ପ୍ରଦୀପଙ୍କ ମନ୍ତବ୍ୟକୁ ଦଳ ଆଦୌ କ୍ଷମା କରିବା କଥା ନୁହେଁ

ଭୁବନେଶ୍ୱର() ରାଜସ୍ଥାନ ସଙ୍କଟ ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡଙ୍କୁ ସିଧାସଳଖ ଦାୟୀ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ଏକ ଟିଭି ଚ୍ୟାନେଲ ବିତର୍କରେ ପ୍ରଦୀପ ହାଇକମାଣ୍ଡକୁ ଦୋଷାରୋପ କରିବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହୋଇ ପଡ଼ିଛି । ଗୋଟିଏ ପଟେ ପ୍ରଦୀପ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଅନ୍ୟ ପକ୍ଷେ ପ୍ରଦୀପଙ୍କ ମନ୍ତବ୍ୟକୁ ଦଳର କିଛି ବରିଷ୍ଠ ନେତା କଡ଼ା ସମାଲୋଚନା କରିଛନ୍ତି ।

ଏକଦା ରାହୁଲଙ୍କ ଅତି ନିକଟତର କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିକୁ ପଳାଇଛନ୍ତି । ରାହୁଲଙ୍କ ପ୍ରିୟ ସଚିନ ପାଇଲଟ ମଧ୍ୟ ଏବେ ରାଜସ୍ଥାନରେ ବିଦ୍ରୋହ ଡାକରା ଦେଇଛନ୍ତି । ସେ କଂଗ୍ରେସରୁ ଯିବା ଏକପ୍ରକାର ନିଶ୍ଚିତ ବୋଲି ଆକଳନ କରାଯାଉଛି । ଏଭଳି ସ୍ଥିତିରେ ଏକଦା ରାହୁଲଙ୍କ ଅତି ଖାସ୍‌ କୁହାଯାଉଥିବା ପୂର୍ବତନ ସାଂସଦ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଟିଭି ଚ୍ୟାନେଲରେ କଂଗ୍ରେସ ହାଇକମାଣ୍ଡଙ୍କ ନେତୃତ୍ୱ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି । ମଧ୍ୟପ୍ରଦେଶ ପରେ ରାଜସ୍ଥାନରେ ଯାହା ହେଲା, ସେଥିପାଇଁ ସେ ଦଳର ନେତୃତ୍ୱକୁ ସେ ଦାୟୀ କରିଛନ୍ତି । ଯିଏ ଦଳର ମଙ୍ଗ ଧରିଛନ୍ତି, ସେ ଏଥିପାଇଁ ଦାୟୀ ବୋଲି ପ୍ରଦୀପ କହିଛନ୍ତି । ପ୍ରଦୀପ ହଠାତ୍‌ କାହିଁକି ଏଭଳି ବୟାନ ଦେଲେ, ତାହା ରାଜ୍ୟ କଂଗ୍ରେସ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ପ୍ରଦୀପ ଦଳ ଛାଡ଼ି ବିଜେପିକୁ ଯିବା ପାଇଁ ମନସ୍ଥ କରିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏପରିକି ସେ ବିଜେପିର ଦିଲ୍ଲୀ ଦରବାର ସହ ଯୋଗାଯୋଗରେ ଥିବା କୁହାଯାଉଛି ।

ହେଲେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପ୍ରଦୀପ । ସେ କହିଛନ୍ତି, କଂଗ୍ରେସ ଛାଡ଼ିବା ପାଇଁ କେବେ ଚିନ୍ତା କରିନାହିଁ । ଏହି ଚର୍ଚ୍ଚାରେ ଆଦୌ ସତ୍ୟତା ନାହିଁ । କେବେ ବି କଂଗ୍ରେସ ଛାଡ଼ିବି ନାହିଁ । ତେବେ ମଧ୍ୟପ୍ରଦେଶ ପରେ ରାଜସ୍ଥାନରେ କଂଗ୍ରେସର ଅବସ୍ଥା ଦେଖି ବ୍ୟଥିତ ହୋଇପଡ଼ିଛି । କଂଗ୍ରେସ ପ୍ରେମୀ ଭାବେ ମନକୁ କଷ୍ଟ ଲାଗୁଛି । ମନର ବେଦନା କହିବାବେଳେ ଏହାକୁ ଅନ୍ୟ ଅର୍ଥରେ ନେବା ଠିକ୍‌ ନୁହେଁ ।

ଅନ୍ୟପକ୍ଷରେ ପ୍ରଦୀପଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତଥା ଦଳର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, ଗାନ୍ଧି ପରିବାର ଉପରକୁ ସିଧାସଳଖ ଦୋଷ ଦେବା ଦୁଭାର୍ଗ୍ୟଜନକ । ଏଭଳି ମନ୍ତବ୍ୟକୁ ଦଳ ଆଦୌ କ୍ଷମା କରିବା କଥା ନୁହେଁ । ସେ ଆହୁରି କହିଛନ୍ତି, ଯାହାର ଇଚ୍ଛା ଅଛି ସେ କଂଗ୍ରେସରେ ରୁହନ୍ତୁ । ଆଉ ଯାହାର ଇଚ୍ଛା ନାହିଁ, ସେ ଦଳ ଛାଡ଼ିପାରନ୍ତି । ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ପ୍ରଦୀପ କ’ଣ ପାଇଁ କହିଲେ, ମୁଁ ଜାଣିନି । ତେବେ ହାଇକମାଣ୍ଡଙ୍କ ପ୍ରତି ଏମିତି କହିବା ଠିକ୍‌ ନୁହେଁ । ସେ ଆଜି ଯାଏଁ ଯାହା ହୋଇଛନ୍ତି, କେବଳ କଂଗ୍ରେସ ଦଳ ପାଇଁ । ଏଭଳି ମନ୍ତବ୍ୟ ଯିଏ ଦେବ, ସେ ଦଣ୍ଡନୀୟ ହେବ ।

Share

Leave a Reply

Your email address will not be published. Required fields are marked *

14 − three =