ସମ୍ବେଦନଶୀଳ ଘଟଣାରେ ବିଜେପି ଅତି ନିମ୍ନସ୍ତରର ରାଜନୀତି କରୁଛି :ବିଜେଡି

ଭୁବନେଶ୍ୱର() ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ବିଜେପି ନାଟକ କରୁଛି । ହାତରେ କୌଣସି ତଥ୍ୟ ପ୍ରମାଣ ନଥାଇ ବିଜେପି ଗତ କିଛିଦିନ ଧରି ଯେଉଁଭଳି ସାମ୍ବାଦିକ ସମ୍ମିଳନୀ ଓ ବିବୃତ୍ତି କରିବାରେ ଲାଗିଛି ତାହାକୁ ବିଜେଡି ମୁଖପାତ୍ର ସୁଲତା ଦେଓ କଡା ଭାଷାରେ ସମାଲୋଚନା କରିଛନ୍ତି ।

ଶ୍ରୀମତୀ ଦେଓ କହିଛନ୍ତି ଯେ, ଆଜି ବିଜେପି ଯେଉଁ ଧାରଣାର ନାଟକ କରିଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । କାରଣ ଏହି ସ୍ପର୍ଶକାତର ଘଟଣାରେ ଦଳ ପାଖରେ କୌଣସି ତଥ୍ୟ ପ୍ରମାଣ ନାହିଁ । ଯଦି କିଛି ଅଛି ତାହା ପୁଲିସ୍‍ ଓ ଅଦାଲତକୁ ଦେବାପାଇଁ ବିଜେଡି ବାରମ୍ବାର ଅନୁରୋଧ କରିଆସୁଥିବାବେଳେ ବିଜେପି କିନ୍ତୁ ମନଗଢା କଥା କହି ହୀନ ରାଜନୀତି କରୁଛି ।

ଶ୍ରୀମତୀ ଦେଓ କହିଛନ୍ତି ଯେ କିଛିବର୍ଷ ପୂର୍ବେ ଅନୁରୂପ ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । କିନ୍ତୁ ସିବିଆଇ କିଛି କରିପାରିଲା ନାହିଁ । ଏହି ଘଟଣାରେ ବିଜେପି ସମେତ ଅନ୍ୟ ବିରୋଧିଦଳ ଗୁଡିକ ଜଣେ ନିର୍ଦ୍ଦିଷ୍ଟ ରାଜନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିବା ସହିତ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିନ୍ତୁ ଲଜ୍ୟାର ବିଷୟ ହେଉଛି ଯେଉଁ ନେତାଙ୍କ ବିରୋଧରେ ବିଜେପି ରାଜରାସ୍ତାରେ ହଙ୍ଗାମା କରିଥିଲା ପରବର୍ତ୍ତୀ ସମୟରେ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ଏହି ନେତାଙ୍କୁ ବିଜେପି ୨୦୧୯ ନିର୍ବାଚନରେ ଟିକଟ ଦେଇଥିବାବେଳେ ଓଡିଶାବାସୀ କିନ୍ତୁ ବିଜେପି ଓ ସମ୍ପୃକ୍ତ ନେତାଙ୍କୁ ପାନେ ଦେଇଥିଲେ । ଉକ୍ତ ନେତା ନିର୍ବାଚନରେ ଶୋଚନୀୟ ଭାବେ ହାରି ଯାଇଥିଲେ । ସେତେବେଳେ ବିଜେପିର ନୈତିକତା କୁଆଡେ ଯାଇଥିଲା ବୋଲି ଶ୍ରମତୀ ଦେଓ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ରାଜ୍ୟବାସୀ ବିଜେପିର ଦୋମୁହାଁ ନୀତି ଓ ହୀନ ରାଜନୀତିକୁ ଦେଖି ନିର୍ବାଚନରେ ବୁଦ୍ଧି ଶିଖାଇଥିଲେ ।

ଶ୍ରୀମତୀ ଦେଓ କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ମହିଳା ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ବିଜେପି ଅତି ନିମ୍ନସ୍ତରର ରାଜନୀତି କରିବା ସହିତ ବାରମ୍ବାର ଅଶାଳୀନ ମନ୍ତବ୍ୟ ସହିତ ଧାରଣା ଦେଉଛି । ଏଭଳି ଏକ ସ୍ପର୍ଶକାତର ଘଟଣାରେ ବିଜେପିର ହୀନ ମାନସିକତା ବାରିହୋଇ ପଡୁଛି । ଭିତ୍ତିହୀନ ଅଭିଯୋଗ କରିବା ଏହି ଦଳର ଏକ ପ୍ରକାର ଅଭ୍ୟାସରେ ପରିଣତ ହେଲାଣି । ତେଣୁ ଏଭଳି ହୀନ ରାଜନୀତିରୁ ଦୂରେଇ ରହିବା ସହିତ ଓଡିଶାବାସୀ ଯେ ଏଭଳି ରାଜନୀତି ଚାହୁଁନାହାନ୍ତି ତାହା ବିଜେପି ହୃଦୟଙ୍ଗମ କରିବା ଆବଶ୍ୟକ । କେବଳ ଗଣମାଧ୍ୟମରେ ସ୍ଥାନ ପାଇବା ସହିତ କ୍ଷଣିକ ଖୁସି ଛଡା ବିଜେପିର ଏଭଳି ଉଦ୍ୟମ ଆଉ କିଛି ନୁହେଁ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × four =