ଆଜି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦

କୋଲକାତା: ବଡ଼ ବିଜୟ ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନ୍ୟୁଜିଲାଣ୍ଡକୁ କ୍ଲିନ୍ ସୁଇପ୍ କରି ସିରିଜ୍ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ ସମ୍ମାନ ରକ୍ଷା ଲାଗି ଶେଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ପ୍ରଥମ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିବେ।

ପ୍ରଥମ ଦୁଇ ମୁକାବିଲା ଜିତିବା ପରେ ଭାରତ ଅବଶ୍ୟ ଶୃଙ୍ଖଳା ଜିତି ସାରିଛି। ସେଥିପାଇଁ କିଛି ସଂରକ୍ଷିତ ଖେଳାଳିଙ୍କୁ ଖେଳାଇବାର ବିକଳ୍ପ ଭାରତ ପାଖରେ ଖୋଲା ରହିବ। ତେବେ ରାହୁଲ-ରୋହିତ ଯୋଡ଼ି ଦଳର ସନ୍ତୁଳନକୁ ଭାଙ୍ଗି ଏଥିରେ ବଡ଼ ଧରଣର ଅଦଳ ବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ। ତଥାପି ଦୀପକ ଚହର ଓ କିମ୍ବା ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଖେଳାଇବାର ସାହସ ଉଭୟ ଦେଖାଇପାରନ୍ତି। ସେହିଭଳି ରବିଚନ୍ଦ୍ରନ ଅଶ୍ବିନ କିମ୍ବା ଅକ୍ଷର ପଟେଲଙ୍କ ବଦଳରେ ୟୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।

ଋତୁରାଜ ଗାଏକ୍ବାଡଙ୍କୁ ବି ସୁଯୋଗ ମିଳିପାରେ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଆରମ୍ଭ ହେବା ପରଠାରୁ ଲଗାତାର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଆସୁଥିବା ଋଷଭ ପନ୍ତଙ୍କ ସ୍ଥାନରେ ଈଶାନ କିଶନଙ୍କୁ ମଧ୍ୟ ଖେଳାଯାଇପାରେ। ତେବେ ଏହିସବୁ ନିଷ୍ପତ୍ତି ଇଡେନ୍ ଗାର୍ଡେନ୍ସର ପିଚ୍ ଓ ପରିବେଶ ଉପରେ ନିର୍ଭରଶୀଳ ରହିବ। ଜୟପୁରରେ ଯୁବ ବୋଲର ହର୍ଷଲ ପଟେଲ ପଦାର୍ପଣରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ଦଳୀୟ ପରିଚାଳକ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିପାରନ୍ତି। ନ୍ୟୁଜିଲାଣ୍ଡ ତାର ସଂଘର୍ଷରତ ମଧ୍ୟକ୍ରମରେ କିଛିଟା ଅଦଳ ବଦଳ କରିପାରେ।

Share

Leave a Reply

Your email address will not be published. Required fields are marked *

seven + 10 =