ବର୍ଷକୁ ୩.୫ଟି ସିଲିଣ୍ଡର ବ୍ୟବହାର କରନ୍ତି ଉଜ୍ବଳା ହିତାଧିକାରୀ

୮୦% ହିତାଧିକାରୀ ବର୍ଷକ ପରେ ୨ୟ ସିଲିଣ୍ଡର ଭର୍ତ୍ତି କରୁଛନ୍ତି

ଭୁବନେଶ୍ବର (): ଗତମାସ ୩ତାରିଖରେ ଲୋକସଭା ଅଧ୍ୟକ୍ଷା ସୁମିତ୍ରା ମହାଜନ ପାଞ୍ଚକୋଟିତମ ଉଜ୍ବଳାଗ୍ୟାସ ହିତାଧିକାରୀଙ୍କୁ ଗ୍ୟାସ ବିତରଣ କରିଥିଲେ। ଏହା ସହିତ ମୋଦି ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନା ପାଇଁ ସ୍ଥିର କରାଯାଇଥିବା ଲକ୍ଷ୍ୟକୁ ଆଠ ମାସ ପୂର୍ବରୁ ହାସଲ କରାଯାଇଛି। ଏବେ ଏହି ଲକ୍ଷ୍ୟକୁ ୨୦୨୦ ପର୍ଯ୍ୟନ୍ତ ଆଠ କୋଟିକୁ ବୃଦ୍ଧି କରାଯାଇଛି।

ଉଜ୍ବଳା ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଗରିବ ମହିଳାମାନଙ୍କ ମଧ୍ୟରେ ନିଜର ଭୋଟ ରାଜନୀତିକୁ ସୁଦୃଢ କରିବା ପାଇଁ ଚେଷ୍ଠା ଚଳାଇଛନ୍ତି। ଏହାର ପ୍ରମାଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରୁ ମିଳିସାରିଛି। ଉଜ୍ବଳା ଯୋଜନା ହିତାଧିକାରୀମାନେ ବିଜେପିକୁ ସମର୍ଥନ କରିଥିବା ସ୍ବୀକାର କରିଛନ୍ତି।

ଉଜ୍ବଳା ଯୋଜନାରେ ଗରିବ ପରିବାରକୁ ମାଗଣାରେ ରୋଷେଇ ଗ୍ୟାସ ସଂଯୋଗ ଦିଆଯାଇଛି। ସାଧାରଣ ଗ୍ରାହକମାନଙ୍କୁ ଯେଉଁ ଗ୍ୟାସ ସବସିଡ ଦିଆଯାଉଛି, ଉଜ୍ବଳା ଯୋଜନା ହିତାଧିକାରୀମାନଙ୍କୁ ୬ଟି ସିଲିଣ୍ଡର ରିଫିଲ କରିବା ପର୍ଯ୍ୟନ୍ତ ମିଳିନଥାଏ। ଅନୁଶୀଳନ କରିବା ପରେ ଜଣାପଡୁଛି ଯେ, ଉଜ୍ବଳା ଯୋଜନା ହିତାଧିକାରୀମାନେ ଗ୍ୟାସ ସବସିଡ ହରାଇ କମ୍ପାନୀକୁ ୧୬୦୦ଟଙ୍କା ପରୋକ୍ଷରେ ଦେଉଛନ୍ତି। ଏହି ଯୋଜନାର ସବୁଠାରୁ ବଡ ଦୁର୍ବଳତା ଭାବେ ସମ୍ନାକୁ ଆସିଛି।

ଉଜ୍ବଳା ଯୋଜନା ଖୋର୍ଦ୍ଧା ଜିଲ୍ଲାର ଜଣେ ହିତାଧିକାରୀଙ୍କ କହିବା ଅନୁସାରେ, ଗତ ଜାନୁଆରୀ ମାସରେ ସେମାନେ ଯେଉଁ ଗ୍ୟାସ କନେକ୍ସନ ପାଇଛନ୍ତି ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ସିଲିଣ୍ଡର ବ୍ୟବହାର କରିଛନ୍ତି। ୨ୟ ସିଲିଣ୍ଡର ଏବେ ଚାଲୁଛି। ଅର୍ଥାତ୍ ୭ମାସ ମଧ୍ୟରେ ସେମାନେ ମାତ୍ର ୨ଟି ସିଲିଣ୍ଡରର ଗ୍ୟାସ ବ୍ୟବହାର କରିଛନ୍ତି। ଏହାର କାରଣ ପଚାରିବାରୁ ସେମାନେ କୁହନ୍ତି, ସେମାନଙ୍କ ଆୟ ଯାହା ହେଉଛି ତାକୁ ୨ମାସ ସଞ୍ଚୟ କଲେ ଗ୍ୟାସ ସିଲିଣ୍ଡର ଭର୍ତ୍ତି କରିହେବ। ଏବେ ସେମାନେ ଉଜ୍ବଳା ଯୋଜନାର ସିଲିଣ୍ଡର ଭର୍ତ୍ତି କରିବେ ନା ଘର ଚଳାଇବେ ସେହି ଚିନ୍ତାରେ ଅଛନ୍ତି।

ଗୋଟି ସିଲିଣ୍ଡର କିପରି ଏତେ ଦିନ ଜଳାଉଛନ୍ତି ବୋଲି ପ୍ରଶ୍ନ କରାଯିବାରୁ ସେମାନେ କହିଛନ୍ତି, କାଠ ଚୂଲାରେ ରୋଷେଇ କରୁଛନ୍ତି। ଯଦି କେବେ ଘରକୁ ଅତିଥି ଆସନ୍ତି ତେବେ ସେମାନେ ଚା’ ତିଆରି କରନ୍ତି କିମ୍ବା ଅଳ୍ପ ରୋଷେଇ କରିଥାନ୍ତି। କାଠରେ ରୋଷେଇ କରିବା ପାଇଁ ବର୍ଷ ସାରା ସେମାନଙ୍କୁ ମାଗଣାରେ କାଠ ମିଳିଯାଇଥାଏ। ତେଣୁ ଏଭଳି ସ୍ଥିତିରେ ଅଳ୍ପ ରୋଜଗାର କରୁଥିବା ଲୋକମାନେ କାହିଁକି ୯୦୦ଟଙ୍କା ଦେଇ ସିଲିଣ୍ଡର ଭରିବେ ବୋଲି ଓଲଟି ପ୍ରଶ୍ନ କରୁଛନ୍ତି। ଦେଶର ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ଅନେକ ଗ୍ୟାସରେ ରୋଷେଇ କରନ୍ତି ନାହିଁ। କାରଣ ରୋଷେଇ ପାଇଁ କାଠ ମାଗଣାରେ ମିଳୁଥିବାବେଳେ ଗ୍ୟାସ ପାଇଁ ପଇସା ଦେବାକୁ ପଡୁଛି।

ଅପରପକ୍ଷରେ ସରକାରୀ ପରାମର୍ଶଦାତା ନୀତି ଆଯୋଗ କହିବା ଅନୁସାରେ ଦେଶର ମାତ୍ର ୨୮.୬ ପ୍ରତିଶତ ପରିବାର ରୋଷେଇ କରିବା ପାଇଁ ଗ୍ୟାସ ବ୍ୟବହାର କରିଥାନ୍ତି। ୪୯ ପ୍ରତିଶତ ପରିବାର କାଠରେ ରୋଷେଇ କରିଥାନ୍ତି। ୯ ପ୍ରତିଶତ ପରିବାର ଫସଲରୁ ଉପୁଜୁଥିବା ଅଂଶକୁ ଜାଳେଣୀ ଭାବେ ବ୍ୟବହାର କରିଥାନ୍ତି। ୮ ପ୍ରତିଶତ ପରିବାର ଏଣୁ ତେଣୁ ସାମଗ୍ରୀରେ ରୋଷେଇ କରୁଥିବାବେଳେ ମାତ୍ର ୩ପ୍ରତିଶତ ପରିବାର ରୋଷେଇରେ କିରାସିନ ବ୍ୟବହାର କରିଥାନ୍ତି।

ଉଜ୍ବଳା ଯୋଜନା ହିତାଧିକାରୀଙ୍କ ଆଉ ଏକ ସମସ୍ୟ ହେଉଛି, ଗ୍ରାମାଞ୍ଚଳରେ ରହୁଥିବା ପରିବାର ଆକାରରେ ବହୁତ ବଡ। ସେମାନଙ୍କ ପାଇଁ ଗ୍ୟାସରେ ରୋଷେଇ କରିବା ଖର୍ଚ୍ଚ ସାଧ୍ୟ ହୋଇଥାଏ। ସେମାନେ ବଡ ହାଣ୍ଡିରେ ରୋଷେଇ କରୁଥିବାବେଳେ ସେମାନଙ୍କୁ ମିଳିଥିବା ଚୁଲା ଆକାରରେ ବହୁତ ସାନ। ଏପରି କ୍ଷେତ୍ରରେ ସେମାନେ ରୋଷେଇ ପାଇଁ ଗ୍ୟସ ବ୍ୟବହାର କଲେ ଗୋଟିଏ ସିଲିଣ୍ଡର ମାତ୍ର ୧୫ ଦିନରେ ଶେଷ ହୋଇଯିବ। ଏପରି କ୍ଷେତ୍ରରେ ବାରମ୍ବାର ସିଲିଣ୍ଡର ଭରିବା ପାଇଁ ସେମାନେ ପାଖରେ ଆବଶ୍ୟକ ଅର୍ଥ ନଥାଏ। ତେଣୁ ସେମାନେ ରୋଷେଇ ପାଇ କାଠର ବ୍ୟବହାର କରିଥାନ୍ତି।

ଅଗଷ୍ଟ ୧ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଉଜ୍ବଳା ଯୋଜନାର ହିତାଧିକାରୀମାନେ ବର୍ଷକୁ ୩.୫ଟି ସିଲିଣ୍ଡରର ଗ୍ୟାସ ବ୍ୟବହାର କରୁଛନ୍ତି। ୮୦ ପ୍ରତିଶତ ହିତାଧିକାରୀ ବର୍ଷକ ପରେ ୨ୟ ସିଲିଣ୍ଡର ଭର୍ତ୍ତି କରିବା ପାଇଁ ଏଜେନ୍ସିରେ ପହଞ୍ଚୁଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ ଯୋଜନାର ବିଫଳତାକୁ ଉଜାଗର କରୁଛି।

ମିଳିଥିବା ସୂଚନା ଅନୁସାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ ଉଜ୍ବଳା ଯୋଜନାର ୧,୦୭,୦୮୯ ଜଣ ହିତାଧିକାରୀଙ୍କ ଗ୍ୟାସ କନେକ୍ସନ ରଦ୍ଦ କରିଦେଇଛି। ଅପରପକ୍ଷରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିଃ କହିଛି ଉଜ୍ବଳା ଯୋଜନାର ହିତାଧିକାରୀଙ୍କ କନେକ୍ସନ ବନ୍ଦ କରିବାର କୌଣସି ବ୍ୟବସ୍ଥା ନାହିଁ।

ଦେଶରେ ୫କୋଟି ବିପିଏଲ ପରିବାରକୁ ଉଜ୍ବଳା ଯୋଜନାରେ ଗ୍ୟାସ କନେକ୍ସନ ମହିଳାଙ୍କ ନାମରେ ଦିଆଯାଇଥିଲେ ହେଁ କୌଣସି ହିତାଧିକାରୀଙ୍କୁ ଏହାର ସୁଫଳ ମିଳିପାରିନାହିଁ। କାରଣ ଗରିବ ପରିବାରକୁ ଉଜ୍ବଳା ଯୋଜନାରେ ଗ୍ୟାସ କନେକ୍ସନ ଦିଆଯାଇଥିଲେ ହେଁ ମହିଳାମାନଙ୍କୁ ରୋଷେଇ ଧୂଆଁରୁ ମୁକ୍ତି ମିଳିପାରିନାହିଁ। ତେଣୁ ସରକାର ଉଜ୍ବଳା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବଢାଇବା ପରିବର୍ତେ ଯେଉଁମାନଙ୍କୁ ଗ୍ୟାସ କନେକ୍ସନ ମିଳିଛି ସେମାନେ କିପରି ଏହାର ସଦୁପଯୋଗ କରିପାରିବେ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ।

Share

Leave a Reply

Your email address will not be published. Required fields are marked *

9 + fourteen =