ଆୟୁଷ୍ମାନରେ ମହିଳା ଉପେକ୍ଷିତ : ବିଜେଡି

ଭୁବନେଶ୍ୱର,୨୪ା୯ (ନି.ପ୍ର.): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ସରକାରଙ୍କ ଉପରେ ଉଠାଇଥିବା ଆକ୍ଷେପର ଜବାବ ଦେଇଛି ବିଜେଡି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ କ୍ଷମତାକୁ ଆସିବା ପରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ।
ଆଚ୍ଛେଦିନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦି ବିଜେପି ୫୪ ମାସ ବିତିଗଲା ପରେ ବି ଦେଶବାସୀ ଆଚ୍ଛେଦିନ୍ ଦେଖି ନାହାଁନ୍ତି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରଶଂସା କରିବା ସହ ପୁରସ୍କୃତ କରୁଛନ୍ତି । ଗୋଟେପଟେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପୁରସ୍କୃତ କରୁଥିବାବେଳେ ସେହି ବିଜେପି ନେତାମାନେ ରାଜ୍ୟ ସରକାର ସବୁକ୍ଷେତ୍ରରେ ବିଫଳ ବୋଲି ଅଭିଯୋଗ କରୁଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ କେନ୍ଦ୍ର ବିଜେପି ନେତାଙ୍କର ବିଭାଗ ସହିତ ତାଳମେଳ ନାହିଁ ।
ସେ ଅଭିଯୋଗ କରିଥିଲେ ଯେ, ଉଜ୍ଜଳା ଯୋଜନାରେ ଦୁର୍ନୀତି ସାଙ୍ଗକୁ ବିଜେପି ଶାସିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନା ସରାଦେଶରେ ଚର୍ଚ୍ଚାର କାରଣ ହୋଇଛି । ସେହି ବିଜେପି ଓଡ଼ିଶାରେ ବିଜେଡି ସରକାର ବିରୋଧରେ ମହିଳା ବିରୋଧୀ ନାରା ଦେବା ଓ ଦୁର୍ନୀତିର ଅଭିଯୋଗ ଆଣିବା ହାସ୍ୟାସ୍ପଦ । ବିଜେପି ସରକାର ଅମଳରେ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟରେ ସବୁ ଶ୍ରେଣୀର ଲୋକଙ୍କ ଉପରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲଦି ଦିଆଯାଇଛି । ଆୟୁଷ୍ମାନ ଯୋଜନା ସଂପର୍କରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ  ଯେଉଁ ଦାବି କରୁଛନ୍ତି ତାହା ଭିତ୍ତିହୀନ ବୋଲି ସେ କହିଛନ୍ତି ।
ଆୟୁଷ୍ମାନ ଯୋଜନାରେ ମହିଳାମାନେ ଉପେକ୍ଷିତ ହୋଇଛନ୍ତି । କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଦେଉଥିବାବେଳେ ରାଜ୍ୟ ସରକାର ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ଚିକିତ୍ସାର ପ୍ରତିଶ୍ରୁତି ଦେଇଛନ୍ତି । ସର୍ବୋପରି ସ୍ୱାସ୍ଥ୍ୟସେବା ଏକ ରାଜ୍ୟ ପ୍ରସଙ୍ଗ ହୋଇଥିବାବେଳେ ଏଥିରେ କେନ୍ଦ୍ରର ଅଯଥା ହସ୍ତକ୍ଷେପ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ଅରୁଣ ସାହୁ ଅଭିଯୋଗ କରିଥିଲେ ।
ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଅଭିଯୋଗ କରିଥିଲେ ଯେ, ତେଲ ଦର ଏବେ ୯୦ ଟଙ୍କା ଛୁଇଁଲାଣି । ୧୨୦ର ଟାର୍ଗେଟ୍ ନେଇଥିବା ବିଜେପି ବୋଧହୁଏ ଓଡ଼ିଶାରେ ତେଲଦରକୁ ୧୨୦ରେ ପହଞ୍ଚାଇଲା ପରେ ଥୟ ଧରିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାର କେବଳ ଜୁମ୍ଲା କରୁଛନ୍ତି । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ମହାନତୀ ଓ ପୋଲାଭରମ୍ ବିବାଦରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ଦୃଶ୍ୟମାନ ହେଉଛି ।
ଓଡ଼ିଶାକୁ ଗତ ୪ ବର୍ଷରେ ୪ ଲକ୍ଷ କୋଟି ଟଙ୍କା ଦିଆଯାଇଛି ବୋଲି ଶାହଙ୍କ ଉକ୍ତି ଉପରେ ପ୍ରତିକ୍ରିୟା ରଖି ସଞ୍ଜୟ କହିଛନ୍ତି ଯେ, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ମଧ୍ୟରେ ସମାନ ଭାଗରେ ଆର୍ଥିକ ସହାୟତା ବଣ୍ଟନ କରିବା କଥା । କିନ୍ତୁ କେନ୍ଦ୍ର ସରକାର ଅନ୍ୟ ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶାକୁ ଅଣଦେଖା କରୁଛନ୍ତି ।
Share

Leave a Reply

Your email address will not be published. Required fields are marked *

16 + 5 =