ପ୍ରକାଶ ଓ ଯୋଗେଶଙ୍କୁ କୈଫିୟତ ତଲବ

ଭୁବନେଶ୍ବର () ଖୁବଶୀଘ୍ର ବିଧାୟକ ପ୍ରକାଶ ବେହେରା ଓ ଯୋଗେଶ ସିଂହଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ ମଗାଯିବା କୈଫିୟତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା ଓ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭୁବନେଶ୍ବର ସଭାରେ ଯୋଗ ଦେବାକୁ ଘୋଷଣା କରିଥିଲେ ଏହି ଦୁଇ ନେତା । ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବାରୁ ଉଭୟଙ୍କୁ ଦଳ ତରଫରୁ କୈଫିୟତ ତଲବ କରାଯିବ ।

2014ରେ ପ୍ରକାଶ ବେହେରା ସାଲେପୁରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିଭଳି ଯୋଗେଶ ସିଂହ ସୁନ୍ଦରଗଡ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଥିଲେ । ଯୋଗେଶ ଦୁଇ ଥର ବିଧାୟକ ଭାବେ ସୁନ୍ଦରଗଡ ଆସନରୁ ନିର୍ବାଚିତ ହୋଇସାରିଥିବା ବେଳେ ପ୍ରକାଶ ବେହେରା ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ।

କଂଗ୍ରେସର ଏହି ଦୁଇ ବିଧାୟକ ବିଜେଡିରେ ମିଶିବାକୁ ଆଗ୍ରହୀ । ଏଥିପାଇଁ ବିଜେଡି ମୁଖିଆଙ୍କ ସହ ଆଲୋଚନା ସରିଛି । ଖୁବଶୀଘ୍ର ସେମାନେ ବିଜେଡିରେ ମିଶିବାକୁ ଯାଉଛନ୍ତି । ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ସମୟରେ ତାଙ୍କ କାର୍ଯ୍ୟକୁ ବିରୋଧ କରି ପ୍ରଦେଶ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ପାଇଁ ଚାଲିଥିବା ଲବିରେ ମଧ୍ୟ ଏହି ଦୁଇ ନେତା ସାମିଲ ଥିଲେ । ସେମାନେ ଖୋଲାଖୋଲି ପ୍ରସାଦଙ୍କ ନେତୃତ୍ବକୁ ଚ୍ୟାଲେଂଜ କରିଥିଲେ । ନିରଂଜନ ପଟ୍ଟନାୟକଙ୍କୁ ଦାୟିତ୍ବ ମିଳିବା ପରେ ତାଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ଏମାନେ ଘୋଷଣା କରିଥିଲେ ।

ହଠାତ ପଟ୍ଟ ପରିବର୍ତ୍ତନ ନିରଂଜନଙ୍କୁ ଚକିତ କରିଛି । ନିଷ୍ପତ୍ତିରେ ପରିବର୍ତ୍ତନ ପାଇଁ ନିରଂଜନ ଦୁଇ ବିଧାୟକଙ୍କୁ ବାରମ୍ବାର ବୁଝାଇଥିଲେ ବି ସେମାନେ 2019ରେ ବିଜେଡି ଟିକେଟରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଉଭୟଙ୍କ ଯୁକ୍ତି ହେଉଛି, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବିକାଶର କାର୍ଯ୍ୟ ଆଗେଇ ପାରୁଛି । ତେଣୁ ସେମାନେ ବିଜେଡି ଆଡେ ମୁହାଁଇଁଛନ୍ତି । କଂଗ୍ରେସରେ ଥାଇ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାକୁ ପିସିସି ଗ୍ରହଣ କରିପାରୁନି । ଏହି ଦୃଷ୍ଟିରୁ ଉଭୟଙ୍କୁ ଆଜି ରାତି ସୁଦ୍ଧା କୈଫିୟତ ତଲବ କରାଯିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

five × 3 =