ମୋଦି ସରକାର ହିନ୍ଦୁ ବିରୋଧୀ : ତୋଗାଡିଆ 

ଭୁବନେଶ୍ୱର : ହିନ୍ଦୁ ବିରୋଧୀ ଓ ପଳାୟନପନ୍ଥୀ ନୀତି ଯୋଗୁ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧକ୍ଷ ପ୍ରବୀଣ ଭାଇ ତୋଗାଡିଆ । ଦୀର୍ଘ ବର୍ଷ ଧରି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବାକୁ ଦାବି କରିଆସୁଥିବା ଆରଏସ ଏସ ଓ ବିଜେପି ସରକାରରେ ଥାଇ ମଧ୍ୟ ଏହାକୁ ପୂରଣ କରିବାକୁ ଚେଷ୍ଟା କରିନାହାନ୍ତି । ଯାହାକୁ କି ସରକାର ସଂସଦରେ ଆଇନ ଆଣି କିମ୍ବା ଅର୍ଡିନାନ୍ସ ଜାରିକରି କରିପାରିବେ ବୋଲି ସେ କହିଛନ୍ତି ।
କିନ୍ତୁ ଚୌକି ଲୋଭରେ ନିଜ ଗାଦି  ସମ୍ଭାଳିବାକୁ ଯାଇ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ତେଣୁ ସେ ବିଶ୍ୱ ହିନ୍ଦୁ ପରିଷଦରେ ଥିବା ବେଳେ ସଂସଦରେ ଆଇନ ଆଣି ରାମମନ୍ଦିର ନିର୍ମାଣ କରିବାକୁ ବାରମ୍ବାର ଦାବି କରିବାରୁ ମୋଦି ସରକାର ତାଙ୍କୁ ସେଠାରୁ ଚାପ ପକାଇ  ହଟାଇ ଦେଲେ । ହେଲେ ଏହାଦ୍ୱାରା ସେ ଚୁପ ହୋଇ ବସିବେ ନାହିଁ ବୋଲି ରୋକ ଠୋକ କହିଛନ୍ତି ତୋଗାଡିଆ । ସେ ସରକାରଙ୍କୁ ଚେତାଇ ଦେଇ କହିଛନ୍ତି ଆସନ୍ତା ୨୧ ତାରିଖରୁ ଲକ୍ଷ୍ନୋ ଠାରୁ ଅଯୋଧ୍ୟା ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି । ତାହା ପୂର୍ବରୁ ସରକାର ଯଦି ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କୌଣସି ନିଷ୍ପତି ଗ୍ରହଣ ନ କରନ୍ତି ତେବେ ଅଯୋଧ୍ୟାରେ ଏଥିପାଇଁ ଆକ୍ସନ ପ୍ଲାନ ପ୍ରକାଶ କରାଯିବ । ଦରକାର ପଡିଲେ ନିର୍ବାଚନ ମଇଦାନକୁ ଓଲ୍ଲହାଇବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି ।
ସରକାରକୁ ଆସିବା ପୂର୍ବରୁ ଜନତାଙ୍କୁ ରାମ ମନ୍ଦିର, ରାମ ରାଜ୍ୟ, ଶସ୍ତା ଶିକ୍ଷା, ବେରୋଜଗାର ଯୁବକଙ୍କୁ ରୋଜଗାର ପ୍ରଦାନ ଓ କରମୁକ୍ତ କିଷାନର ନାରା  ଦେଇ ଶାସନକୁ  ଆସିଥିବା ମୋଦି ସରକାର ଏଥିରୁ ପଳାୟନ ପଳାୟନ କରିଛି । କ୍ଷମତାକୁ ହାତମୁଠାରେ ରଖିବା ପାଇଁ ଅଯୋଧ୍ୟା ଯାଉଥିବା ମୋଦି ମନ୍ଦିର ନ ଯାଇ ମସଜିଦ ପଳାଉଛନ୍ତି । ହିନ୍ଦୁଙ୍କ ସୁରକ୍ଷା କଥା କହିଥିବା ଲୋକ ମୁସଲମାନ ସ୍ୱାମୀଙ୍କ ସ୍ତ୍ରୀମାନଙ୍କ ସ୍ୱାର୍ଥ ପାଇଁ ଓକିଲାତି କରୁଛନ୍ତି । ହେଲେ କାଶ୍ମୀରରେ ହିନ୍ଦୁ ମରୁଛନ୍ତି, ସୀମାରେ ସୈନିକ ମରୁଛନ୍ତି, କୃଷକ ଋଣଭାରରେ ଆତ୍ମହତ୍ୟା କରୁଥିବା ବେଳେ ଏସବୁକୁ ନଜର ପଡୁନାହିଁ । ପରନ୍ତୁ ଜିଏସଟି ଓ ନୋଟ ବନ୍ଦୀ  କରି ହଜାର ହଜାର କ୍ଷ୍ୟୁଦ୍ର ବ୍ୟବସାୟୀଙ୍କୁ ହଟହଟା କଲେ, ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ଦେବାକୁ କହି ବେରୋଜଗାର କରିଦେଲେ ଯାହାପାଇଁ ଦାୟୀ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବୋଲି ତୋଗାଡିଆ କହିଛନ୍ତି । କେବଳ ଏତିକି ନୁହଁ ସରକାର ଲୋକଙ୍କୁ ଲୁଟୁଥିବା କହିଛନ୍ତି ତୋଗାଡିଆ । ଯେଉଁଠି ୩୦ ଟଙ୍କାରେ ତେଲ କିଣି ସରକାର ୯୦ ଟଙ୍କାରେ ବିକନ୍ତି ତାହା ଲୁଟ ଅଟେ । ଆଉ ଯେଉଁଠି ସରକାର ଲୁଟିବା ଆରମ୍ଭ କରେ ସେଠାରେ ଅର୍ଥତନ୍ତ୍ର ଡୁବିଯାଏ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ ଯେ ପ୍ରବୀଣ ଭାଇ ତୋଗାଡିଆ ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ପ୍ରାନ୍ତୀୟ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ । ଏହା ସହିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ଜୋର ଦେଇଥିଲେ । ଯଦି ମୋଦି ସରକାର ଏଥର  ଏହା ନ କରନ୍ତି ତେବେ ଆସନ୍ତା ଥରକୁ ଦେଶରେ ହିନ୍ଦୁ ସରକାର ଆସିବ ଯିଏ କି ରାମ ମନ୍ଦିର ସହିତ ରାମରାଜ୍ୟ ଦେବ ବୋଲି ସେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

seven − 1 =