ବିଜେପିରେ ଲଢେଇ ନାଁରେ ଥଇଥାନ ରାଜନୀତି

ଭୁବନେଶ୍ବର : ରାଜ୍ୟ ବିଜେପିରେ ବଢୁଛି ଅସନ୍ତୋଷ  । ମୁଷ୍ଟିମେୟ କିଛି ନେତାଙ୍କୁ ପ୍ରୋତ୍ସାହନ ଦିଆଯାଉଥିବାରୁ ତଳ ସ୍ତରର ନେତାଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି  । ରାଜନୈତିକ ପଟ୍ଟୁତା ଅଭାବ ସତ୍ତ୍ବେ ସେଇ କିଛି ହାତଗଣତି ନେତାଙ୍କୁ କେନ୍ଦ୍ରୀୟ ପ୍ରଭାରୀ ଓ ରାଜ୍ୟ ନେତୃତ୍ବ ସୁରକ୍ଷା ଦେବାକୁ ସବୁ ଦମ୍ ଲଗାଇ ଦେଇଛନ୍ତି । ଲଢେଇ ନାଁରେ ନିଜ ଲୋକଙ୍କୁ ଥଇଥାନ କରାଯାଉଛି ।

ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ନିକଟରେ ବିଜେପି ଛାଡ଼ିଥିବା ଯୁବ ନେତା ଲଲାଟେନ୍ଦୁ ଶତପଥୀ । ସେ ଚିଲିକାରୁ ସ୍ବାଧୀନ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି। ଲଲାଟେନ୍ଦୁଙ୍କୁ ବୁଝାଇବାକୁ ସମର୍ଥନ ରାଜ୍ୟ ନେତୃତ୍ବ ଏବେ ଚିନ୍ତାରେ ପଡିଯାଇଛନ୍ତି  । ଚିଲିକା ନିର୍ବାଚନମଣ୍ଡଳୀରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଟକ୍କର ହୋଇ ଆସୁଥିବାବେଳେ ଲଲାଟେନ୍ଦୁ ଦଳ ସପକ୍ଷରେ ଭୋଟ ଭିଡ଼ିବେ ବୋଲି ତାଙ୍କ ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଡାକ୍ତର ବିଭୁତିଭୂଷଣ ହରିଚନ୍ଦନଙ୍କ ପାଇଁ ସେ ଏକ ବଡ ଅସ୍ତ୍ର ଥିଲେ । ଏପରିକି ପଂଚାୟତ ନିର୍ବାଚନରେ ମଧ୍ୟ ଚିଲିକାରେ ବିଜେପିକୁ ଲଲାଟେନ୍ଦୁଙ୍କ ପାଇଁ ଭଳ ସଫଳତା ମିଳିଥିଲା ।

ଏଥର କିନ୍ତୁ ବିଜେପିର ଚିଲିକା ରାଜନୈତିକ ହଲଚଲ ଦେଖାଦେଇଛି  । ବିଧାୟକ ଡାକ୍ତର ବିଭୂତିଭୂଷଣ ହରିଚନ୍ଦନ ପୁଣି ଏହି ଆସନରୁ ଲଢିବେ ବୋଲି ଆଗ୍ରହ ପ୍ରକାଶ ରୁଥିବା ବେଳେ ତାଙ୍କ ପୁତୁରା ପୃଥ୍ବୀରାଜ ହରିଚନ୍ଦନ ବି ଏହି ଆସନକୁ ଆଖେଇଛନ୍ତି  । ଗତ ଥର ସେ ଭୁବନେଶ୍ବର ମଧ୍ୟ ଆସନରୁ ଲଢି ଅମାନତ ହରେଇଥିଲେ  । ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ଭୁବନେଶ୍ବର ଆସନରୁ ଲଢି ଜିତିବାର ସମ୍ଭାବନା ସେ ଦେଖିପାରୁନାହାଁନ୍ତି  । ତେଣୁ ସେ ଚିଲିକା ମୁହାଁଇଛନ୍ତି । ଯାହାକୁ ନେଇ ବିଧାୟକ ବିଭୂତିଭୂଷଣ ଅସନ୍ତୁଷ୍ଟ । ସେପଟେ ନିର୍ବାଚନମଣ୍ଡଳିରେ ବିଜେପି ସଂଗଠନକୁ ମଜବୁତ କରିବାରେ ପ୍ରମୁଖ ଅଂଶୀଦାର ଥିବା ଯୁବନେତାମାନେ ନିଜ ରାଜନୈତିକ ଭବିଷ୍ୟତ ନେଇ ଆଶଙ୍କାରେ  ।

ଲଲାଟେନ୍ଦୁ ଦୀର୍ଘଦିନ ଧରି ଚିଲିକାରେ ସଂଗଠନ କରି ଆସୁଥିବାବେଳେ ଗତ ପଂଚାୟତ ନିର୍ବାଚନରେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ଦଳର ଅନେକ ସରପଂଚ ଏବେବି ତାଙ୍କ ସହ ଅଛନ୍ତି । କିନ୍ତୁ ଲଲାଟେନ୍ଦୁଙ୍କ ପ୍ରଭାବ ହ୍ରାସ କରି ତାଙ୍କୁ ଚିଲିକା ରାଜନୀତିରୁ ହଟେଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା  । ଏନେଇ ଲଲାଟେନ୍ଦୁ ବିଭିନ୍ନ ଫୋରମରେ ଫେରାଦ ହୋଇଥିଲେ ବି କିଛି ସୁଫଳ ମିଳିନଥିଲା  । ଫଳରେ ଗତକାଲି ବିଧିବଦ୍ଧ ଭାବେ ସେ ଦଳ ଛାଡ଼ିଛନ୍ତି । ତାଙ୍କ ସାଂଗଠନିକ ଦକ୍ଷତାକୁ ଅଣଦେଖା କରିଥିବା ବିଜେପି ଆଗାମୀ ଦିନରେ ଏହାର ଫଳ ଭୋଗିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

ସଫ୍ଟୱେୟାର ଇଞ୍ଜନିୟର ଭାବେ କାର୍ଯ୍ୟ କରୁଥିବା ଲଲାଟେନ୍ଦୁ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ସାମିଲ ହୋଇଥିଲେ । ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ସେ ଥିଲେ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ । ୨୦୧୪ ସାଧାରଣ ନିର୍ବାଚନରେ ଦଳର ମିଶନ ୨୭୨+ର ରାଜ୍ୟପ୍ରଭାରୀ ମଧ୍ୟ ରହିଥିଲେ  । ଖାଲି ସେତିକିନୁହେଁ ବିଜେପି ଆଜି ସୋସିଆଲ ମିଡ଼ିଆରେ ଯେଉଁ ପ୍ରାଧାନ୍ୟ ବିସ୍ତାର କରିଛି ଲଲାଟେନ୍ଦୁ ତାହାର ମଙ୍ଗ ଧରିଥିଲେ । ସେ ବିଜେପି ଆଇଟି ସେଲର ଥିଲେ ପ୍ରତିଷ୍ଠାତା ଆବାହକ  । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଲଲାଟେନ୍ଦୁ ଦଳର ସଂଗଠନ ଦାୟିତ୍ବରେ ଥିଲେ  । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହ ସମ୍ପର୍କ ରଖିଥିବା ଲଲାଟେନ୍ଦୁ ପୂର୍ବତନ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ରଙ୍କ ଅନୁଗତ ଭାବେ ମଧ୍ୟ ବେଶ ଜଣାଶୁଣା  । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ଥିଲା  ।

Share

Leave a Reply

Your email address will not be published. Required fields are marked *

4 × one =