ବିଧାନସଭା ବାଚସ୍ପତି ହେଲେ ସୂର୍ୟ୍ୟନାରାୟଣ, ଯୋଗଦେଲାନି ବିଜେପି

ଭୁବନେଶ୍ବର ()  ଷୋଡଶ ବିଧାନସଭାର ବାଚସ୍ପତି ଭାବେ ଆଜି ଦାଇତ୍ବ ଗ୍ରହଣ କଲେ ଗଂଜାମ ଜିଲ୍ଲାର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର । ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକଙ୍କୁ ସାଙ୍ଗରେ ନେଇ ସମ୍ବିଧାନର ଗଣ୍ଡି ମଧ୍ୟରେ ଗୃହ ଚଳାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଏଥିସହିତ ସମ୍ବିଧାନର ଏହି ମନ୍ଦିରରେ ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସୂର୍ଯ୍ୟନାରାୟଣଙ୍କୁ ବାଚସ୍ପତି ଭାବେ ବାଛିବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଅନ୍ୟ ବିଧାୟକମାନେ ସମର୍ଥନ କରିଥିଲେ । ସେ ସର୍ବସମ୍ମତ କ୍ରମେ ନିର୍ବାଚିତ ହୋଇଥିଲେ ।

1990ରୁ ବିଧାୟକ ଭାବେ ନିର୍ବାଚିତ ହେଉଥିବା ସୂର୍ଯ୍ୟନାରାୟଣ 7 ଥର ବିଧାୟକ ହୋଇଥିବା ବେଳେ ଅନେକ ଥର ମନ୍ତ୍ରୀ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିରେ ମଧ୍ୟ ସେ ମନ୍ତ୍ରୀ ଥିଲେ। ବିଧାନସଭାର ଜଣେ ବରିଷ୍ଠ ସଦସ୍ୟ ଭାବେ ସେ ସମସ୍ତଙ୍କ ଦ୍ବାରା ଗୃହିତ ହୋଇଛନ୍ତି । ବିଜେଡି ସହ କଂଗ୍ରେସ ବିଧାୟକମାନେ ମଧ୍ୟ ସୂର୍ଯ୍ୟନାରାୟଣଙ୍କୁ ବାଚସ୍ପତି ଭାବେ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ତେବେ ଏହି ସମୟରେ ବିଜେପିର ଜଣେ ହେଲେ ବିଧାୟକ ଉପସ୍ଥିତ ନଥିଲେ । ନିର୍ବାଚନ ସରିବା ବେଳକୁ ପାରଳାଖେମୁଣ୍ଡିର ବିଜେପିର ବିଧାୟକ କେ. ନାରାୟଣ ରାଓ ବିଧାନସଭାରେ ପହଁଚିଥିଲେ । ସେ ବାଚସ୍ପତି ନିର୍ବାଚନରେ ଯୋଗ ଦେଇପାରିନଥିଲେ ।

ବାଚସ୍ପତି ନିର୍ବାଚନରେ ବିଜେପିର ବିଧାୟକମାନେ ଉପସ୍ଥିତ ନରହିବା ଦୁର୍ଭାଗ୍ୟଜନକ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିବା ବେଳେ ବିଜେପି ବିଧାୟକ କେ. ନାରାୟଣ କହିଥିଲେ ଯେ, ଏହା ଉଦ୍ଦେଶ୍ୟମୂଳକ ନଥିଲା । ବିଧାନସଭା ପକ୍ଷରୁ ବାଚସ୍ପତି ନିର୍ବାଚନ ପାଇଁ ନୋଟିସ ପାଇଥିଲୁ । କିନ୍ତୁ ପ୍ରାୟ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଦିଲ୍ଲୀ ଚାଲିଯାଇଥିଲେ । ତେଣୁ ସେମାନେ ପହଁଚିପାରିନାହାଁନ୍ତି ।

ସୂର୍ଯ୍ୟନାରାୟଣଙ୍କୁ ବାଚସ୍ପତି ଭାବେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ବିରୋଧୀ ଦଳ ନେତା ନରିସିଂହ ମିଶ୍ର ସ୍ବାଗତ କରିଛନ୍ତି । ଏଥର ଅଧିବେଶରେ କଂଗ୍ରେସ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ନଥିଲେ ବି ଗୃହ ମଧ୍ୟରେ ବିରୋଧୀଦଳର ଭୂମିକା ତୁଲାଇବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ଏଥିସହିତ ବିଧାନସଭାରେ ବାଚସ୍ପତି ବିରୋଧୀ ଦଳକୁ ଉପଯୁକ୍ତ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି । ସେପଟେ ବିଧାନସଭାରେ ଶୃଙ୍ଖଳା ବଜାୟ ରଖିବାକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ । ନୂଆ ବିଧାୟକଙ୍କୁ ଖୁବଶୀଘ୍ର ତାଲିମ ଦିଆଯିବା ସହ ସେମାନେ ସମୟ ମିଳିଲେ ବିଧାନସଭାର କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରି ଆଲୋଚନାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − 5 =