ନିର୍ଯ୍ୟାତିତ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୃହ ବିଭାଗ ତତ୍ପର

ଭୁବନେଶ୍ୱର () ଦୁବାଇରେ ଫସି ରହିଥିବା ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଓ ବେଗୁନିଆପଡାର ୪୨ ଜଣ ଶ୍ରମିକଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ରାଜ୍ୟ ଗୃହ ବିଭାଗ ସୋମବାର ଦିନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ବିଭାଗର ଯୁଗ୍ମ ସଚିବ ତଥା ପ୍ରୋଟେକ୍ଟର ଜେନେରାଲ ଅଫ୍ ଏମିଗ୍ରାଂଟଙ୍କୁ ଅନୁରୋଧ କରାଯାଇଛି ।
ଏହାସହ ଦିଲ୍ଲୀ ଠାରେ ଅବସ୍ଥାପିତ ଓଡିଶାର ମୁଖ୍ୟ ଆବାସିକ କମିଶନରଙ୍କୁ ଏସମ୍ପର୍କରେ ବୈଦେଶିକ ବ୍ୟାପାର ବିଭାଗ ସହିତ ଯୋଗସୂତ୍ର ରଖିବାସହ ଦିଲ୍ଲୀ ବିମାନଘାଟିରୁ ସମ୍ପୃକ୍ତ ଶ୍ରମିକମାନଙ୍କୁ ନେଇ ଓଡିଶା ସଦନରେ ରଖିବା ଏବଂ ସେମାନେ ସୁରୁଖୁରୁରେ ଯେପରି ନିଜ ନିଜ ଗ୍ରାମକୁ ଫେରିପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି । ସେହିପରି ରାଜ୍ୟ ଶ୍ରମ ଓ ନିୟୋଜନ ବିଭାଗ ପ୍ରମୁଖ ସଚିବ ଓ ଶ୍ରମ କମିଶନରଙ୍କୁ ମଧ୍ୟ ଏସଂକ୍ରାନ୍ତରେ ଗଂଜାମ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରି ୪୨ ଜଣ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଓ ବେଗୁନିଆପଡାର ୪୨ ଜଣ ଶ୍ରମିକଙ୍କୁ  ଦୁବାଇ ନେଇଥିବା ଠିକାଦାର ଦ୍ୱାରା ସେଠାରେ ଏକ ନିର୍ମାଣ କମ୍ପାନୀରେ ନିର୍ଯ୍ୟାତିତ ହେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାପରେ ସମ୍ପୃକ୍ତ ଶ୍ରମିକ ମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ବୈଦେଶିକ ବ୍ୟାପାର ବିଭାଗକୁ ରାଜ୍ୟ ଗୃହ ବିଭାଗ ଚିଠି ଲେଖି ଅନୁରୋଧ କରିଛି ।
Share

Leave a Reply

Your email address will not be published. Required fields are marked *

thirteen + twelve =