ଓଡିଶାରେ ହେବ ଗାନ୍ଧୀ କଥା

ଭୁବନେଶ୍ବର () ମାହାତ୍ମା ଗାନ୍ଧୀଙ୍କ ପ୍ରିୟଭୂମୀ ଓଡିଶା । ଆଠ ଥର ଆସି ଜାତିର ପିତା ଏହି ରାଜ୍ୟରେ ସମୁଦାୟ ଅଣାଅଶି ଦିନ ବିତାଇଛନ୍ତି ତଥା ଓଡିଶାର କୋଣ ଅନୁକୋଣକୁ ଯାଇ ସ୍ବରାଜ, ସ୍ବାବଲମ୍ବନ, ଅସ୍ପୃଶ୍ୟତା ନିବାରଣ, ସାଂପ୍ରଦାୟୀକ ସଦ୍ଭାବ, ନିଶା ନିବାରଣ ଆଦିର ବାର୍ତ୍ତା ବାଣ୍ଟିଛନ୍ତି । ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ବର୍ଷରେ ତାଙ୍କ ବିଚାରକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଓଡିଶା ଚଳଚଞ୍ଚଳ ହୋଇଉଠିଛି । ଏହି ଉପଲକ୍ଷେ ପ୍ରସିଦ୍ଧ ଗାନ୍ଧୀବାଦୀ ପ୍ରବକ୍ତା, ସ୍ତମ୍ଭକାର ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଏକ ସପ୍ତାହ ପାଇଁ ଓଡିଶା ଗସ୍ତରେ  ଆସୁଛନ୍ତି । ଏହି ଅବସରରେ ରାଜ୍ୟ ସରକାର ଓ ବିଭିନ୍ନ ସଂଗଠନ ମାନଙ୍କ ନିମନ୍ତ୍ରଣରେ ଆସି ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାନ୍ଧୀ କଥା କହିବା ସହ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଆଗାମୀ ଅଗଷ୍ଟ ମାସ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଶ୍ରୀ ପ୍ରଶାନ୍ତ ଭୁବନେଶ୍ବର ଜୟଦେବ ଭବନ ପରିସରରେ ସନ୍ଧ୍ୟା ସମୟରେ ଗାନ୍ଧୀକଥା ମାଧ୍ୟମରେ ଗାନ୍ଧୀ ଓ ବର୍ତ୍ତମାନ, ଗାନ୍ଧୀ ଓ ଜବାହାରଲାଲ ଏବଂ ଗାନ୍ଧୀ ଓ ଭାରତ ବିଭାଜନ ବିଷୟରେ ବକ୍ତବ୍ୟ ରଖିବେ । ଭୁବନେଶ୍ବରରେ ରାଷ୍ଟ୍ରୀୟ ଯୁବା ସଂଗଠନ ଦ୍ବାରା  ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବ ଶିବିରରେ ମଧ୍ୟ ଉଦବୋଧନ ଦେବେ । ସେହିପରି ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ଓ ଉତ୍ତର ଦାୟାଦ ସଂଗଠନର କର୍ମକର୍ତ୍ତା ମାନଙ୍କୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅଡଶପୁରସ୍ଥ ଉଦୟନାଥ ସ୍ବୟଂସାଶିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧୀ ଓ ଯୁବ ସମାଜ ଶୀର୍ଷକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହଛି । ତାଙ୍କର ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୂରୀ ଓ ସମାଜବାଦୀ ଆନ୍ଦୋଳନର ନେତ୍ରୀ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ରବି ରାୟଙ୍କ ଧର୍ମପତ୍ନୀ ଡାଃ. ସରସ୍ବତୀ ସ୍ବାଇଁଙ୍କୁ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।

ଅଗଷ୍ଟ ୧୯ ତାରିଖରେ ଯାଜପୁର ଜିଲ୍ଲା ଛତିଆ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ସେ ଆଲୋଚନା କରବା ପରେ ଭଦ୍ରକ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ସହିତ ବାପୁ ଓ ସ୍ତ୍ରୀ ଶୀର୍ଷକ ଚର୍ଚ୍ଚା କରିବେ । ଉକ୍ତ ସନ୍ଧ୍ୟାରେ ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସଂସ୍କୃତି ଭବନ ଠାରେ ଆୟୋଜିତ  ସଭାରେ ମହାତ୍ମାଗାନ୍ଧୀଙ୍କର କାଶ୍ମୀର ଉପରେ ରହିଥିବା ଅଭିମତ ବାବଦରେ ବିସ୍ତୃତ ଆଲୋଚନା କରିବେ  ।

ଅଗଷ୍ଟ ୨୦ ଓ ୨୧ ତାରିଖରେ ରାଉରକେଲା ଠାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ ସ୍କୁଲଠାରେ ଛାତ୍ରଛାତ୍ରୀ ମାନଙ୍କୁ ଗାନ୍ଧୀଜୀ ଓ ବିଦ୍ୟାର୍ଥୀ ବିଷୟରେ ଉଦବୋଧନ ଦେବେ । ସେହିଭଳି ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ରାଉରକେଲାର ଜନସାଧାରଣକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ତାଙ୍କ ସହିତ ଉକ୍ରଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ତଥା ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସୁକନ୍ୟା କୃଷ୍ଣା ମହାନ୍ତି ଓ ଓଡିଶା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ ମନୋରଂଜନ ମହାନ୍ତି ରହିବେ ।

ଅଗଷ୍ଟ ୨୨ ତାରଖରେ ସମ୍ବଲପୁର ଜିଲ୍ଲାର ଭତରା ଠାରେ ରହିଥିବା ଗାନ୍ଧୀ ମନ୍ଦିର ପରିଦର୍ଶନ କରିବା ସହିତ ସ୍ବାଧୀନତା ସଂଗ୍ରାମୀ ଗ୍ରାମ ବରଗାଁ ଠାରେ ସେ ଉଦ୍ବୋଧନ ଦେବେ । ଅପରାହ୍ନରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧୀ ଓ ଛାତ୍ରସମାଜ ଶୀର୍ଷକ ଆଲୋଚନା କରିବେ । ସନ୍ଧ୍ୟାରେ ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ପ୍ରେକ୍ଷାଳୟରେ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ  ।

ଅଗଷ୍ଟ ୨୩ ତାରିଖରେ ଭୁବନେଶ୍ବରରେ ସାମ୍ବାଦିକ ମାନଙ୍କସହ ଆଲୋଚନା କରି ତାଙ୍କର ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । ଆଜି ଲୋହିଆ ଏକାଡେମୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରାଦେଶିକ ଅଧ୍ୟକ୍ଷ ଜଷ୍ଟିସ ମନୋରଂଜନ ମହାନ୍ତି, ସଂପାଦକ ବିରୁପାକ୍ଷ ତ୍ରିପାଠୀ, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ, ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଡାଃ. ବିଶ୍ୱଜିତ, ମଳୟ ତ୍ରିପାଠୀ, ମଧୁସୁଦନ ଦାସ, ରଣଜିତ ଦେହୁରି, ମାନସ ପଟ୍ଟନାୟକ, ଡଃ ରିନା ରାଉତରାୟ ଓ ତୁଷାରକାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five + six =