କାର୍ଯ୍ୟକାଳ ଶେଷ ହେବାର ୧୦ ମାସ ଆଗରୁ ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା

ହାଇଦ୍ରାବାଦ: ତେଲେଙ୍ଗାନାର ଟିଆର୍‌ଏସ୍‌ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ  ୧୦ ମାସ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ(କେସିଆର୍‌) ରାଜ୍ୟପାଳଙ୍କୁ ଭେଟି ବିଧାନସଭା ଭାଙ୍ଗିବାକୁ ସୁପାରିସ୍‌ କରିଛନ୍ତି।ତେଲେଙ୍ଗାନାରେ ଆଗୁଆ ନିର୍ବାଚନ କରିବାପାଇଁ ଏପରି କରିଛନ୍ତି  କେସିଆର୍‌ ା ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହା କେସିଆର୍‌ଙ୍କ ସୁପାରିସ୍‌ ଗ୍ରହଣ କରିବା ସହ ଆଗୁଆ ବିଧାନସଭା ଭାଙ୍ଗିଲା ବୋଲି ଘୋଷଣା କରିଛନ୍ତି। କିନ୍ତୁ ନିର୍ବାଚନ ଯାଏ କେସିଆର୍‌ ହିଁ ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ରାଜ୍ୟପାଳ କହିଛନ୍ତି।କେସିଆର୍‌ଙ୍କ କ୍ୟାବିନେଟ୍‌ ବିଧାନସଭାକୁ ଆଗୁଆ ଭାଙ୍ଗି ଦେଇଥିବାରୁ ଏବେ ଡିସେମ୍ବରରେ ହିଁ ନିର୍ବାଚନ ହେବ ବୋଲି ଏକପ୍ରକାରର ସ୍ପଷ୍ଟ ହୋଇଛି। ନିୟମ ଅନୁସାରେ ୨୦୧୯ ମେ ମାସ ବେଳକୁ ସାଧାରଣ ନିର୍ବାଚନ ସହ ତେଲେଙ୍ଗାନା ବିଧାନସଭା ନର୍ବାଚନ ହୋଇଥାନ୍ତା। କେସିଆର୍‌ ପ୍ରଗତି ଭବନଠାରେ କ୍ୟାବିନେଟ୍‌ ବୈଠକ ଡାକିଥିଲେ। ଏଠାରେ ସର୍ବସମ୍ମତି କ୍ରମେ ବିଧାନସଭାକୁ ଭଙ୍ଗାଯିବ ବୋଲି ଏକ ପ୍ରସ୍ତାବ ପାସ୍‌ ହୋଇଥିଲା। ବୈଠକ ପରେ କେସିଆର୍‌ କ୍ୟାବିନେଟ୍‌ ନିଷ୍ପତ୍ତିର ନକଲ ଧରି ରାଜଭବନରେ ପହଞ୍ଚିଥିଲେ। ସେଠାରେ ସେ ରାଜ୍ୟପାଳଙ୍କୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବା ସହ ବିଧାନସଭାକୁ ଭାଙ୍ଗିବାକୁ ରାଜ୍ୟପାଳ ନରସିଂହାଙ୍କୁ ସୁପାରିସ୍‌ କରିଥିଲେ।ତେଲେଙ୍ଗାନା ଗଠନ ହେବା ପରେ ୨୦୧୪ ମେ’ ମାସରେ ପ୍ରଥମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେଲେଙ୍ଗାନା ବିଧାନସଭାର ୧୧୯ଟି ଆସନରୁ କେସିଆର୍‌ଙ୍କ ଟିଆର୍‌ଏସ୍‌ ୬୩ଟି ଆସନ ଦଖଲ କରି ସରକାର ଗଠନ କରିଥିଲା।

 

Share

Leave a Reply

Your email address will not be published. Required fields are marked *

eleven − seven =