ରାଜନୈତିକ ଥଇଥାନ କେନ୍ଦ୍ର ହେବନି ଯୋଜନା ବୋର୍ଡ

ଭୁବନେଶ୍ୱର () ରାଜ୍ୟ ଯୋଜନା ବୋର୍ଡର ଢାଞ୍ଚା ବଦଳିବ । ନୀତି ଆୟୋଗ ଢାଞ୍ଚାରେ ଯୋଜନା ବୋର୍ଡର ପୁର୍ନଗଠନ କରାଯିବ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଚୁଡାନ୍ତ ନିଷ୍ପତ୍ତି ଯୋଜନା ବୋର୍ଡ ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି । ଯୋଜନା ବୋର୍ଡକୁ କେବଳ ରାଜନୈତିକ ଥଇଥାନ କେନ୍ଦ୍ର କରାନଯାଇ ଏହାକୁ ନୀତି ଆୟୋଗଙ୍କ ଭଳି କ୍ରିୟାଶୀଳ ଓ ପ୍ରଭାବୀ କରିବାକୁ ଚିନ୍ତା କରାଯାଉଛି ।

ନିକଟରେ ରାଜ୍ୟ ସରକାର ୩୦ଟି ଜିଲ୍ଲାର ଜିଲ୍ଲା ଯୋଜନା ବୋର୍ଡର ପୁର୍ନଗଠନ କରିଛନ୍ତି । ଏଥିରେ ୧୭ ଜଣ ମନ୍ତ୍ରୀ ଓ ୧୨ ଜଣ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି । ତିନି ଜଣ ମନ୍ତ୍ରୀ ଜିଲ୍ଲା ଯୋଜନା ବୋର୍ଡରୁ ବାଦ ପଡିଥିବା ବେଳେ କିଛି ବରିଷ୍ଠ ବିଧାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷା ଦାୟିତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ କେତେକ ଜିଲ୍ଲାରେ ଅପେକ୍ଷାକୃତ କନିଷ୍ଠ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

ଜିଲ୍ଲା ଯୋଜନା ବୋର୍ଡର ପୁର୍ନଗଠନ ପରେ ଏବେ ରାଜ୍ୟ ଯୋଜନା ବୋର୍ଡ ପୁର୍ନଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ପାଇଁ ଏବେ ଗତ ନିର୍ବାଚନରେ ପରିଜିତ କିଛି ବିଜେଡି ନେତାଙ୍କ ଲବି ଆରମ୍ଭ ହୋଇଛି । ଏହି ପଦ ଏକ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ହୋଇଥିବାରୁ ନିର୍ବାଚନ ହାରିଥିବା ନେତାମାନେ ଆଗ୍ରହୀ ହୋଇଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ପାଇଁ ଆଶାୟୀ ନେତାଙ୍କ ମଧ୍ୟରେ ଅଛନ୍ତି ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ମହେଶ୍ୱର ମହାନ୍ତି, ରବିନାରାୟଣ ନନ୍ଦ, ରବିନ୍ଦ୍ର କୁମାର ଜେନା, ଦେବାଶିଷ ସାମନ୍ତରାୟ ପ୍ରମୁଖ । ଏହି ନେତାମାନଙ୍କ ମଧ୍ୟରୁ ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର, ରବି ନନ୍ଦ, ମହେଶ୍ୱର ମହାନ୍ତି ପୂର୍ବରୁ ମନ୍ତ୍ରୀ ରହିଛନ୍ତି । ତେଣୁ ହାରିଯିବା ପରେ ପୁଣି ଥରେ କ୍ୟାବିନେଟ ମନ୍ତ୍ରୀପଦ ପାଇଁ ସେମାନେ ଆଗ୍ରହୀ ଥିବା ଶୁଣିବାକୁ ମିଳୁଛି ।

ଚର୍ଚ୍ଚା ହେଉଛି ଏହିସବୁ ନେତାମାନଙ୍କ ଥଇଥାନ କରାନଗଲେ ଜିଲ୍ଲା ସ୍ତରରେ ବିଜେଡିର ସଂଗଠନ ପ୍ରଭାବିତ ହେଉଛି । ହାରିଯିବା ପରେ ଏହି ନେତମାନେ ନିଜ ନିଜ ଅଂଚଳରେ ପୂର୍ବଭଳି ସକ୍ରିୟ ନାହାଁନ୍ତି । ଏପରିକି ସେମାନଙ୍କ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ଗସ୍ତ କମିଗଲାଣି । ତେବେ ଏହିସବୁ ନେତାଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ଥଇଥାନ କରି ଏହାକୁ ଏକ ରାଜନୈତିକ ଥଇଥାନ କେନ୍ଦ୍ର କରିବେ ନା କେନ୍ଦ୍ରୀୟ ନୀତି ଆୟୋଗ ଢାଞ୍ଚାରେ ଏହାକୁ ଅଧିକ କ୍ରିୟାଶୀଳ କରାଯିବ ତାକୁ ନେଇ ମାନସମନ୍ଥନ ଚାଲିଛି ।

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଚାଲିଥିବା ଯୋଜନା ଅନୁଯାୟୀ, ରାଜ୍ୟ ସରକାର ପଂଚମ ପାଳିରେ ଅନେକଗୁଡିକ ସଂସ୍କାରମୁଳକ ପଦକ୍ଷେପ ନେଇଛନ୍ତି । ଏଥିସହିତ ସରକାର, ମନ୍ତ୍ରୀ, ବିଧାୟକ ଓ ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଏବଂ ଲୋକଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏଦିଗରେ ଯୋଜନା ବୋର୍ଡ ଏବଂ ଜିଲ୍ଲା ଯୋଜନା ବୋର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜିଲ୍ଲା ସ୍ତରରୁ କିଭଳି ଯୋଜନା ପ୍ରଣୟନ ହେବ, ଯେଉଁଥିରେ ତୃଣମୂଳ ସ୍ତରର ଲୋକଙ୍କ ଭାଗିଦାରୀ ରହିବ ସେନେଇ ଚିନ୍ତା କରାଯାଉଛି । ରାଜ୍ୟ ଯୋଜନା ବୋର୍ଡରେ ଚାଷ, ଶିଳ୍ପ, ଆର୍ଥିକ ପରିଚାଳନା, ସାମାଜିକ କଲ୍ୟାଣ, ଅନୁସୂଚିତ ଜାତି ଜନଜାତି ବିକାଶ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଆଦି ସବୁ କ୍ଷେତ୍ରରୁ ବିଶେଷମାନଙ୍କୁ ନେଇ ନୀତି ଆୟୋଗ ଢାଞ୍ଚାରେ ଯୋଜନା ବୋର୍ଡର ପୁର୍ନବିନ୍ୟାସ କରାଯିବ ।

Share

Leave a Reply

Your email address will not be published. Required fields are marked *

5 × 1 =