ସବୁ ରେକର୍ଡ ଭାଙ୍ଗିଲା ବେକାରୀ ସମସ୍ୟା

ନୂଆଦିଲ୍ଲୀ () : ଗତ ୪୫ ବର୍ଷ ମଧ୍ୟରେ 2017-18ରେ ଦେେଶରେ ବେକାରୀ ସମସ୍ୟା ଉତ୍କଟ ହୋଇଛି । ପୂର୍ବର ସବୁ ରେକର୍ଡ ଭାଙ୍ଗିଛି । ଜାତୀୟ ନମୁନା ସର୍ବେକ୍ଷଣ ପ୍ରତିଷ୍ଠାନ (ଏନଏସଏସଓ) ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । 2014ରେ ଦୁଇ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ଅମଳରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯୁବକ ଯୁବତୀଙ୍କ ବେକାରୀ ଉଦବେଗଜନକ ଭାବେ ବଢିଛି ।
ଆସନ୍ତାକାଲି କେନ୍ଦ୍ରୀୟ ବଜେଟ୍ ପୂର୍ବରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିପାରନ୍ତି । ବିରୋଧୀ ଦଳ ଲଗାତାର ରୋଜଗାର ପ୍ରସଙ୍ଗ ଉପରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ନିର୍ବାଚନ ପୂର୍ବରୁ ଏହି ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା ଅଧିକ ବଢ଼଼ିଯାଇଛି । ଏନଏସ୍ଏସ୍ଓ  ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାର କାରଣ ପାଲଟିଛି ।
ରିପୋର୍ଟ ଅନୁସାରେ, ୧୯୭୨-୭୩ରୁ କେବେ ବି ଦେଶରେ ବେକାରୀ ହାର ୬.୧% ରହି ନଥିଲା । ୨୦୧୧-୧୨ରେ ଦେଶର ବେକାରୀ ହାର ୨.୨% ରହିଥିଲା । ଏହି ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ହାର ୧୩% ରହିଥିବା ବେଳେ ଏବେ ୨୭% ରହିଛି । ସହରାଞ୍ଚଳରେ ବେକାରୀ ହାର ୭.୮% ରହିଥିବା ବେଳେ ଗ୍ରାମାଞ୍ଚଳରେ ୫.୩% ରହିଛି । ଗ୍ରାମାଞ୍ଚଳରେ ୧୫ରୁ ୨୯ ବର୍ଷର ଯୁବକଙ୍କ ମଧ୍ୟରେ ବେକାରୀ ସମସ୍ୟା ଅଧିକ ରହିଛି । ୨୦୧୧-୧୨ରେ ଏହା ୫% ଥିବା ବେଳେ ୨୦୧୭-୧୮ରେ ଏହା ୧୭.୪%କୁ ବୃଦ୍ଧି ପାଇଛି । ସେହିପରି ଗ୍ରାମାଞ୍ଚଳରେ ମହିଳାମାନଙ୍କ ବେକାରୀ ହାର ୨୦୧୧-୧୨ରେ ୪.୮% ରହିଥିବା ବେଳେ ୨୦୧୭-୧୮ରେ ଏହା ୧୩.୬% ରହିଛି ।
ସହରାଞ୍ଚଳରେ ପୁରୁଷ ବେକାରୀ ହାର ୧୮.୭% ରହିଥିବା ବେଳେ ମହିଳା ବେକାରୀ ହାର ୨୭.୨% ରହିଛି ।
ଦିନକୁ ଦିନ ଅଧିକରୁ ଅଧିକ ଲୋକ କାମ କରିବାରୁ ମୁହଁ ଫେରାଇ ନେଉଛନ୍ତି । ଫଳରେ ଶ୍ରମଶକ୍ତି ଗତ ବର୍ଷ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି । ୨୦୧୧-୧୨ରେ ଶ୍ରମଶକ୍ତିର ହାର ୩୯.୫% ରହିଥିବା ବେଳେ ୨୦୧୭-୧୮ରେ ୩୬.୯%କୁ ହ୍ରାସ ପାଇଛି । ୨୦୧୬ ବିମୁଦ୍ରାକରଣ ପରେ ସଂସ୍ଥାର ଏହା ପ୍ରଥମ ସର୍ଭେ ରିପୋର୍ଟ ବିମୁଦ୍ରାକରଣ ପରେ ଦେଶରେ ବେକାରୀ ସମସ୍ୟା ବଢ଼଼ିଛି ବୋଲି ଏଥିରେ କୁହାଯାଇଛି । ୨୦୧୭ ଜୁଲାଇରୁ ୨୦୧୮ ଜୁନ୍ ମଧ୍ୟରେ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।
Share

Leave a Reply

Your email address will not be published. Required fields are marked *

two × two =