ଫୋନ କଲରେ ଶାହାଙ୍କ ମିଶନ 120 ସ୍ବପ୍ନ ଧୂଳିସାତ

ଭୁବନେଶ୍ବର () ରାଜ୍ୟସଭା ଉପସଭାପତି ନିର୍ବାଚନରେ ବିଜେଡି ସମର୍ଥନରେ ଜାତୀୟ ରାଜନୀତିରେ ନିଜର ସମ୍ମାନ ରକ୍ଷା କରିଛି ବିଜେପି । କେବଳ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧକ୍ଷ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ କରିନଥିଲେ ବରଂ ନିର୍ବାଚନ ଜିତିବା ପରେ ତାଙ୍କୁ ଧନ୍ୟବାଦ ବି ଜଣାଇଥିଲେ । ମାତ୍ର କେଇ ମିନିଟର ଦୁଇଟି ଫୋନ କଲ । କିନ୍ତୁ ଏଇ କିଛି ମିନିଟର ଫୋନ କଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ 120 ପ୍ଲସ ଆସନ ଦଖଲର ସ୍ବପ୍ନକୁ ଖଣ୍ଡଖଣ୍ଡ କରିଦେଇଛି ।

2017 ପଂଚାୟତ ନିର୍ବାଚନରେ ଅଳ୍ପ କିଛି ଅଧିକ ଆସନର ସଫଳତା ପାଇ ଦଳର ରାଜ୍ୟ ଓ କେନ୍ଦ୍ର ନେତାମାନେ ଓଡିଶାରେ ସରକାର ଗଠନର ନାରା ଦେଇଥିଲେ । ଏପରିକି ପଂଚାୟତ ଫଳାଫଳରେ ଦ୍ବିତୀୟ ସ୍ଥାନରେ ରହି ମଧ୍ୟ ଭୋଟ ହାରରେ ହରଣ, ଗୁଣନ, ମିଶାଣ କରି 120 ପ୍ଲସ ଆସନ ଦଖଲ ଦାବି କରିଥିଲେ ଅମିତ ଶାହା । ଏବେ କିନ୍ତୁ ଶାହାଙ୍କ ନିର୍ବାଚନ ରଣନୀତିକୁ ନେଇ ପ୍ରଶ୍ନ ଉଠିଛି ।

ଶାହାଙ୍କୁ ବିଜେପିରେ ଇଲେକ୍ସନ ମେସିନ ବୋଲି କୁହାଯାଏ  । କାରଣ ନିର୍ବାଚନ ସତେଯେମିତି ଶାହାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ଆଉ ଏଥିପାଇଁ ସେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ଶାହାଙ୍କ ଏଭଳି ନୀତିକୁ ନେଇ ରାଜ୍ୟ ବିଜେପିରେ ତୃଣମୂଳ ଓ ମଧ୍ୟମ ସ୍ତରର ନେତାମାନେ ସହଜରେ ଗ୍ରହଣ କରିପାରୁନଥିଲେ । ଏପରିକି ଶାହାଙ୍କ ଅସମ୍ଭବ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କ ସହ ସ୍ବର ମିଳାଉଥିବା ନେତୃତ୍ବ ପ୍ରତି ମଧ୍ୟ ଦଳ ଭିତରେ ବିଦ୍ରୋହ କୁହୁଳୁଥିଲା । ରାଜ୍ୟସଭା ଉପସଭାପତି ନିର୍ବାଚନରେ ଶାହା ନବୀନଙ୍କୁ ଫୋନ କରି ସମର୍ଥନ ଲୋଡିବା ଏବଂ ପରେ ଧନ୍ୟବାଦ ଦେବା ରାଜ୍ୟ ବିଜେପି ନେତାଙ୍କ ନୈତିକ ମନୋବଳକୁ ଶକ୍ତ ଧକ୍କା ଦେଇଛି । ଶାହାଙ୍କ ଟାକ୍ସ ହେଉ ବା ପଂଚାୟତ ନିର୍ବାଚନର ସଫଳତା, ରାଜ୍ୟ ବିଜେପି ନେତା ଓ କର୍ମୀଙ୍କୁ ବିଜେଡି ବିରୋଧରେ ଲଢିବାର ଏକ ମନୋବଳ ଯୋଗାଇଥିଲା । ଏବେ ଶାହାଙ୍କ ନିର୍ବାଚନ ଜିତିବାର ଅହଂ ବିଜେପି ନେତା ଓ କର୍ମୀଙ୍କ ମାନସିକତାକୁ ଦୋହଲାଇ ଦେଇଛି । ଦଳ ମଧ୍ୟରେ ଏଥିପାଇଁ ଅସନ୍ତୋଷର ସ୍ବର ବି ତୀବ୍ର ହୋଇଛି । ବରିଷ୍ଠ ନେତା ବିଜୟ ମହାପାତ୍ର ଦଳ ବିଶ୍ବାସନୀୟତା ହରାଇବ ବୋଲି ଆଶଙ୍କା ପ୍ରକାଶ କରିସାରିଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ବହୁ ସଂଖ୍ୟାରେ ଆସନ ହରାଇବ ବୋଲି ଆକଳନ କରାଯାଉଛି । ପୂର୍ବ ଭାରତରେ ଓଡିଶା ଓ ପଶ୍ଚିମବଙ୍ଗରୁ ଏହାର ଭରଣା କରିବାକୁ ରାଷ୍ଟ୍ରୀୟ ନେତାମାନେ ଆଶା ରଖିଛନ୍ତି । 2014ରେ ବିଜେପି କେନ୍ଦ୍ରରେ କ୍ଷମତା ଦଖଲ କରିବା ପରେ ଶାହା ଏଭିତରେ 9 ଥର ଓଡିଶା ଗସ୍ତ କରିସାରିଲେଣି । ପ୍ରତିଥର ସେ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର ଉପରେ ବଳିଷ୍ଠ ଆରୋପ ଲଗାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଆକ୍ରମଣ କରିଛନ୍ତି । କିନ୍ତୁ ପରବର୍ତ୍ତି ସମୟରେ ଏହାର କୌଣସି ପ୍ରଭାବ ପଡିନି । ପଂଚାୟତ ନିର୍ବାଚନରେ କଂଗ୍ରେସର ନିଷ୍କ୍ରିୟତାର ସୁଯୋଗ ନେଇ ବିଜେପି କିଛି ଅଧିକ ଆସନ ଦଖଲ କରିଛି ସତ କିନ୍ତୁ କୋରାପୁଟ, ନୂଆପଡା, କଟକ ଆଦି ଯେତେସବୁ ପଂଚାୟତ ଓ ମହାନଗର ନିଗମ ଉପନିର୍ବାଚନ ହୋଇଛି ସେଠି ବିଜେପିକୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ବିଜେପୁର ନିର୍ବାଚନରେ ମଧ୍ୟର ସେହିଭଳି 40ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ହାରିଥିଲେ ।

ଏସବୁ ଫଳାଫଳକୁ ଦେଇ ଶାହା ରାଜ୍ୟର ସମସ୍ତ 36ହଜାର ବୁଥରେ ବୁଥ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ 120 ଆସନ ଦଖଲ କରିବାକୁ ଶାହା ଦେଇଥିବା ଟାକ୍ସ ପୂରଣ କରିପାରୁନାହାଁନ୍ତି ରାଜ୍ୟ ନେତୃତ୍ବ । ବିଜେଡି ବିରୋଧରେ 120 ଆସନ ଦଖଲର ସ୍ବପ୍ନ ଦେଖୁଥିବା ଏହି ଜାତୀୟ ଦଳ ଓ ଶାହାଙ୍କ ଟିମ ସବୁ ବୁଥରେ ନିଜସ୍ବ କମିଟି ଗଠନ କରିପାରୁନାହାଁନ୍ତି । ଅପରପକ୍ଷରେ 2009ରୁ ବିଜେପି ସହ ସଂପର୍କ ଛିନ୍ନ କରିବା ପରେ ନବୀନ ରାଜ୍ୟ ଓ କେନ୍ଦ୍ରରେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରି ଦୁଇ ଦଳ ପାଇଁ ବିରାଟ ଚ୍ୟାଲେଂଜ ଦେଇଛନ୍ତି । ଜାତୀୟ ରାଜନୀତିରେ କୌଣସି ଆଗ୍ରହ ରଖୁନାହାଁନ୍ତି ନବୀନ । କିନ୍ତୁ ଦିଲ୍ଲୀ ଦରବାରରେ ବିଜେପି ଓ କଂଗ୍ରେସ କେହି ବି ନବୀନଙ୍କୁ ଅଣଦେଖା କରିବାକୁ ଉଚିତ ମଣୁନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

one + 11 =