147 ଆସନ ପାଇଁ ପାଉନାହାଁନ୍ତି ପ୍ରାର୍ଥୀ!

ଭୁବନେଶ୍ବର () : ରାଜ୍ୟର ଦୁଇ ପ୍ରମୁଖ ବିରୋଧୀଦଳ କଂଗ୍ରେସ ଓ ବିଜେପିରେ ଏବେ ପ୍ରାର୍ଥୀ ସଙ୍କଟ ସମସ୍ୟାରେ ଜର୍ଜରିତ । ଆସନ୍ତା ବିଧାନସଭା ନିର୍ବାଚନରେ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବାପାଇଁ ଯେତେ କସରତ କଲେ ବି ଫଳ ବାହାରି ପାରୁନାହିଁ । ଯେଉଁମାନେ ପ୍ରାର୍ଥୀ ହେବାକୁ ପାଗଭିଡି ବସିଛନ୍ତି ସେମାନଙ୍କ ଜିଣିବା ସହଜ ହୋଇନଥିବାବେଳେ ଜିଣିବା ଲୋକଙ୍କୁ ପ୍ରାର୍ଥୀ ନକରାଇ ଦେବାପାଇଁ ଦୁଇ ଦଳରେ ଆରମ୍ଭ ହୋଇଗଲାଣି ଗୋଡଟଣା କାରବାର । ଆଗାମୀ ଦିନରେ ଏହା କେବଳ ବିଜେଡିକୁ ସୁହାଇବ ବୋଲି ଏବେ ଠାରୁ ଅନୁମାନ କରାଗଲାଣି ।

ନିଜକୁ ଏକ ନମ୍ବର ବିରୋଧିଦଳ ବୋଲି ଦାବି କରୁଥିବା ବିଜେପି ଏବେ ୧୪୭ଟି ବିଧାନସଭା ଆସନରେ ଜିଣିବା ଭଳି ପ୍ରାର୍ଥୀ ପାଉନଥିବା ସୂଚନା ମିଳିଛି । ଯେଉଁ ପ୍ରାର୍ଥୀମାନେ ମିଳୁଛନ୍ତି ସେମାନେ ୧୨୦ ମିଶନକୁ ବହୁ ପଛରେ ପକାଇ ଦେବେ ବୋଲି ଉପର ସ୍ତରରେ ଆଲୋଚନା ଚାଲିଛି । ଏହି ଦଳରେ ଗୋଷ୍ଠି ବିବାଦ ଚରମସୀମାରେ ଥିବାରୁ କାହାର କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଏବେଠାରୁ ଟଣାଓଟରା ଆରମ୍ଭ ହୋଇଛି । ଇତି ମଧ୍ୟରେ ଦିଲ୍ଲୀପ ରାୟଙ୍କ ଭଳି ବିଧାୟକ ଦଳ ଛାଡିଥିବାବେଳେ ଆଉ କିଛି ବିଧାୟକ ବିଜେପି ଛାଡିବା ନେଇ ଆଲୋଚନା ଚାଲିଛି । ଗତ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହୋଇ ହାରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଦେଖାଦର୍ଶନ ନାହିଁ । ଯେଉଁମାନେ ବି ମୁହଁ ଦେଖାଉଛନ୍ତି ସେମାନେ କେଉଁ ଗୋଷ୍ଠିର ବୋଲି ଚିହ୍ନଟ ଚାଲିଛି । ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳ ଅପେକ୍ଷା ଉପକୂଳ ଓଡିଶାରେ ବିଜେପିର ପ୍ରାର୍ଥୀ ସଙ୍କଟ ଅଧିକ ଥିବା ଦେଖିବାକୁ ମିଳୁଛି ।

ଅନୁରୂପ ଅବସ୍ଥା କଂଗ୍ରେସରେ । ଏହିଦଳ ତାହାର ସମସ୍ତ ବିଧାୟକଙ୍କୁ ଟିକଟ ଦିଆଯିବ ବୋଲି ଆଗୁଆ ଘୋଷଣା କରିଥିବାବେଳେ ଇତି ମଧ୍ୟରେ ତିନି ବିଧାୟକ ନବ, ଯୋଗେଶ ଓ ସଗରିଆ ବାଡ ଡେଇଁ ପଳାଇଲେଣି । ଆଉ କାଳେ କିଏ ଡିଆଁମାରିବେ ସେଥିପାଇଁ ପିସିସି କଠୋର ନୀତି ଆପଣେଇବାରେ ଲାଗିଛି । ଅନ୍ୟ ପକ୍ଷରେ ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ୪୦ ଆସନର ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀରେ । ଏହି ତାଲିକା କେବେ ଘୋଷଣା ହେବ ତାହା କେହି କହିପାରୁ ନାହାନ୍ତି । ଦଳରେ ଗୋଷ୍ଠି କନ୍ଦଳ ତୀବ୍ର ଥିବାବେଳେ କଂଗ୍ରେସର ସାମାନ୍ୟ ଉତ୍‍ଥାନ ଦେଖି ଗୋଟିଏ ଗୋଟିଏ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ହେଲେ ଏମାନଙ୍କ ମଧ୍ୟରୁ କିଏ ଜିଣିବ ତାହା ଖୋଦ ପିସିସି ସଭାପତି ବି ଆକଳନ କରିପାରୁ ନାହାନ୍ତି । ଯିଏ ଆସୁଛି ସମସ୍ତଙ୍କୁ ମୁଣ୍ଡ ଟୁଙ୍ଗାରୁଥିବା ଦେଖିବାକୁ ମିଳୁଛି ।

ଦୁଇ ଦଳର ଏଭଳି ଅବସ୍ଥା ଥିବାବେଳେ ବିଜେଡିରେ କିନ୍ତୁ ପ୍ରାର୍ଥୀ ବଳକା ହେଲେଣି । ବିଶେଷକରି ଦଳ ମଧ୍ୟକୁ ଡିଆଁମାରି ଧଶେଇ ପଶି ଆସୁଥିବା ଅନ୍ୟଦଳର ନେତାମାନେ ଏଠାରୁ ଟିକଟ ନେଇ ପଳାଇବା ଆଶଙ୍କା ଦେଖାଦେବାରୁ ୧୧୮ର ବିଧାୟକ ଥିବା ଶାସକଦଳରେ ମଧ୍ୟ ଶେଷ ମୂହୂର୍ତ୍ତରେ ଗଣ୍ଡଗୋଳିଆ ସ୍ଥିତି ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏଠାରେ ଥିବା ଓ ଆସୁଥିବା ଅଧିକାଂଶ ନେତା ଜିଣିବାର ଦମ୍‍ ରଖିଥିବାରୁ ବିଜେପି ଓ କଂଗ୍ରେସ ଭଳି ଏଠାରେ ପ୍ରାର୍ଥୀସଙ୍କଟ ଦେଖାଦେବନାହିଁ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

19 − 8 =