ଜିଏସ୍ଟି ପରିସରଭୁକ୍ତ ହେବ ପେଟ୍ରୋଲ, ଡିଜେଲ!

ନୂଆଦିଲ୍ଲୀ (): ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ପରିସର ଭୁକ୍ତ କରିବା ପାଇଁ ସରକାରଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।  ଜିଏସଟି ପରିସର ଭୁକ୍ତ ହେବା ପରେ ବି ପେଟ୍ରୋଲ ଏବଂ ଡିଜେଲ ଉପରୁ ରାଜ୍ୟରେ ଲାଗୁଥିବା ଭ୍ୟାଟ ହଟିବ ନାହିଁ ବୋଲି ସୂଚନା ମିଳିଛି । ଅର୍ଥାତ ପେଟ୍ରୋଲ ଏବଂ ଡିଜେଲରେ ଜିଏସ୍ଟି ସହ ଭ୍ୟାଟ ଲାଗିବ । ତେବେ ପେଟ୍ରୋଲ ଏବଂ ଡିଜେଲକୁ ୨୮% ଜିଏସ୍ଟି ଟିକସ୍ ପରିସରରେ ରଖିବା ପାଇଁ ପ୍ରସ୍ତୁତି ଚାଲିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ କହିବା ଅନୁସାରେ ପେଟ୍ରୋଲ ଏବଂ ଡିଜେଲ ଜିଏସ୍ଟି ପରିସର ଭୁକ୍ତ ହେଲେ କେନ୍ଦ୍ରକୁ ୨୦୦୦ କୋଟି ଟଙ୍କାର ଇନପୁଟ ଟିକସ୍ ଋଣକୁ ଛାଡ଼ିବାକୁ ପଡ଼ିବ । ବିଶ୍ବର କୌଣସି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକକ ଜିଏସ୍ଟି ଲାଗୁ ହୋଇନାହିଁ । ତେଣୁ ଭାରତରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଭଳି ତୈଳ ଉପରେ ଜିଏସଟି ସହ ଭ୍ୟାଟ ମିଶିକି ଟିକସ୍ ଲାଗିବ । ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୧୯.୪୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୫.୩୩ ଟଙ୍କା ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଉପରେ ୨୭% ଏବଂ ଡିଜେଲ ଉପରେ ୧୭.୨୪% ଭ୍ୟାଟ୍ ଆଦାୟ କରାଯାଉଛି ।ଏହି ଭଳି କେନ୍ଦ୍ର ଏବଂ ରାଜ୍ୟ ଟିକସ୍ ମିଶି ପେଟ୍ରୋଲ ଉପରେ ୪୫ରୁ ୫୦% ଏବଂ ଡିଜେଲ ଉପରୁ ୩୫ରୁ ୪୦% ଟିକସ୍ ଲାଗୁ ହେଉଛି । ଯଦି ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସଟି ଏବଂ ଭ୍ୟାଟ ଲାଗୁ ହୁଏ ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯିବ ।

ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୬.୨୭ ଟଙ୍କା ରହିଛି । ଏହା ମଧ୍ୟରେ ୪୬% ଟିକସ୍ ରହିଛି । ଡିଲରଙ୍କୁ ପେଟ୍ରୋଲ ଲିଟର ପିଛା ୩୬.୯୬ ଟଙ୍କାରେ ମିଳୁଛି । ଏହା ଉପରେ କମିଶନ ୩.୬୨ ଟଙ୍କା, ଉତ୍ପାଦ ଶୁଳ୍ପ ୧୯.୪୮ ଟଙ୍କା, ଦିଲ୍ଲୀରେ ଭ୍ୟାଟ୍ ଟିକସ୍ ୨୭% ଅର୍ଥାତ ୧୬.୨୧ ଟଙ୍କା ଲାଗୁଛି । ପେଟ୍ରୋଲ ଲିଟର ପିଛା ୩୬.୯୬ ଟଙ୍କା ଏବଂ ମୋଟ ଟିକସ୍ ୩୫ ଟଙ୍କା ୬୯ ପଇସା ମିଶି ଦର ଲିଟର ପିଛା ୭୬.୨୭ ଟଙ୍କାରେ ପହଞ୍ଚିଯାଉଛି । ଯଦି ପେଟ୍ରୋଲ ଉପରେ ୨୮% ଜିଏସଟି ଲାଗେ ତେବେ ଟିକସ୍ ୧୦.୩୪ ଟଙ୍କା, ଦିଲ୍ଲୀରେ ଭ୍ୟାଟ୍ ୨୭% ଅର୍ଥାତ ୧୩.୭୪ ଟଙ୍କା ମିଶି ଲିଟର ପିଛା ୬୪.୬୬ ଟଙ୍କାରେ ପହଞ୍ଚିବ । ପେଟ୍ରୋଲ ଜିଏସଟି ପରିସରଭୁକ୍ତ ହେଲେ ଲିଟର ପିଛା ୧୧ ଟଙ୍କା ଶସ୍ତା ହୋଇଯିବ ।

Share

Leave a Reply

Your email address will not be published. Required fields are marked *

18 − sixteen =