ଭକୁଆ ହେବେ ତଡା ଖାଇଥିବା ନେତା

ଭୁବନେଶ୍ୱର : ଦ୍ରୁତ ଗତିରେ ବଦଳୁଥିବା ରାଜ୍ୟ ରାଜନୈତିକ ପାଣିପାଗରେ ଏବେ ଦଳଛଡାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନଙ୍କ ଭିତରୁ ଅଧିକାଂଶ ଭେଟେରାନ ହୋଇଥିବାରୁ ତାଙ୍କର ଗତିବିଧି ଉପରେ ଏବେ ସମସ୍ତଙ୍କ ନଜର । ଆଉ କିଛିଦିନ ମଧ୍ୟରେ ଯଦି ଏମାନେ କୌଣସି କୂଳରେ ନଲାଗିବେ ତେବେ ଧାଡିରେ ଥିବା ଏହି ନେତାମାନେ ଅଗାଡି ହୋଇଯିବେ ବୋଲି ଏବେ ଆଲୋଚନା ଚାଲିଛି ।

ଏହି ନେତାମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ବିଜେଡିରୁ ବିଦା ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଶ୍ରୀ ପଣ୍ଡା ବିଜେଡିରୁ ବିଦା ହେବାପରେ ସଂସଦରୁ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ସେ କୌଣସି ଦଳରେ ଯୋଗ ଦେଇନାହାନ୍ତି କି ତାଙ୍କର ଭବିଷ୍ୟତ ରାଜନୈତିକ କାର୍ଯ୍ୟନେଇ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି । ନିର୍ବାଚନ ଯେତେ ପାଖେଇ ଆସୁଛି ଶ୍ରୀ ପଣ୍ଡାଙ୍କ ରାଜନୈତିକ ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଉଛି । ଶ୍ରୀ ପଣ୍ଡାଙ୍କ ଭଳି ଆଉଜଣେ ଭେଟେରାନ ନେତା ହେଉଛନ୍ତି ଡାକ୍ତର ଦାମୋଦର ରାଉତ । ଶ୍ରୀ ରାଉତ ବି ବିଜେଡିରୁ ବିଦା ହୋଇଛନ୍ତି । ଦଳରୁ ବିଦା ହେବାପରେ ପ୍ରଥମେ ତୁମ୍ବିତୋଫାନ କରୁଥିବା ଡାକ୍ତର ରାଉତ ଧିରେ ଧିରେ ନିରବି ଗଲେଣି । ବିଜୁ ସମତାକାନ୍ତି ଦଳ ଗଢିବାର ଦିନ କେଇଟା ଭିତରେ ତାହା ଫାଳ ଫାଳ ହୋଇଯାଇଛି । ଆଗାମୀ ନିର୍ବାଚନରେ ଦାମ କେଉଁ ଡଙ୍ଗାରେ ବସି ପାର ହେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ବିଜେଡିରୁ ବିଦା ହୋଇଥିବା ବୈଜୟନ୍ତ-ଦାମଙ୍କ ଭଳି ଅବସ୍ଥା ହେଉଛି ବିଜେପିରୁ ବିଦା ହୋଇଥିବା ବିଜୟଙ୍କର । ଏହି ବରିଷ୍ଠ ନେତା ବିଜେପି ଛାଡିବାପରେ ଏବେ ଏକ ପ୍ରକାର ବେକାର । ଅନୁରୂପ ଅବସ୍ଥାରେ ରହିଲେ କଂଗ୍ରେସରୁ ବିଦା ହୋଇଥିବା ଚାରି ନେତା । ଏମାନେ ହେଲେ ନବ ଦାସ, କୃଷ୍ଣଚନ୍ଦ୍ର ଶଗରିଆ, ଯୋଗେଶ ସିଂହ ଓ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତଙ୍କ ଛାଡିଦେଲେ ଅନ୍ୟ ତିନିଜଣ କଂଗ୍ରେସର ବିଧାୟକ । ଶ୍ରୀକାନ୍ତ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଏହି ତିନିଜଣଙ୍କୁ କଂଗ୍ରେସ ବହିଷ୍କାର କରିଛି । ଏମାନଙ୍କ ମଧ୍ୟରେ ନବ ଦଳ ଛାଡି ବିଜେଡିକୁ ଯିବେ ବୋଲି ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିବାବେଳେ ଅନ୍ୟ ତିନିଜଣ ଏବେ ଅନିଶ୍ଚିତତାରେ । ଏମାନେ ଯଦି ନିର୍ବାଚନ ପୂର୍ବରୁ କୂଳ କିନାରା ନପାଇବେ ତେବେ ନିଜ ଇଲାକାରେ କେଉଁ ଚିହ୍ନରେ ଲଢିବେ ତାହା ବି ଜାଣିପାରୁ ନାହାନ୍ତି । ଅନ୍ୟ ଦଳକୁ ଯିବାରେ ଯେତେ ବିଳମ୍ବ ହେବେ ବୈଜୟନ୍ତ-ଦାମ-ବିଜୟଙ୍କ ଭଳି ସେମାନଙ୍କର ଅବସ୍ଥା ହୋଇଯିବ ବୋଲି ଏବେ ଠାରୁ ଆଲୋଚନା ହେଲାଣି । ତେବେ ଦଳଛଡାଙ୍କ ଧାଡି ଲମ୍ବୁଥିବାବେଳେ ବିଜେଡିକୁ ମୁକାବିଲା କରିବା ପୂର୍ବରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଗାଡି ହୋଇଯିବେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

3 × two =