ଆସନ୍ତା କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ

ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି । ଗତକାଲି ୧୧ ଜିଲ୍ଲାର ବୁଥକୁ ପୋଲିଂ ପାର୍ଟି ଯାଇଥିବା ବେଳେ ଆଜି ୧୯ ଜିଲ୍ଲାର ବୁଥକୁ ଯିବେ ପୋଲିଂ କର୍ମଚାରୀ । ଆସନ୍ତାକାଲି ସକାଳ ୭ରୁ ଦିନ ୧ ପର୍ୟ୍ୟନ୍ତ ମତଦାନ ହେବ । ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯାଇଛି ।
ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟରମାନେ ୪ଟି ଭିନ୍ନଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟ ଦେବେ । ୨୪ ତାରିଖରେ ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ୟ୍ୟନ୍ତ ଭୋଟ ଗଣତି ହେବ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଜିଲ୍ଲା ପରିଷଦ ହାତେଇବା ପାଇଁ ବଳ କଷିଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ସୁପ୍ରିମୋ ପ୍ରଚାରକୁ ଓହ୍ଲାଇନଥିବାବେଳେ ମନ୍ତ୍ରୀ, ସାଂସଦ ଓ ବିଧାୟକ ଗଡ଼ ସମ୍ଭାଳିଛନ୍ତି । ନବୀନଙ୍କ ବିକାଶ ଧାରାକୁ ଲୋକ ପସନ୍ଦ କରୁଥିବାରୁ ବିଜେଡି ସପକ୍ଷରେ ହାଓ୍ବା ରହିଛି । ବିଜେପି ପାଇଁ ଫଳାଫଳ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ନିଜ ସ୍ଥିତି ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ।

Share

Leave a Reply

Your email address will not be published. Required fields are marked *

14 + one =