ପ୍ରଣବଙ୍କ ନାଗପୁର ଗସ୍ତରୁ ତିନି ସମ୍ଭାବନା

ଭୁବନେଶ୍ବର, 05/06 () ଦିନ ଥଲା ପ୍ରଣବ ମୁଖାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ପ୍ରମୁଖ ଦାବିଦାର ଥିଲେ । ସେ ହିନ୍ଦିଭାଷୀ ହୋଇନଥିଲେ ହେଁ କଂଗ୍ରେସର ସଂକଟ ମୋଚକ ଭାବେ ରାଜନୀତିର ଚାଣକ୍ୟ ଓ ମିଷ୍ଠଭାଷୀ ମଧ୍ୟ ଥିଲେ । ୨୦୧୨ରେ ରାଷ୍ଟ୍ରପତି ନିର୍ବାଚନରେ ଯେତେବେଳେ ତାଙ୍କ ନାମ ପ୍ରସ୍ତାବ କରାଗଲା ସେତେବେଳେ କଂଗ୍ରେସ ବିରୋଧି ଶିବସେନା, ଜେଡିୟୁ ଭଳି ବିରୋଧିଦଳମାନେ ତାଙ୍କୁ ସମର୍ଥନ ଜଣାଇଥିଲେ । ରାଷ୍ଟ୍ରପତି ହେବା ପରେ ପ୍ରଣବ ମୁଖାର୍ଜୀ ଦଳୀୟ ରାଜନୀତିରୁ ଦୂରେଇ ଯାେଇଥିଲେ ହେଁ ସମ୍ବିଧାନର ଗାରିମାକୁ କେବେ ବି ତଳେ ପକାଇ ଦେଇନାହାନ୍ତି ।

କିନ୍ତୁ ଗତ କିଛି ଦିନ ହେଲା ରାଜନୀତି ପୁଣି ଥରେ ପ୍ରଣବଙ୍କ ନିକଟତର ହେବାରେ ଳାଗିଛି । ଏହାର କାରଣ ହେଉଛି ଜୁନ 7 ତାରିଖରେ ପ୍ରଣବ ମୁଖାର୍ଜୀ ଆରଏସଏସ ପ୍ରଶିକ୍ଷଣ ବର୍ଗର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଉଛନ୍ତି । ଆରଏସଏସର ନିମନ୍ତ୍ରଣରେ ପୂର୍ବତନ ରାଷ୍ଟ୍ରପତି ନାଗପୁର ଯାଉଥିବାରୁ ଧର୍ମନିରପେକ୍ଷ ରାଜନୀତିର ଦ୍ବାହୀ ଦେଉଥିବା କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅସହଜ ମନେକରୁଛନ୍ତି । ପ୍ରଣବ ମୁଖାର୍ଜୀଙ୍କ ଏହି ଗସ୍ତକୁ ରାଜନୀତିକ ମହଲରେ ବିଭିନ୍ନ ପ୍ରକାରର ଅର୍ଥ ବାହାର କରିବାରେ ଲାଗିଛନ୍ତି ।

କେତେକ ରାଜନୀତିକ ବିଶ୍ଳେଷକ ଏହି ଗସ୍ତକୁ ପ୍ରଣବ ମୁଖାର୍ଜୀଙ୍କ ରାଜନୀତିକ ମହତ୍ବାକାଂକ୍ଷାକୁ ଯୋଡିଛନ୍ତି । ବର୍ତ୍ତମାନ ବିରୋଧିଦଳ ପାଖରେ ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ସର୍ବମାନ୍ୟ ଚେହେରା ନାହିଁ, ଯିଏ କି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁକାବିଲ୍ଲା କାରିପାରିବ । ତେଣୁ ପ୍ରଣବ ମୁଖାର୍ଜୀ ନିଜ ପାଇଁ ସମ୍ଭାବନା ସୃଷ୍ଟି କରିବାରେ ଲାଗିଛନ୍ତି । କାରଣ ଗତି କିଛି ଦିନ ତଳେ ବିଜେଡି ପ୍ରମୁଖ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆୟୋଜିତ ଭୋଜିରେ ସେ ଯୋଗଦେଇଥିଲେ । ତାଙ୍କ ସହିତ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ସିପିଏମର ସୀତାରାମ ୟେଚୁରୀ ଓ ଧର୍ମନିରପେକ୍ଷ ଜନତାଦଳର ଏଚଡି ଦେବେଗୌଡା ମଧ୍ୟ ଉପସ୍ଥିତ ଥିଲେ ।

କୁହାଯାଉଛି ପ୍ରଣବ ମୁଖାର୍ଜୀ ରାଜନୀତିରେ ସକ୍ରିୟ ହୋଇ ନିଜକୁ ପ୍ରାସଙ୍ଗିକ ଓ ଚର୍ଚ୍ଚାରେ ରଖିବାକୁ ଚାହୁଛନ୍ତି । ଜଣେ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ହୋଇପାରିବ ନାହିଁ ବୋଲି ଆମ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ । ଅବସରପ୍ରାପ୍ତ ରାଷ୍ଟ୍ରପତିମାନେ ସାର୍ବଜନିକ ଜୀବନରୁ ଦୂରେଇ ଯାଉଥିବାବେଳେ ପ୍ରଣବ ମୁଖାର୍ଜୀ ପରମ୍ପରାରେ ବାନ୍ଧି ହୋବାକୁ ଚାହୁଁନାହାଁନ୍ତି । ଏହାର ଶ୍ରେଷ୍ଠ ଉଦାହାରଣ ହେଉଛି ୮୦ଦଶକରେ ପ୍ରଣବ ମୁଖାର୍ଜୀ କିଛି ସମୟ ପାଇଁ କଂଗ୍ରେସ ଦଳ ବି ଛାଡି ଦେଇଥିଲେ ।

ଅନ୍ୟ ଏକ ବିଚାର ଅନୁସାରେ ପ୍ରଣବ ମୁଖାର୍ଜୀ ଦ୍ବିତୀୟ ଥର ପାଇଁ ସର୍ବସମ୍ମତ ଭାବେ ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ । ଏଥିପାଇଁ ତାଙ୍କ ସପକ୍ଷରେ ଶିବସେନା, ଜେଡିୟୁ ଭଳି କିଛି ଅଣକଂଗ୍ରେସ ଦଳ ପ୍ରସ୍ତାବ ମଧ୍ୟ ଦେଇଥିଲେ । କିନ୍ତୁ ବିଜେପି ଓ ଆରଏସଏସ ନେତାଙ୍କ ମଧ୍ୟରେ ସହମତି ହୋଇପାରିଲା ନାହିଁ । ତେଣୁ ଆରଏସଏସରେ ନିଜ ପାଇଁ ସମର୍ଥନ ଯୋଗାଡ ଉଦ୍ଦେଶ୍ୟରେ ପ୍ରଣବ ମୁଖାର୍ଜୀ ପ୍ରୟାସ ରତ । କିନ୍ତୁ ଏଥିପାଇଁ ତାଙ୍କୁ ଆହୁରି ୫ବର୍ଷରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ।

ପ୍ରଣବ ମୁଖାର୍ଜୀ ଜଣେ ପ୍ରମୁଖ ରାଜନେତା ଥିଲେ । ଏବେ ବି ତାଙ୍କ ସ୍ଥିତିରେ ଆହୁରି ଅଧିକ ଉନ୍ନତି ହୋଇଛି । ଆରଏସଏସର ନିମନ୍ତ୍ରଣ ସ୍ବୀକାର କରି ସେ ନିଜର ପ୍ରତିଷ୍ଠାକୁ ଆହୁରି ଉଚ୍ଚା କରିବାକୁ ବିଚାର କରିଥାଇପାରନ୍ତି । ଦେଶର ସଂସ୍କୃତି, ସମ୍ବିଧାନ ଓ ଧର୍ମନିରପେକ୍ଷ ବିଚାର ସ୍ବୟଂସେବକମାନଙ୍କ ଆଗରେ ରଖିବା ପାଇଁ ପ୍ରଣବ ମୁଖାର୍ଜୀ ଚିନ୍ତା କରିଥିବେ । ଯଦି ୭ତାରିଖରେ ଏଭଳି ହୁଏ ତେବେ ପ୍ରଣବ ମୁଖାର୍ଜୀଙ୍କ ବିଚାର ଓ ରାଜନୀତିରେ ସ୍ଥାନ ବହୁ ଉଚ୍ଚରେ ରହିବ ।

Share

Leave a Reply

Your email address will not be published. Required fields are marked *

two − 2 =