ମୋଦିଙ୍କ କୋର୍ଟରେ ନବୀନଙ୍କ ମହିଳା ସଂରକ୍ଷଣ ବଲ

ଭୁବନେଶ୍ବର () ମହିଳା ସଂରକ୍ଷଣ ବିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗି ଦେଇଛନ୍ତି । ଏଥିସହିତ ମହିଳା ସଶକ୍ତିକରଣରେ ସର୍ବଭାରତୀୟ ସ୍ତରରେ ନବୀନ ସାଜିଛନ୍ତି ଆଇକନ । କାରଣ ଗତକାଲି ଦେଶର 22ଟି ରାଜନୈତିକ ଦଳର ମୁଖ୍ୟମାନଙ୍କ ସହମତି ଲୋଡିବା ଉଦ୍ଦେଶ୍ୟରେ ଦଳର ପ୍ରତିନିଧିଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଆଜି ନିଜେ ମୁଖ୍ୟମନ୍ତ୍ରୀ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସମର୍ଥନ ଲୋଡିଛନ୍ତି ।

ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ସମର୍ଥନରେ ମୁଖ୍ୟମନ୍ତ୍ରୀ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡି ପତ୍ର ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦେଶ ଓ ସମାଜ ଗଠନରେ ମହିଳାମାନଙ୍କ ଭୂମୀକା ଗୁରୁତ୍ବପୂର୍ଣ୍ଣ  । ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ ଏବଂ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ । ମହିଳାମାନେ ସଶକ୍ତ ନହେଲେ କୌଣସି ପରିବାର, କୌଣସି ସମାଜ, ରାଜ୍ୟ ବା ଦେଶ ଅଗ୍ରଗତି କରିପାରିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସମାଜର ଅର୍ଦ୍ଧାଧିକ ହେଉଛନ୍ତି ମହିଳା । ତେଣୁ ବିକାଶ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ଗଣତନ୍ତ୍ରକୁ ଅଧିକ ଦୃଢିଭୂତ କରିବ । 1990ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ନେଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁ ହିଁ ସାରା ଦେଶରେ ମହିଳାମାନଙ୍କ ପାଇଁ ପଂଚାୟତ ଏବଂ ପୌର ପରିଷଦ ସମେତ ସରକାରୀ ଚାକିରିରେ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ଆରମ୍ଭ କରିଥିଲେ । ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି 2011ରେ ବିଜେଡି ସରକାର ମହିଳାଙ୍କ ପାଇଁ ପଂଚାୟତ ଓ ପୌର ପରିଷଦରେ ସ୍ଥାନ ସଂରକ୍ଷଣକୁ 50 ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଆମ ସମ୍ବିଧାନ ମଧ୍ୟ ଲିଙ୍ଗଗତ ବୈଷମ୍ୟ ଦୂର କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି । ତେଣୁ ଆମେ ସମସ୍ତେ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିବା ଆବଶ୍ୟକ ବୋଲି ନବୀନ କହିଛନ୍ତି ।

ଏଦିଗରେ ଓଡିଶା ବିଧାନସଭାରେ ଏ ସଂକଳ୍ପ ମଧ୍ୟ ପାରିତ ହୋଇଛି । ମହିଳାମାନଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ଦିଗରେ ନେତୃତ୍ବ ନେଇ ପଦକ୍ଷେପ ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + nineteen =