ରଜନୀକାନ୍ତ ଉପବାଚସ୍ପତି, ପ୍ରଣବ ଉପ ମୁଖ୍ୟ ସଚେତକ

ଭୁବନେଶ୍ବର () ଷୋଢଷ ବିଧାନସଭାର ଉପବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ । ଆଉ ସରକାରୀ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ । ବିଜେଡି ପକ୍ଷରୁ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପଦବୀ ପାଇଁ ମନୋନିତ କରାଯାଇଥିବା ବେଳେ ପ୍ରଣବଙ୍କୁ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି । ଏ ସଂପର୍କରେ ଦଳର ସାଧାରଣ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ ଇସ୍ତାହାର ଜରିଆରେ ଜଣାଇଛନ୍ତି ।

ରଜନୀକାନ୍ତ ସିଂହ ଅନୁଗୁଳରୁ ଲଗାତର ଭାବେ 2004ରୁ ବିଜେଡି ପ୍ରାର୍ଥୀ ଭାବେ ଜିତିଆସୁଛନ୍ତି । ସେ ଦୁଇ ବର୍ଷ ପାଇଁ 2012ରୁ 2014 ଯାଏଁ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ସମାଜସେବାରେ ଆଗ୍ରହ ରଖୁଥିବା ରଜନୀକାନ୍ତ 1982ରେ ନାଲକୋରେ ଯୋଗ ଦେଇଥିଲେ । ସେ 2004ରେ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ । ଅବସର ନେବା ସମୟରେ ସେ ନାଲକୋ ଅନୁଗୁଳ ସ୍ଥିତ କ୍ୟାପଟିଭ ପାୱାର ପ୍ଲାଣ୍ଟରେ ଚିଫ୍ ମ୍ୟାନେଜର ଅପରେସନ ଭାବେ କାର୍ଯ୍ୟ କରୁଥିଲେ । ସେ ଲଗାତାର 4 ଥର ସେହି ଆସନରୁ ନିର୍ବାଚିତ ହୋଇଆସୁଛନ୍ତି ।

ବିଜେଡିର ଦିବଂଗତ ବରିଷ୍ଠ ନେତା କଳ୍ପତରୁ ଦାସଙ୍କ ପୁଅ ପ୍ରଣବ 2014ରେ ଓଡିଶା ରାଜନୀତିରେ ପାଦ ଥାପିଥିଲେ । କଳ୍ପତରୁ ଦାସ ରାଜ୍ୟସଭାକୁ ମନୋନିତ ହେବା ପରେ ତାଙ୍କ ସ୍ଥାନରେ ତାଙ୍କ ପୁଅ ଧର୍ମଶାଳା ଆସନରୁ 2014ରେ ପ୍ରତିଦ୍ବନ୍ଦିତା କରି ଜିତିଥିଲେ । 2019ରେ ମଧ୍ୟରେ ସେ ସେହି ଆସନରୁ ଜିତିଛନ୍ତି । ନିଜ ଅଂଚଳରେ ଲୋକଙ୍କ ସମସ୍ୟା, ସେମାନଙ୍କ ସ୍ବାର୍ଥ ଏବଂ ଅଂଚଳର ବିକାଶ ପାଇଁ ଏକନିଷ୍ଠ ଭାବେ କାର୍ଯ୍ୟ କରୁଥିବା ପ୍ରଣବଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ଉପ ମୁଖ୍ୟ ସଚେତକ ଭାବେ ଗୁରୁଦାୟିତ୍ବ ଦେଇଛନ୍ତି । ଏଥର ଯାଜପୁର ଜିଲ୍ଲାରୁ କେହି ମନ୍ତ୍ରୀ ହୋଇନଥିଲେ ମଧ୍ୟ ପ୍ରମିଳା ମଲ୍ଲିକଙ୍କୁ ସରକାରୀ ମୁଖ୍ୟ ସଚେତକ ଭାବେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଏବଂ ପ୍ରଣବଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି ।

Share

Leave a Reply

Your email address will not be published. Required fields are marked *

two × 3 =