ଆଲୋକ ବର୍ମାଙ୍କୁ ମିଳିବନି ଅବସର ପରେ ସରକାରୀ ସୁବିଧା

ସିବିଆଇ ମୁଖ୍ୟ ପଦରୁ ବରଖାସ୍ତ ହୋଇଥିବା ଆଇପିଏସ୍ ଆଲୋକ ବର୍ମାଙ୍କ ଉପରେ କେନ୍ଦ୍ର ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରି ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ କରାଯାଇଥିଲା। ତେବେ ସେ ଏହି ପଦରେ ଯୋଗ ନ ଦେଇ ଆଇପିଏସ୍ ପଦରୁ ଇସ୍ତଫା ଦେଇଥିଲେ।
କିନ୍ତୁ କେନ୍ଦ୍ର ସରକାର ଏହି ଇସ୍ତଫାକୁ ଗ୍ରହଣ କରିନଥିଲେ ଏବଂ ଅଗ୍ନିଶମ ମହାନିର୍ଦ୍ଦେଶକ ପଦରେ ଅତିକମରେ ଗୋଟିଏ ଦିନ କାର୍ୟ୍ୟ କରିବାକୁ କହିଥିଲେ। ହେଲେ ସେ ଏହାକୁ ଖାତିର କରି ନଥିଲେ। ଫଳ ସ୍ୱରୂପ ଆଜି କେନ୍ଦ୍ର ସରକାର ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଅବସର ପରେ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସମସ୍ତ ସୁବିଧାସୁଯୋଗ ଉପରେ ରୋକ ଲଗାଯାଇଛି। ଏଥିସହ ସେ ନୂଆ ପଦରେ ଯୋଗ ଦେଇ ନଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଯିବାକୁ ମଧ୍ୟ ବିଚାର କରାଯାଉଥିବା ଜଣାପଡ଼ିଛି।
ଆଜି ଶ୍ରୀ ବର୍ମାଙ୍କ କାର୍ୟ୍ୟକାଳ ଶେଷ ହୋଇଛି। ନିୟମ ଅନୁସାରେ ସେ ଆଜି ଅବସର ନେଇଥାଆନ୍ତେ। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେବା ସହ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ। ତେଣୁ କେନ୍ଦ୍ର ସରକାର ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ୍ କମିଟି ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରିଥିଲା। ଏହାର ଗୋଟିଏ ଦିନ ପରେ ସେ ଆଇପିଏସ୍ ପଦରୁ ଇସ୍ତଫା ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

7 + one =