କୁଆଡେ ଗଲେ ଦୁଇ କେନ୍ଦ୍ରମନ୍ତ୍ରୀ ?

ଭୁବନେଶ୍ବର () ତିତଲି ଓ ପରବର୍ତ୍ତି ବନ୍ୟା ପରିସ୍ଥିତିରେ କେଉଁଠୁ କେତେ ମୃତ୍ୟୁବରଣ କଲେ ତାକୁ ନେଇ ଦୁଇ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜନୀତି କରୁଛନ୍ତି । ଏଭଳି ରାଜନୀତି ଦେଖିଲେ ଲାଗୁଛି ସତେ ଯେମିତି ସାଧାରଣ ଲୋକଙ୍କ ଶବ ଉପରେ ରାଜନୀତି କରିବାକୁ ବି ପଛାଉନାହାଁନ୍ତି ବିରୋଧୀ । ବାତ୍ୟା ଓ ବନ୍ୟା ସମୟରେ ସାଧାରଣ ଲୋକଙ୍କ ସୁଖ, ଦୁଃଖ କିମ୍ବା ସୁବିଧା ଅସୁବିଧାରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ଛିଡା ହେବା କଥା । ରାଜନୀତି ପାଇଁ ସୁଯୋଗ ରହିଛି । କିନ୍ତୁ ଓଡିଶାରେ ଏବେ ବିରୋଧୀ ଦଳଗୁଡିକର ଆଭିମୁଖ୍ୟକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି କିଛି ବିଜେଡି ନେତା ଆକ୍ଷେପ କରିଛନ୍ତି ।

ନିକଟରେ କେରଳ ଓ ମୁମ୍ବାଇରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିଲା । ଶହ ଶହ ଲୋକ ମୃତ୍ୟୁ ବରଣ କଲେ । ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେଲେ । ପ୍ରାକୃତିକ ବିପର୍ଯ୍ୟୟ ଉପରେ କାହାର ହାତ ନାହିଁ । କୌଣସି ସରକାର ପ୍ରକୃତି ସହ ଲଢି ବିପର୍ଯ୍ୟୟକୁ ଅଟକାଇ ପାରିବ ନାହିଁ । କିନ୍ତୁ ବିପର୍ଯ୍ୟୟ ପରେ ଲୋକଙ୍କୁ ରିଲିଫ, ଉଦ୍ଧାର କାର୍ଯ୍ୟ, ପୁର୍ନବସତି ଏବଂ ଥଇଥାନକୁ ସରକାର ଓ ପ୍ରଶାସନ ଗୁରୁତ୍ବ ଦେଉଛନ୍ତି କି ନାହିଁ ତାହା ଦେଖିବାର କଥା । ବର୍ତ୍ତମାନ ସ୍ଥିତିରେ ସରକାର ଯେଉଁଢଙ୍ଗରେ କାମ କରୁଛନ୍ତି ଏବଂ ଯେଉଁ କ୍ଷିପ୍ରତାର ସହ ପୁର୍ନଗଠନ କାମ ଚାଲିଛି, ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ବିଜେଡି ଦାବି କରିଛି ।

ମୁଖ୍ୟ ବିରୋଧୀ କଂଗ୍ରେସ ବୋଧହୁଏ 1999 ମହାବାତ୍ୟା ପରର ସ୍ଥିତିକୁ ଭୁଲିଯାଉଛି । ମହାବାତ୍ୟା ପରର ସ୍ଥିତି ସମ୍ଭାଳିବାରେ ସରକାର ବିଫଳ ହେବାରୁ ଓଡିଶାବାସୀ କଂଗ୍ରେସ ଉପରେ ଆସ୍ଥା ହରାଇଛନ୍ତି ଯେ, ସେ ଦଳ ଆଉ ସରକାରକୁ ଫେରିପାରୁନି । ସେହିଭଳି ରାଜ୍ୟ ବିଜେପି ମଧ୍ୟ ନିଜର ପୂର୍ବ ଇତିହାସକୁ ଭୁଲିଯାଇଛି । କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ନେଇ ଯେଉଁଭଳି ଭାବେ ଧର୍ମାନ୍ତରିକରଣର ନିଆଁ ଲଗିଲା, ସେଥିରେ କେଉଁ ରାଜନୈତିକ ଦଳର ହାତ ଥିଲା ତାହା କାହାକୁ ଅଛପା ନୁହେଁ । କନ୍ଧମାଳବାସୀ ବି ଏକଥାକୁ ଭୁଲିନାହାଁନ୍ତି । ଗଂଜାମ, ଗଜପତି, ରାୟଗଡାରେ ତ ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଛି । କନ୍ଧମାଳରେ ମନୁଷ୍ୟକୃତ ବିପର୍ଯ୍ୟୟ ଲୋକଙ୍କୁ ନିଜ ଭିଟାମାଟି ଛାଡି ଜିଲ୍ଲା ବାହାରେ ଆଶ୍ରୟ ନେବାକୁ ପଡିଲା । ଏବେ ବି ଜିଲ୍ଲା ଛାଡିଥିବା ଲୋକେ ନିଜ ଗାଁକୁ ଫେରିନାହାଁନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଆଉ ଯେଉଁ ଦଳର ତୁଙ୍ଗ ନେତାମାନେ ଫେସବୁକ କିମ୍ବା ଟ୍ବିଟରରେ ଭାଷଣବାଜୀ କରି ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଅଙ୍ଗୁଳି ଉଠାଉଛନ୍ତି, ସେହି ଦଳର ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କୁଆଡେ ଗଲେ । ଦିଲ୍ଲୀରେ କିମ୍ବା ଭୁବନେଶ୍ବରରେ ବନ୍ୟା ବିପନ୍ନ ଅଂଚଳ କଥା ବଖାଣୁଛନ୍ତି । କିନ୍ତୁ ଥରୁଟିଏ ବି ଦକ୍ଷିଣ ଓଡିଶାର ଏହି ତିନୋଟି ସର୍ବାଧିକ କ୍ଷତିଗ୍ରସ୍ତ ଅଂଚଳକୁ ଗସ୍ତ କରିନାହାଁନ୍ତି । ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ହେଲେ କେନ୍ଦ୍ରମନ୍ତ୍ରୀ ଓଡିଶା ଆସି ସ୍ଥିତି ପରଖୁଥିଲେ । ଏଥର କିଏ କେନ୍ଦ୍ରମନ୍ତ୍ରୀମାନଙ୍କୁ ପ୍ରଭାବିତ ଅଂଚଳ ଗସ୍ତ କରିବାରେ ବାଧ ଦେଇଛି ବୋଲି ବିଜେଡି ପ୍ରଶ୍ନ କରିଛି ।

Share

Leave a Reply

Your email address will not be published. Required fields are marked *

one × 1 =