ସବୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ରୀତା ସାହୁ

ନବୀନଙ୍କ ଲୋକପ୍ରିୟତା ଆଗରେ ମାତ ଖାଇଲେ ବିରୋଧୀ

ଭୁବନେଶ୍ବର () ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ରାଜ୍ୟ ନିର୍ବାଚନ ଇତିହାସରେ ରେକର୍ଡ କରିଛନ୍ତି । ସେ 97 ହଜାର 990 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ହରାଇଛନ୍ତି । କଂଗ୍ରେସ ପୁଣି ଥରେ ବିଜେପୁରରେ ଅମାନତ ହରାଇଛି । ଏଥିସହିତ ପ୍ରମାଣିତ ହୋଇଛି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ କାଉଣ୍ଟର କରିବାକୁ ବିଜେପି କିମ୍ବା କଂଗ୍ରେସ ପାଖରେ ନାହିଁ ଜନସମର୍ଥନ କି ଗ୍ରହଣୀୟତା ନାହିଁ ।

ଆଜି ଶେଷ ହୋଇଥିବା ଗଣତିରେ ରୀତା ସାହୁଙ୍କ ସପକ୍ଷରେ 1 ଲକ୍ଷ 35 ହଜାର 957 ଖଣ୍ଡ ଭୋଟ ପଡିଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡତିଆ 37 ହଜାର 967 ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା 5ହଜାର 873 ଖଣ୍ଡ ଭୋଟ ପାଇଛି । ଜାତୀୟ ହିନ୍ଦୁ ମହାସଭା ପ୍ରାର୍ଥୀ ଅଶୋକ ମିତ୍ତଲ 1219 ଖଣ୍ଡ ଏବଂ ଜଣେ ସ୍ବାଧୀନ ପ୍ରାର୍ଥୀ 1053 ଖଣ୍ଡ ଭୋଟ ପାଇଛନ୍ତି । ନୋଟାରେ 1982ଟି ଭୋଟ ପଡିଛି । ଏହି ଉପନିର୍ବାଚନରେ 24ଟି ସର୍ଭିସ ଭୋଟ ଦାଖଲ ହୋଇଥିବା ବେଳେ କଂଗ୍ରେସ ସପକ୍ଷରେ 2ଟି ଏବଂ ବିଜେପି ଓ ବିଜେଡି ସପକ୍ଷରେ 7 ଲେଖାଏଁ ଭୋଟ ଯାଇଥିଲା । ସେହିଭଳି 6ଟି ପୋଷ୍ଟାଲ ବ୍ୟାଲଟ ମଧ୍ୟରୁ ରୀତା ସାହୁଙ୍କୁ ଗୋଟିଏ ଏବଂ ବିଜେପି ପ୍ରାର୍ଥୀଙ୍କୁ 5ଟି ଭୋଟ ଯାଇଥିଲା ।

ରୀତା ସାହୁଙ୍କ ବିଜୟ ବ୍ୟବଧାନ ରାଜ୍ୟର ଭୋଟ ଇତିହାସର ସବୁ ରେକର୍ଡକୁ ଅତିକ୍ରମ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୌମ୍ୟ ରଂଜନ ପଟ୍ଟନାୟକ ସର୍ବାଧିକ 81 ହଜାର 430ଟି ଭୋଟରେ ଜିତିଥିଲେ । ତାଙ୍କ ପଛକୁ ଥିଲେ ନବୀନ ପଟ୍ଟନାୟକ । ନବୀନ ନିଜେ ବିଜେପୁର ଓ ହିଂଜିଳି ଦୁଇଟି ଆସନରୁ ଲଢିଥିଲେ । ବିଜେପୁରରେ ନବୀନ 57 ହଜାର 122 ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ । ପୂର୍ବରୁ 2000 ବିଧାନସଭା ନିର୍ବାଚନରେ ବିଶ୍ବଭୂଷଣ ହରିଚନ୍ଦନ 94 ହଜାର 555 ଖଣ୍ଡ ଭୋଟ ବ୍ୟବଧାନରେ ଜିତି ରେକର୍ଡ କରିଥିଲେ । ରୀତା ସାହୁ ସେ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡର ଅଧିକାରିଣୀ ହୋଇଛନ୍ତି ।

ରୀତା କିନ୍ତୁ ସୌମ୍ୟ ଓ ନବୀନଙ୍କ ରେକର୍ଡକୁ ଭାଙ୍ଗି 97ହଜାର 990 ଖଣ୍ଡ ଭୋଟରେ ଜିତି ଇତିହାସ ରଚିଛନ୍ତି । ଏଥିସହିତ ରାଜ୍ୟରେ ନବୀନଙ୍କ ବିକଳ୍ପ ନାହିଁ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । 2014ରେ ସାରା ଦେଶରେ ପ୍ରବଳ ମୋଦି ହାୱା ମଧ୍ୟରେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି 117ଟି ବିଧାନସଭା ଆସନ ଦଖଲ କରିଥିଲା । 2019ରେ ମଧ୍ୟ ମୋଦି ହାୱାକୁ କାଉଣ୍ଟର କରି ନବୀନଙ୍କ ନେତୃତ୍ବରେ ବିଜେଡି 112ଟି ବିଧାନସଭା ଦଖଲ କଲା । ଗତ ସାଧାରଣ ନିର୍ବାଚନ ହେଉ କି ବିଜେପୁର ଉପନିର୍ବାଚନ, ସବୁଠି ବିରୋଧୀ ନବୀନ ନେତୃତ୍ବାଧୀନ ସରକାର ବିରୋଧରେ ଡର୍ଜନେରୁ ଅଧିକୁ ଅଭିଯୋଗ ଆଣିଥିଲା । ବିକାଶ, ଚାଷୀ ଓ ଚାଷ, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ସରକାରଙ୍କ ବିଫଳତାକୁ ନେଇ ଯେତେ ଅଭିଯୋଗ କଲେ ବି ଲୋକଙ୍କ ମନ ଛୁଇଁ ପାରିଲା ନାହିଁ ।

କାରଣ ନବୀନ ନିଜେ ବିଜେପୁର ବିକାଶର ଉତ୍ତରଦାୟିତ୍ବ ନେଇଛନ୍ତି । 2018 ବିଜେପୁର ଉପନିର୍ବାଚନ ସମୟରେ ନବୀନ ଏହା ଘୋଷଣା କରିଥିଲେ । ତପରଠାରୁ ବିଜେପୁରରେ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଲୋକେ ବିକାଶର ନୂଆ ଧାରା ଦେଖିଛନ୍ତି । ଏହାକୁ ଦେଖି ଲୋକେ ବିକାଶ ସହ ରହିବାକୁ ଆଗ୍ରହ ପ୍ରକାଶ କରି ନବୀନଙ୍କ ପ୍ରତି ପୁଣିଥରେ ସମର୍ଥନ ଅଜାଡି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − two =