ସାଂସଦଙ୍କ ପରି ବିଧାୟକ ଦେବେ ଦୁଇ ମାସିଆ ରିପୋର୍ଟ

ଭୁବନେଶ୍ବର: ଗୃହରେ ଉପସ୍ଥିତି ରହିବାକୁ ବିଜେଡି ବିଧାୟକଙ୍କୁ କଡ଼ା ନିର୍ଦ୍ଦେଶ । ଏଣିକି ଗୁହରେ 2 ଦିନରୁ ଅଧିକ ସମୟ ଅନୁପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀଙ୍କଠୁ ଅନୁମତି ନେବାକୁ ପଡ଼ିବ ବୋଲି ସିଧା ସିଧା ଶୁଣାଇ ଦେଇଛନ୍ତି ବିଜେଡି ସୁପ୍ରିମୋ । ଆଜି ବିଜେଡିର ବିଧାୟକ ଦଳ ବୈଠକରେ ଏଭଳି କିଛି ଗରମ ଆଭିମୁଖ୍ୟ ସହ ଚରମବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖାଲି ସେତିକି ନୁହେଁ ସାଂସଦଙ୍କ ଭଳି ମଧ୍ୟ ବିଧାୟକ ମାନଙ୍କୁ ପ୍ରତି ଦୁଇ ମାସରେ ଥରେ ବିଜେଡି ସୁପ୍ରିମୋଙ୍କୁ ଦେବାକୁ ହେବ ରିପୋର୍ଟ କାର୍ଡ । ଏଥିପାଇଁ ଏକ 4 ଜଣିଆ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ । କମିଟିରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ, କିଶୋର ମହାନ୍ତିଙ୍କୁ ସ୍ଥାନ ଦିଆଯାଇଛି । ବିଧାୟକ ମାନେ ରିପୋର୍ଟ କିପରି ଦେବେ, କଣ ରହିବ ରୂପରେଖ ସେନେଇ କମିଟି ପ୍ରସ୍ତାବ ଦେବ ଆଉ ଫ୍ରେମ ତିଆରି କରିବ । 10 ଦିନ ମଧ୍ୟରେ ଏ ବାବଦ ରିପୋର୍ଟ ଦେବାକୁ ଉକ୍ତ କମିଟିକୁ କୁହାଯାଇଛି ।

ପ୍ରତ୍ୟେକ ଦିନ 11ଟା 30 ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ଉପସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ସେହିଭଳି ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ବିଜେଡିର ବିଧାୟକ ଦଳ ବୈଠକରେ ଏଭଳି କିଛି ଚରମବାଣୀ ଶୁଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଲଗାତର ପଞ୍ଚମ ଥର ପାଇଁ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ ଜିତିଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦଳର ଉତ୍ତମ ପ୍ରଦର୍ଶନ ଓ ଉତ୍ତରଦାୟିତ୍ବ ପାଳନ ପ୍ରତି କଠୋର ହୋଇଛନ୍ତି । ବିଧାନସଭାରେ ଦଳୀୟ ବିଧାୟକଙ୍କ ଉପସ୍ଥିତି, ନବାଗତ ବିଧାୟକଙ୍କ ଶ୍ରେଷ୍ଠତା ପ୍ରତିପାଦନକୁ ମୁଖ୍ୟମନ୍ତ୍ରୀ କେବଳ ଗୁରୁତ୍ବ ଦେଇନାହାନ୍ତି ବରଂ ଏହାର କଡ଼ାଗଣ୍ଡା ହିସାବ ନିଜେ ଦେଖିବେ ବୋଲି କହିଛନ୍ତି । ଆଜି ବିଧାନସଭା ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ବିଧାୟକ ଦଳ ବୈଠକ ବସିଥିଲା । ପାଟକୁରା ଏବଂ ବିଜେପୁର ଉପନିର୍ବାଚନ ଫଳାଫଳ ବିଜେଡ଼ି ଉପରେ ଲୋକଙ୍କ ଅତୁଟ ବିଶ୍ବାସକୁ ମନେ ପକାଇ ଦେଇଛି । ଏଥିପାଇଁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ହୋଇ ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଏହି ବୈଠକରେ କହିଛନ୍ତି ।

ବିଧାୟକମାନେ ସମୟାନୁବର୍ତ୍ତିତା ଏବଂ ନିଷ୍ଠାପର ସହକାରେ ବିଧାନସଭାରେ ଉପସ୍ଥିତ ରହି କାର୍ଯ୍ୟ କରିବେ । ଦୁଇ ଦିନରୁ ଅଧିକ ଦିନ ଛୁଟିରେ ରହିଲେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଗୃହରେ ବିଧାୟକଙ୍କ ଶତ ପ୍ରତିଶତ ଉପସ୍ଥାନକୁ ନିଜେ ତଦାରଖ କରିବେ ମୁଖ୍ୟମନ୍ତ୍ରୀ । ଗୃହରେ ବିଭିନ୍ନ ଆଲୋଚନାରେ ବିଧାୟକମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ବିଧାନସଭା ଆସିଥିବା ବିଧାୟକଙ୍କ କାର୍ଯ୍ୟଶୈଳୀକୁ ମୁଖ୍ୟମନ୍ତ୍ରୀ ନିଜେ ଦେଖିବେ । ଗୃହରେ ବିଧାୟକଙ୍କ ଉପସ୍ଥାନ ତଦାରଖ ସହ ଆନୁସଙ୍ଗିକ ତଥ୍ୟ ଓ କାଗଜପତ୍ର ସହ ଆଲୋଚନାରେ ଭାଗ ନେବା ପାଇଁ ଦଳ ପକ୍ଷରୁ ଟେକନୋଲୋଜିର ବ୍ୟବହାର କରାଯିବ ।

Share

Leave a Reply

Your email address will not be published. Required fields are marked *

fifteen + 17 =