ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ () ସଂସଦର ମୌସୁମୀ ଅଧିବେଶନ-୨୦୧୮ ଜୁଲାଇ ୧୮ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ଶେଷ ହେବ । କେନ୍ଦ୍ର ରସାୟନ, ସାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଆଜି ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକ ପରେ ଅନନ୍ତ କୁମାର ଗଣମାଧ୍ୟମକୁ ଏହା କହିଛନ୍ତି ।

ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟଦିବସ ରହିବ ବୋଲି ସେ କହିବା ସହ ଗୃହକାର୍ଯ୍ୟକୁ ଫଳପ୍ରଦ କରିବା ପାଇଁ ସରକାରଙ୍କ ସହ ସମସ୍ତ ରାଜନୈତିକ ଦଳର ଗଠନମୂଳକ ସହଯୋଗ କାମନା କରିଛନ୍ତି । ନିକଟରେ ଜାରି ହୋଇଥିବା ମୋଟ ୬ଟି ଅଧ୍ୟାଦେଶକୁ ଅଧିବେଶନରେ ଗୃହୀତ କରାଇବାକୁ ପ୍ରସ୍ତାବ ରହିଛି ।

ମନ୍ତ୍ରୀ କହିଲେ ଯେ, ସରକାର ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ କରାଇବାକୁ ଏହି ଅଧିବେଶନ କାଳରେ ଆଗତ କରିବେ । ସେଥିରେ ରହିଛି, ସମ୍ବିଧାନ (୧୨୩ତମ ସଂଶୋଧନ) ବିଲ୍-୨୦୧୭, ମୁସଲିମ ମହିଳା (ବିବାହର ସୁରକ୍ଷା ଏବଂ ଅଧିକାର) ବିଲ୍-୨୦୧୭, ତୃତୀୟ ଲିଙ୍ଗ ବ୍ୟକ୍ତି (ସୁରକ୍ଷା ଏବଂ ଅଧିକାର) ବିଲ୍-୨୦୧୬, ନ୍ୟାସନାଲ ମେଡିକାଲ କମିସନ ବିଲ୍-୨୦୧୭, ରାଇଟ୍ସ ଅଫ୍ ଚିଲଡ୍ରେନ ଟୁ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ (ଦ୍ବିତୀୟ ସଂଶୋଧନ) ବିଲ୍-୨୦୧୭ ।

ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ. କୁରିଏନଙ୍କ କାର୍ଯ୍ୟକାଳ ଏ ମାସ ଶେଷ ହେଉଥିବାରୁ ଅଧିବେଶନ କାଳରେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନନ୍ତ କୁମାର କହିଥିଲେ ।

Share

Leave a Reply

Your email address will not be published. Required fields are marked *

1 × five =