ପିଏମଓରେ ଆଉ ଜଣେ ଓଡିଆ ପୁଅଙ୍କୁ ଗୁରୁ ଦାୟିତ୍ବ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ନିଯୁକ୍ତହୋଇଛନ୍ତି । ସେ ଆଜିଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତିରହିଛି । ବିଶେଷକରି କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତିକ୍ଷେତ୍ର, ଭିତିଭୂମି ପାଇଁ ପୁଞ୍ଜିଲଗାଣଏବଂ ନିୟାମକ ପ୍ରସଙ୍ଗ ଉପରେ ତାଙ୍କର ବ୍ୟାପକ ପରିଚାଳନାଗତ ଦକ୍ଷତାରହିଛି । ଏହାଛଡା ତାଙ୍କର ଦୀର୍ଘ କ୍ୟାରିଅର ମଧ୍ୟରେ ନୀତି ନିର୍ଦ୍ଧାରଣ, କାର୍ଯ୍ୟକ୍ରମ ରୂପାୟନ, ପ୍ରକଳ୍ପ ପରିଚାଳନା ସହିତ ଗବେଷଣାଏବଂ ଗବେଷଣା ଲବ୍ଧ ଜ୍ଞାନର ପ୍ରକାଶନ ମାଧ୍ୟମରେ ସେ ସ୍ବତନ୍ତ୍ର ଜନ ପରିଚୟ ପାଇଛନ୍ତି ।

ନୀତି ନିର୍ଦ୍ଧାରଣ ଓ ଉତମ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ଅନୁଭୂତି ଯୋଗୁ ଡଃମିଶ୍ରଙ୍କୁ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟରେ ଉଚ୍ଚ ପଦ-ପଦବୀରେ କାର୍ଯ୍ୟକରିବାର ଦକ୍ଷତା ରହିଛି । ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖସଚିବ, କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ, ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ପଦଭାର ଅନ୍ୟତମ । ଅଧିକନ୍ତୁ କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ସେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନ ଆରମ୍ଭ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।

ପ୍ରମୋଦ ହେଉଛନ୍ତି 1972 ବ୍ୟାଚ ଗୁଜୁରାଟ କ୍ୟାଡର ଆଇପିଏସ । ତାଙ୍କ ଘର ସମ୍ବଲପୁରରେ । ସେ 2001ରୁ 2004 ମସିହା ପର୍ଯ୍ୟନ୍ତ ଗୁଜୁରାଟ ସରକାରଙ୍କ ସହ କାମ କରିସାରିଛନ୍ତି । ନିକଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସେ 2019 ମେ’ 17 ତାରିଖରେ ଜାତିସଂଘ ଦ୍ବାରା ପୁରସ୍କୃତ ହୋଇଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଦାୟିତ୍ବରୁ ଅବସର ନେବା ପରେ ପ୍ରମୋଦଙ୍କୁ ଦାୟିତ୍ବ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରମୋଦଙ୍କୁ ମିଳିଛି ଏହି ଗୁରୁଦାୟିତ୍ବ । ସେ 2013ରେ 65 ବର୍ଷ ବୟସରେ ସରକାରୀ ଚାକିରିରୁ ଇସ୍ତଫା ନେଇଥିଲେ । 2014ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ଗଠନ ହେବା ତାଙ୍କୁ ଅବସର ପରବର୍ତ୍ତି ନିଯୁକ୍ତି ପ୍ରଦାନ କରାଯାଇଥିଲା । ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ପ୍ରମୁଖ ସଚିବ ପଦରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଥିଲା । 2019ରେ ସେ ଆଉ ଥରେ ପିଏମଓରେ ସେହି ପଦରେ ନିଯୁକ୍ତି ପାଇଥିଲେ । ଆଜି ତାଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ଉନ୍ନିତ କରିଛନ୍ତି ମୋଦି ।

୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଡଃମିଶ୍ର ମାନବ ସମ୍ବଳ ପରିଚାଳନା ବିଶେଷକରି ବରିଷ୍ଠ ପଦ-ପଦବୀରେ ନିଯୁକ୍ତି କ୍ଷେତ୍ରରେ ଅଭିନବ ଓ ସଂସ୍କାରମୂଳକ ପରିବର୍ତନ ଆଣିଛନ୍ତି । ଆନ୍ତର୍ଜାତିକ ସ୍ତରରେ ମଧ୍ୟ ତାଙ୍କର ଅନେକ ଗବେଷଣାତ୍ମକ ଓ ପ୍ରଶାସନିକ ଅନୁଭୂତି ରହିଛି । ବ୍ରିଟେନର ଇନଷ୍ଟଚ୍ୟୁଟ ଅଫ ଡେଭଲପମେଂଟ ଷ୍ଟଡିଜରେ ସେ ୪ ବର୍ଷ ଶୈକ୍ଷିକ ଓ ଗବେଷଣାତ୍ମକ କାର୍ଯ୍ୟ କରିଛନ୍ତି । ଏହାଛଡା ତାଙ୍କର ଅନେକ ବିଶ୍ବବ୍ୟାଙ୍କ ଓ ଏସୀୟ ଉନୟନ ବ୍ୟାଙ୍କ ପ୍ରକଳ୍ପ ଲାଗି ବୁଝାମଣା ଓ ସେଗୁଡିକର ଫଳପ୍ରଦ କାର୍ଯ୍ୟାନ୍ବୟନ, ଆନ୍ତର୍ଜାତିକ ସେମି-ଏରିଡଟ୍ରପିକ୍ସ ଶସ୍ୟ ଗବେଷଣା ପ୍ରତିଷ୍ଠାନର ପରିଚାଳନା ବୋର୍ଡର ସଦସ୍ୟ ଏବଂ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ବିଶେଷଜ୍ଞ ହିସାବରେ ଭାଗ ନେବାର ଅନୁଭୂତି ରହିଛି ।  ସମ୍ପ୍ରତି ଡଃମିଶ୍ରଙ୍କୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ୨୦୧୯ ମସିହାର ଜାତିସଂଘ ସାସାକାୱା ପୁରସ୍କାରରେ ସମ୍ମାନିତ କରାଯାଇଛି  ।

ଡଃମିଶ୍ର ୧୯୭୦ ମସିହାରେ ତତକାଳୀନ ଗଙ୍ଗାଧର ମେହେର କଲେଜ (ସମ୍ବଲପୁର ବିଶ୍ବବିଦ୍ୟାଳୟ)ରୁ ଅର୍ଥନୀତି ବିଷୟରେ ସ୍ନାତକ (ଅନର୍ସ) ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ସହ ଅନ୍ୟାନ୍ୟ ବିଷୟରେ ଡିଷ୍ଟିଙ୍କସନ ରଖିଥିଲେ । ସେତେବେଳେ ଓଡିଶାର ସବୁ ବିଶ୍ବ ବିଦ୍ୟାଳୟରେ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବାରେ ସେ ପ୍ରଥମ ଛାତ୍ର ଥିଲେ । ସମ୍ବଲପୁରରୁ କଲେଜ ଶିକ୍ଷା ସାରି ସେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ଡଃମିଶ୍ର ସସେକ୍ସ ବିଶ୍ବବିଦ୍ୟାଳୟରୁ ଡେଭଲପମେଂଟ ଇକୋନମିକ୍ସରେ ସ୍ନାତକୋତର ଡିଗ୍ରୀ ପାଇ ସେଠାରେ ପିଏଚଡି କରିଥିଲେ । ତାଙ୍କର ଅନେକ ଗବେଷଣାତ୍ମକ ଓ ଉଚ୍ଚ ଅଧ୍ୟୟନମୂଳକ ପ୍ରବନ୍ଧ ଆନ୍ତର୍ଜାତିକ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଆସୁଛି ।

Share

Leave a Reply

Your email address will not be published. Required fields are marked *

nineteen + fourteen =