଶତ ଆସନ ସଂରକ୍ଷଣ ଏବଂ ଆଞ୍ଚଳିକ ଦଳଗୁଡକିର ଏକତ୍ରିକରଣ ଦିଗରେ ନବୀନ ଜାତୀୟ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେନ୍ଦ୍ର ବିରୋଧରେ ରାଜ୍ୟ ସ୍ବାର୍ଥ ପାଇଁ ଯୁଦ୍ଧଂ ଦେହୀ ଡାକରା ଦେବା ସହ ଓଡିଶା ପାଇଁ ଆର୍ଥିକ ସ୍ବାତନ୍ତ୍ରତା ଦାବି କରିଛନ୍ତି । ବିଜେପି ଓ କଂଗ୍ରେସ ନୂଆ ବର୍ଷର ସମରସଜ୍ଜା ତିଆରି କରିନଥିବା ବେଳେ ନବୀନ ନୂଆ ବର୍ଷ ଆରମ୍ଭରୁ କେନ୍ଦ୍ର ବିରୋଧରେ ଦିଲ୍ଲୀ ଦରବାରରେ ପ୍ରତିବାଦାର ବାନା ଉଡାଇବାକୁ ବିରାଟ ଯୋଜନା ଚୂଡାନ୍ତ କରିସାରିଲେଣି ।

କଂଗ୍ରେସ ଦୀର୍ଘ ପ୍ରାୟ ଦେଢ ଦଶନ୍ଧି ଧରି କ୍ଷମତାରୁ ଦୂରେଇ ରହି ନୂଆ ନେତୃତ୍ବରେ ନୂଆ ଆଶା ନେଇ 2019ର ସାଧାରଣ ନିର୍ବାଚନକୁ ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ଦଳ ମଧ୍ୟରେ ରହିଥିବା ଆଭ୍ୟନ୍ତରିଣ କନ୍ଦଳ କଂଗ୍ରେସ ପାଇଁ ଶତ୍ରୁ ପାଲଟିଛି । ମୋଟା ମୋଟି ଭାବେ କହିବାକୁ ଗଲେ କଂଗ୍ରେସର ଶତ୍ରୁ ପାଲଟିଛି କଂଗ୍ରେସ । ପ୍ରସାଦ ହରିଚନ୍ଦନ ହୁଅନ୍ତୁ ବା ନିରଂଜନ ପଟ୍ଟନାୟକ ସବୁ ପିସିସି ସଭାପତିଙ୍କ ଅମଳରେ ଏହି ସ୍ଥିତି ସୃଷ୍ଟି ହେଉଛି । ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡାଙ୍କ ଭଳି ନେତାମାନେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବେଳେ ଏବେ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ନିଆଁରେ ଘିଅ ଢାଳୁଛନ୍ତି ଆଉଜଣେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ଏବେ ଆଉ କିଛି ବିଧାୟକ ମଧ୍ୟ ବିଜେଡି ଲିଙ୍କରେ ଥିବା ଚର୍ଚ୍ଚା ହେଉଛି ।

ବିଜେପିରୁ ମଧ୍ୟ ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଇସ୍ତଫା ଦେବା ଦଳ ପାଇଁ ଏକ ବିରାଟ ଝଟକା । ବିଜେଡିରୁ ମଧ୍ୟ ସେହିଭଳି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଭଳି ନେତାମାନେ ହାତ ଛାଡିଛନ୍ତି । ତେବେ ବିଜୟ, ଦିଲ୍ଲୀପ, ବୈଜୟନ୍ତ ଓ ଦାମଙ୍କ ପରି ଦଳଡିଆଁମାନେ ସେତେ ପ୍ରଭାବି ହୋଇପାରିନାହାଁନ୍ତି । ଗୋଟେପଟେ ବରିଷ୍ଠ ଓ ଅନୁଭବି ନେତାମାନେ କଂଗ୍ରେସ ଓ ବିଜେପି ଛାଡୁଥିବା ବେଳେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏବେ ଶଙ୍ଖ ଧରିଲେଣି  । ବିଜେଡିରୁ ବହିଷ୍କୃତ ହୋଇ ଦାମ ରାଉତ ବ୍ରଜ ତ୍ରିପାଠୀଙ୍କ ସହ ମଶି ବିଜୁ ସମତାକ୍ରାନ୍ତି ଦଳ ଗଠନ କଲେ । କିନ୍ତୁ ଏହି ଦଳ ଜନ୍ମ ନେଉ ନେଉ ବିକଳାଙ୍ଗ ହୋଇଗଲା । ବୈଜୟନ୍ତ ପଣ୍ଡା ମଧ୍ୟ ବିଜେପିରେ ମିଶିବେ ବୋଲି ଆରମ୍ଭରୁ ଚର୍ଚ୍ଚା ହେଉଥିଲେ ବି ତାଙ୍କ ପଥ ସୁଗମ ହୋଇପାରୁନି । ଏମିତି ଦେଖିବାକୁ ଗଲେ ନବୀନ ବିରୋଧୀ ଶକ୍ତିମାନେ ନା ନିଜସ୍ବ ଶକ୍ତିର ସଂଚାର କରିପାରୁଛନ୍ତି ନା ଅନ୍ୟ କାହା ଶକ୍ତିରେ ଶକ୍ତିଶାଳୀ ହୋଇପାରୁଛନ୍ତି । ଏମିତି ଏକ ଗୋଳିଆ ରାଜନୈତିକ ପୃଷ୍ଠଭୂମୀରେ ସମସ୍ତେ 2019ର ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

five + 10 =