ଏକକ ନିର୍ବାଚନକୁ କାହିଁକି ବିରୋଧ କରୁଛନ୍ତି ବିରୋଧୀ ?

ଭୁବନେଶ୍ବର (ନି.ପ୍ର.) ଲୋକସଭା ସହିତ ସମସ୍ତ ରାଜ୍ୟର ନିର୍ବାଚନ ହେଉନଥିବାରୁ ଦେଶର ବିଭିନ୍ନ ଅଂଶରେ ଏଥିପାଇଁ ନେତାଙ୍କ ଭାଷଣବାଜୀ ଓ ନିର୍ବାଚନ ସ୍ଲୋଗାନ ଅନିଛା ସତ୍ତ୍ବେ ଶୁଣିବାକୁ ପଡୁନାହିଁ କି? କେବଳ ସେତିକି ନୁହେଁ ନିର୍ବାଚନ ପାଇଁ କେନ୍ଦ୍ର ଓ ରାଜ୍ୟର ପ୍ରଶାସନିକ କଳ ଏହାର ପ୍ରସ୍ତୁତିରେ ଅନେକ ସମୟ ନଷ୍ଟ କରୁଛନ୍ତି । ବାରମ୍ବାର ନିର୍ବାଚନ ହେଉଥିବାରୁ ଆଚାର ସଂହିତା ନାମରେ ବିକାଶ କାମ ବାଧାପ୍ରାପ୍ତ ହେଉ ନାହିଁ କି? ଦେଶର ସୁରକ୍ଷା କର୍ମୀ ଆଇନ ଶୃଙ୍ଖଳା ଛାଡି ନିର୍ବାଚନ ପାଇଁ ବର୍ଷ ସାରା ବ୍ୟସ୍ତ ରହୁଛନ୍ତି ।

ନୀତି ଆୟୋଗଙ୍କ ଅନୁସାରେ ୨୦୦୯ ନିର୍ବାଚନରେ ନିର୍ବାଚନ କମିଶନ ପ୍ରାୟ ୧୧୧୦ କୋଟି ଓ ୨୦୧୪ ଲୋକସଭା ନିର୍ବାଚନରେ ୩୮୭୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏହାଛଡା ୨୦୧୪ ଲୋକସଭା ନିର୍ବାଚନରେ ରାଜନୈତିକ ଦଳମାନେ ପ୍ରାୟ ୩୦,୦୦୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କେତେବେଳେ ଲୋକସଭା ତ କେତେବେଳେ ବିଧାନସଭା ନିର୍ବାଚନ ଓ ସ୍ଥାନୀୟ ପୌର ନିର୍ବାଚନ ଯୋଗୁଁ ଅର୍ଥ ଓ ସମୟର ଅପଚୟ ହେଉନାହିଁ କି? ଏଭଳି ସ୍ଥିତିରେ ଯେଉଁ ପ୍ରଶ୍ନ ଉଠୁଛି ତାହା ହେଲା, ଯଦି ଦେଶରେ ଆଗାମୀ ଦିନରେ ରାଜନୈତିକ ସୁଧାର ପାଇଁ ବଡ ପଦକ୍ଷେପ ନେବାର ଆବଶ୍ୟକ ଥିବାବେଳେ ବିରୋଧିଦଳମାନେ ଏହାକୁ କାହିଁକି ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।

ଯେଉଁ ବିରୋଧି ଦଳର ନେତାମାନେ ଏକକ ନିର୍ବାଚନକୁ ନରେନ୍ଦ୍ର ମୋଦିଙ୍କ ଚାଲ ବୋଲି କହୁଛନ୍ତି, ସେମାନେ ଜାଣିବା ଉଚିତ ଏକ ଦେଶ-ଏକ ନିର୍ବାଚନ କୌଣସି ନୂଆ କଥା ନୁହେଁ । ୧୯୬୭ ପର୍ଯ୍ୟନ୍ତ ଦେଶରେ ଲୋକସଭା ଓ ବିଧାନସଭାର ନିର୍ବାଚନ ଏକା ସାଙ୍ଗରେ ହେଉଥିଲା । ପୁଣି ଥରେ ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ୧୯୮୩ରେ ନିର୍ବାଚନ କମିଶନ ପଦକ୍ଷେପ ଆରମ୍ଭ କରିଥିଲେ । ଜଷ୍ଟିସ ବି. ପି. ଜୀବନ ରେଡ୍ଡିଙ୍କ ନେତୃତ୍ବରେ ୧୯୯୯ରେ ଜାତୀୟ ଆଇନ କମିଶନ ତାଙ୍କ ରିପୋର୍ଟରେ ଏହି କଥା ଉଲ୍ଲେଖ କରିଥିଲେ । କମିଶନ ତାଙ୍କ ରିପୋର୍ଟରେ ସଫା ସଫା କହିଥିଲେ ଦେଶ ଲୋକସଭା ଓ ବିଧାନସଭାର ଏକକ ନିର୍ବାଚନ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।

ଦେଶରେ ପୁଣି ଥରେ ଲୋକସଭା ଓ ବିଧାନସଭାର ଏକକ ନିର୍ବାଚନ କରିବା ମୋଦି ସରକାରଙ୍କ ପ୍ରସ୍ତାବରେ ବିରୋଧି ଦଳ ଆଗ୍ରହୀ ନୁହଁନ୍ତି । ଲୋକସଭା ଓ ବିଧାନସଭାର ଏକକ ନିର୍ବାଚନ କରିବା ପାଇଁ ଆଇନ କମିଶନ ଚିଠା ପ୍ରସ୍ତୁତ କରିସାରିଛନ୍ତି । ଏହା ଉପରେ ଆଲୋଚନା କରିବା ପାଇଁ କମିଶନ ସମସ୍ତ ରାଜନୈତିକ ଦଳମାନଙ୍କର ବୈଠକ ଡାକିଥିଲେ । ଏଥିରେ ଏନଡିଏର ଦୁଇ ସହଯୋଗୀ ସମେତ ପାଞ୍ଚଟି ଦଳ ସମର୍ଥନ କରିଥିବାବେଳ ଅନ୍ୟମାନେ ସମସ୍ତେ ବିରୋଧ କରିଥିଲେ । ଏହା ପଦକ୍ଷେପକୁ ବିରୋଧ କରୁଥିବା ରାଜନୈତିକ ଦଳମାନେଏକ ସ୍ବରରେ ଅସାମ୍ବିଧାନିକ ବୋଲି ମତ ଦେଇଛନ୍ତି । ଏହି ଦଳମାନଙ୍କ କହିବା କଥା ଏହା ସମ୍ବିଧାନର ବିରୋଧ ଓ ଆଞ୍ଚଳିକ ଦଳମାନଙ୍କ ହିତରେ ନୁହେଁ । କେତେକ ନେତାଙ୍କ କହିବା କଥା ଏକ ଦେଶ -ଏକ ନିର୍ବାଚନ ନୀତି ଲାଗୁ କରିବାକୁ ହେଲେ କେତେ ରାଜ୍ୟ ସରକାରଙ୍କ ସମୟ ସୀମା କମାଇବାକୁ ପଡିବ ତ ଆଉ କେତେକଙ୍କ ବଢାଇବାକୁ ପଡିପାରେ । ଏକକ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଇଭିଏମ ଓ ଭିଭିପାଟ ମେସିନ କେଉଁଠୁ ଆଣିବେ ବୋଲି ପ୍ରଶ୍ନ ଉଠାଇଥିଲେ ।

ବିରୋଧ କରିବା ନାମରେ ବିରୋଧ ରାଜନୀତି ଭାରତରେ କିଛି ନୂଆ କଥା ନୁହେଁ । ଦେଶରେ ଯଦି କୌଣସି ସରକାର ଗଠନମୂଳକ ପରିବର୍ତ୍ତନ ପାଇଁ ପଦକ୍ଷେପ ଆରମ୍ଭ କରେ ଓ ଏହା ବିରୋଧି କିମ୍ବା ସହଯୋଗୀ ଦଳର ମନ ମୁତାବିକ ନ ହୁଏ ତେବେ ସେମାନେ ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିବେ ତ ଅନ୍ୟମାନେ ରାଜ୍ୟଗୁଡିକର ସ୍ବାତନ୍ତ୍ରତା ଓ ସଂଘୀୟ ଢାଞ୍ଚା ସହିତ ଅନ୍ୟାୟ ବୋଲି କହି ବିରୋଧ ଆରମ୍ଭ କରିବେ । ଆଉ କେତେକ ଆଞ୍ଚଳିକ ଦଳ ଗୁଡିକର ଚିନ୍ତା ହେଉଛି ଏକା ସାଙ୍ଗରେ ନିର୍ବାଚନ କରାଗଲେ ଭୋଟରମାନେ ରାଷ୍ଟ୍ରୀୟ ପ୍ରସଙ୍ଗରେ ଭୋଟ ଦେବେ । ଏହାର କୁପରିଣାମ ଆଞ୍ଚଳିକ ଦଳମାନଙ୍କୁ ଭୋଗିବାକୁ ପଡିବ । ଏକକ ନିର୍ବାଚନ କରାଗଲେ ବିରୋଧି ଦଳର ଆଶଙ୍କା ହେଉଛି, ସେମାନଙ୍କର ଏକତା ବିପଦରେ ପଡିଯିବ ଓ ରାଜ୍ୟ ନିର୍ବାଚନରେ ସେମାନେ କ୍ଷମତାକୁ ଫେରିବା କଷ୍ଟକର ହୋଇପଡିବ । ନୀତି ଆୟୋଗଙ୍କ କହିବା କଥା ହେଉଛି ୨୦୨୪ରେ ଲୋକସଭା ସହିତ ବିଧାନସଭାର ନିର୍ବାଚନ ଏକ ସଙ୍ଗରେ କରାଗଲେ ଦେଶର ହିତ ସାଧନ ହୋଇପାରିବ । ଏହି ନିର୍ବାଚନ ସହିତ ସ୍ଥାନୀୟ ପୌର ନିର୍ବାଚନ କରିବା ପ୍ରସ୍ତାବ ରହିଛି ।

ଏକକ ନିର୍ବାଚନ ମାମଲାରେ ଉତ୍ତରପ୍ରଦେଶ ଫର୍ମୁଲା ମଧ୍ୟ ସମାନାକୁ ଆସିଛି । ଏହା ସହିତ ୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ୨୦ଟି ରାଜ୍ୟର ବିଧାନସଭା ନିର୍ବଚେନ କରିବାକୁ ଆଲୋଚନା କରାଯାଇଛି । ଏହି ୨୦ଟି ରାଜ୍ୟ ମଧ୍ୟରୁ ୧୦ଟି ରାଜ୍ୟର କାର୍ଯ୍ୟକାଳ ୨୦୧୯ରେ ସରିବାକୁ ଯାଉଛି । ବାକି ୧୦ଟି ରାଜ୍ୟର କାର୍ଯ୍ୟକାଳ ସମୟ ପୂର୍ବରୁ ସମାପ୍ତ କରିବାକୁ ପଡିବ । ଏଥିପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ସବୁ ଦଳର ସହମତି ବିନା ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇପାରିବ ନାହିଁ । ଏହି ଫର୍ମୁଲା ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହଙ୍କ ଏକ କମିଟି ଗଠନ କରାଯାଇଛି । ଏହି କମିଟିର ସୁପାରିଶକୁ ସବୁ ଦଳ ମାନି ନିଅନ୍ତି ତେବେ ୨୦୧୪ରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ସମ୍ଭବ ହୋଇପାରିବ ।

ନିର୍ବାଚନ କମିଶନ ଏକକ ନିର୍ବାଚନ ପାଇଁ ସାମ୍ବିଧାନିକ ଓ ଆଇନକୁ ଦୃଷ୍ଟିରେ ରଖି ଚିଠା ପ୍ରସ୍ତୁତ କରାଯାଇଛି । କମିଶନ ଏହି ଚିଠାକୁ ସରକାରଙ୍କୁ ଦେବା ପୂର୍ବରୁ ପ୍ରଥମେ ରାଜନୈତିକ ଦଳ, ସମ୍ବିଧାନ ବିଶେଷଜ୍ଞ, ସରକାରୀ ଅଫିସର, ଶିକ୍ଷାବିତ ଓ ଅନ୍ୟ ଲୋକମାନଙ୍କର ମତାମତ ଲୋଡିଛନ୍ତି ।  ବର୍ତ୍ତମାନର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏକକ ନିର୍ବାଚନ ପ୍ରକ୍ରିୟା ଏତେ ସହଜ ନୁହେଁ । ଏହି ଦିଗରେ କୌଣସି ପଦକ୍ଷେପ ନେବା ପାଇଁ ସମ୍ବିଧାନର ଅନେକ ପରିବର୍ତ୍ତନ କରିବାକୁ ପଡିବ । ଏହା ସ୍ଥିର କରିବାକୁ ପଡିବ, ଯଦି କୌଣସି ରାଜ୍ୟର ଆଇନ କାନୁନ ବିଗିଡିଯାଏ ତେବେ କେନ୍ଦ୍ର ସରକାର ସେହି ରାଜ୍ୟ ସରକାରଙ୍କୁ କ’ଣ ବରଖାସ୍ତ କରିପାରିବ? ଯଦି ବରଖାସ୍ତ କରାଯାଏ ତେବେ ସେହି ରାଜ୍ୟରେ ନିର୍ବାଚନ କେବେ ହେବ? ନିର୍ବାଚନ ହେଲେ ସେହି ବିଧାନସଭାର କାର୍ଯ୍ୟକାଳ କେତେ ଦିନ ରହିବ?

ଯଦି କେନ୍ଦ୍ରରେ ମେଣ୍ଟ ସରକାର ଗଠନ ହୁଏ ଓ କିଛି ଦିନ ପରେ ବହୁମତ ହରାଏ ତେବେ କ’ଣ କେନ୍ଦ୍ର ସହିତ ସବୁ ରାଜ୍ୟର ନିର୍ବାଚନ ହେବ? ଏଭଳି ଗୋଟିଏ ନୁହେଁ, ଅନେକ ପ୍ରଶ୍ନ ଉଠୁଛି; ଯାହାର ଉତ୍ତର ଖୋଜିବା ବିନା ଏକକ ନିର୍ବାଚନ ଚିନ୍ତାଧାରାକୁ ଲାଗୁ କରାଯାଇପାରିବ ନାହିଁ । କିନ୍ତୁ ଭାରତୀୟ ରାଜନୀତିରେ କୌଣସି ସକରାତ୍ମକ ପଦକ୍ଷେପକୁ ରାଜନୈତିକ ଚାଲ କହି ଏହାକୁ ବିରୋଧ କରିଯାଇପାରିବ ନାହିଁ । ତେଣୁ ଦେଶର ସବୁ ରାଜନୈତିକ ଦଳମାନେ ଏହି ପ୍ରସଙ୍ଗରେ ଦଳଗତ ରାଜନୀତିରୁ ଉପରକୁ ଉଠି ବିଚାର କରିବା ଆବଶ୍ୟକ ।

Share

Leave a Reply

Your email address will not be published. Required fields are marked *

16 + 7 =