ଘରେ ଘରେ ଶଙ୍ଖ : ବିଜେଡି ଇସ୍ତାହାରରେ ସାଧାରଣ ଲୋକଙ୍କ ପ୍ରସ୍ତାବ

ଭୁବନେଶ୍ବର () 2019 ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତି ପାଇଁ ବିଜେଡି ଆରମ୍ଭ କରିଛି ପ୍ରକ୍ରିୟା । ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ 103ତମ ଜନ୍ମ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ଆରମ୍ଭ କରିଛନ୍ତି । ଜଟଣୀ ବ୍ଲକର ସୁନ୍ଦରପଦା ନିକଟସ୍ଥ କଣ୍ଟିଲୋ ଗାଁରୁ ଘରେ ଘରେ ଶଂଖ : ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ, ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଲୋକଙ୍କ ମତାମତ ସହ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବାକୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାଦ୍ବାରା ଇସ୍ତାହାର ପ୍ରସ୍ତୁତିରେ ମଧ୍ୟ ସାଧାରଣ ଲୋକଙ୍କ ଆବଶ୍ୟକତା ପ୍ରତିଫଳିତ ହେବ । ଏହି ଲକ୍ଷ୍ୟ ନେଇ ବିଜେଡି ଘରେ ଘରେ ଶଂଖ : ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ, ଯୋଜନାଟି ଆରମ୍ଭ କରିଛି ।

ରାଜ୍ୟ ସରକାର ଗତ 5 ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକ ମଧ୍ୟରୁ କେଉଁ ପ୍ରକଳ୍ପଗୁଡିକ ଆଗାମୀ ଦିନରେ ଚାଲୁ ରହିବା ଉଚିତ, କେଉଁ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଅଧିକତର କାର୍ଯ୍ୟ କରୁନ୍ତୁ ବୋଲି ଆପଣ ଚାହୁଁଛନ୍ତି, ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ କେଉଁ କେଉଁ ଦାବିକୁ ଦୃଢତାର ସହ ଉପସ୍ଥାପନା କରିବା ସହ ସଂଗ୍ରାମ ଜାରି ରଖିବା ଉଚିତ ଏହି ତିନୋଟି କ୍ଷେତ୍ରରେ ସାଧାରଣ ଲୋକଙ୍କ ମତାମତ ନିଆଯିବ ସହ ମୁଖ୍ୟମନ୍ତ୍ରୀ ଆଉ କେଉଁ ନୂଆ ଯୋଜନା କରିବା ଉଚିତ ସେ ସଂପର୍କରେ ଲୋକଙ୍କ ପ୍ରସ୍ତାବ ଆହ୍ବାନ କରାଯାଇଛି ।

କେଉଁ ଯୋଜନା ହିତକର ଏବଂ ଚାଲୁ ରହିବା ଉଚିତ, ଏହି ଶ୍ରେଣୀରେ କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ମଧୁବାବୁ କଳାକାର, ଶ୍ରମିକ ଏବଂ ଅନ୍ୟାନ ପେନସନ ଯୋଜନା, ମିଶନ ଶକ୍ତି ଆର୍ଥିକ ସହାୟତା, ପିଠା କାର୍ଯ୍ୟକ୍ରମ, ବିଜୁ ପକ୍କାଘର, ଟଙ୍କିକିଆ ଚାଉଲ, ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ଭୁମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇ ଦେବାକୁ ଜାଗା ମିଶନ ଭଳି 11ଟି ଯୋଜନା ରହିଛି । ସେହିଭଳି କେଉଁ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଅଧିକତର କାର୍ଯ୍ୟ କରୁନ୍ତୁ ବୋଲି ଆପଣ ଚାହୁଁଛନ୍ତି, ଏହି ଶ୍ରେଣୀରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଚାଷ ଜମିକୁ ଜଳସେଚନ, ରାସ୍ତାଘାଟ ନିର୍ମାଣ, ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା, ଯୁବକଙ୍କୁ ଆର୍ଥିକ ସହାୟତା, ଆହାର ଯୋଜନା, ଅଧିକ ଧାନ ମଣ୍ଡି ନିର୍ମାଣ ଏମିତି 10ଟି କାର୍ଯ୍ୟକ୍ରମକୁ ସ୍ଥାନୀୟ କରାଯାଇଛି ।

ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ କେଉଁ କେଉଁ ଦାବିକୁ ଦୃଢତାର ସହ ଉପସ୍ଥାପନା କରିବା ସହ ସଂଗ୍ରାମ ଜାରି ରଖିବା ଉଚିତ, ଏହି ଶ୍ରେଣୀରେ ସେହିପରି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ପିଏମ-କିଶାନ ଯୋଜନାରେ କାଳିଆ ଭଳି ସମସ୍ତ କ୍ଷୁଦ୍ର, ନାମମାତ୍ର, ଭୂମିହୀନ, ଭାଗଚାଷୀ, କୃଷି ଶ୍ରମିକଙ୍କୁ ସମିଲ କରିବା ସହ ବାର୍ଷିକ 6ହଜାର ପରିବର୍ତ୍ତେ 10 ଟଙ୍କାର ସହାୟତା ପ୍ରଦାନ, ବାର୍ଷିକ 2 କୋଟି ନିଯୁକ୍ତି ହାରରେ ଓଡିଶାରୁ ପ୍ରତିବର୍ଷ 7 ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବି, ପ୍ରତି ପରିବାରର ବ୍ୟାଙ୍କ ଖାତାକୁ 15 ଲକ୍ଷ ଟଙ୍କା ଜମା ଦାବି, ଧାନର ଏମଏସପି 2930 ଟଙ୍କାକୁ ବୃଦ୍ଧି, ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ 33 ପ୍ରତିଶତ ସଂରକ୍ଷଣ ଦାବି, କେବିକେ ଯୋଜନାରେ ଅଧିକ ଅର୍ଥ ଯୋଗାଣ, ମହାନଦୀର ଉପରମୁଣ୍ଡରେ ନିର୍ମାଣଧିନ ବ୍ୟାରେଜ ଓ ଡ୍ୟାମ କାମ ବନ୍ଦ ଆଦି 9ଟି ଦାବି ନେଇ ସାଧାରଣ ଲୋକଙ୍କ ମତାମତ ଆହ୍ବାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − 11 =