ତୈଳ କମ୍ପାନୀଗୁଡିକ କେନ୍ଦ୍ରମନ୍ତ୍ରୀଙ୍କ ମୋହରା

ଭୁବନେଶ୍ୱର,୮/୧୦/୨୦୧୮: ତୈଳ କମ୍ପାନୀଗୁଡିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ମୋହରା ପାଲଟିଛନ୍ତି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅନେକଥର ଉକ୍ତି ରଖିଥିଲେ ଯେ କେନ୍ଦ୍ର ସରକାର ତୈଳ କମ୍ପାନୀଗୁଡିକର ବଜାର ସଂପର୍କିତ ପ୍ରଚଳିତ ଦର ନିର୍ଦ୍ଧାରଣ କରିବାରେ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ କିମ୍ବା କମ୍ପାନୀଗୁଡିକୁ ତେଲ ଦର ହ୍ରାସ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ । କିନ୍ତୁ ନିକଟରେ ତୈଳ କମ୍ପାନୀଗୁଡିକ ତେଲ ଉପରୁ ୧ ଟଙ୍କା ହ୍ରାସ କିପରି କଲେ, ତାହାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ କେନ୍ଦ୍ରମନ୍ତ୍ରୀ ବାରମ୍ବାର କହୁଥିଲେ ଯେ କୌଣସି ତୈଳ କମ୍ପାନୀଗୁଡିକ ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ, ସେହି କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶରେ କମ୍ପାନୀଗୁଡିକ ୧ଟଙ୍କା କମାଇଦେଲେ । ତେବେ ଏଭଳି କାର୍ଯ୍ୟ କାହା ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ? ଏଠାରେ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ଯଦି ତେଲ କମ୍ପାନୀଗୁଡିକ ଦର କମାଇବାକୁ ଚାହିଁବେ ତେବେ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ ନିହାତି ଲୋଡ଼ା । ଅପରପକ୍ଷରେ ଦୀର୍ଘଦିନ ହେଲା ପେଟ୍ରୋଲ ଓ ଡିଜେଲ୍‍ ବାବଦରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଲୁଟୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏତେଦିନ ଧରି ଚୁପ୍‍ କାହିଁକି ରହିଥିଲେ, ସେ ବିଷୟରେ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ଅଛି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।
ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ଦିନ ପର୍ଯ୍ୟନ୍ତ ତେଲ ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା । କିନ୍ତୁ ନିର୍ବାଚନ ଶେଷ ହେଉ ହେଉ ‘ଯଥା ପୂର୍ବଂ ତଥା ପରଂ’ ପରିସ୍ଥିତି ଦେଖାଦେଲା । ଯଦି ସେହିକ୍ରମରେ ଆମେ ଦେଖିବା ଯେ ଆସନ୍ତା ମାସରେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ତୈଳ ଉପରେ ଏଭଳି ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି । ନିର୍ବାଚନ ଆସିଲେ ତେଲ ଦର କମିବ ଏବଂ ସରିଗଲେ ପୂର୍ବ ଅବସ୍ଥାକୁ ଫେରିଆସିବ । ଏହା ରାଜନୈତିକ ଅଭିସନ୍ଧି ରଖି କରାଯାଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି । ଓଡ଼ିଶାର ଜନସାଧାରଣ କେନ୍ଦ୍ର ସରକାର ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଷଡ଼ଯନ୍ତ୍ରମୂଳକ ଚାଲବାଜୀକୁ ଭଲ ଭାବରେ ବୁଝିସାରିଛନ୍ତି । ଏହାର ଉଚିତ୍‍ ଜବାବ ୨୦୧୯ ନିର୍ବାଚନରେ ନିଶ୍ଚୟ ଦେବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

19 − four =