ହକ୍ ପାଇଁ ଜାରି ରହିବ ଲଢେଇ

ପ୍ରତିଶୃତି ଭୁଲିଗଲା ବିଜେପି

ଭୁବନେଶ୍ବର () : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଉଠାଇଛନ୍ତି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି । ଆଜି ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, 2014ରେ ନିଜ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରଥମ ଏଜେଣ୍ଡା ଭାବେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ ସ୍ଥାନ ଦେଇଥିଲା । ଏବେ କିନ୍ତୁ ବିଜେପି ନେତାମାନେ ଏହି ପ୍ରତିଶୃତିକୁ ଭୁଲିଯାଇଛନ୍ତି । 2019ରେ ରାଜ୍ୟବାସୀ ବିଜେପିକୁ ଏହାର ଜବାବ ଦେବେ ।

ଆଉ ମାତ୍ର ମାସ କେଇଟା ପରେ ସାଧାରଣ ନିର୍ବାଚନ । ତାପୂର୍ବରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର ସରକାର ବିରୋଧୀ ରଣନୀତିକୁ ଚେକ ଦେଇଛନ୍ତି । ଭୁବନେଶ୍ବରର ଝାରପଡା ଅଂଚଳରେ ଆୟୋଜିତ ବିଜେଡିର ଜନସଂପର୍କ ପଦଯାତ୍ରାରେ ଯୋଗ ଦେଇ ନବୀନ ସ୍ବତନ୍ତ୍ର ରାଜ୍ୟ ମାନତା ରାଜ୍ୟର ହକ ଏବଂ ଏଥିପାଇଁ ଲଢେଇ ଜାରି ରହିବ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, 2000 ମସିହାରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ବିଜେପି ଓ ବିଜେଡି ମଧ୍ୟରେ ରାଜନୈତିକ ମେଣ୍ଟ ହୋଇଥିଲା । 2009ରେ ମେଣ୍ଟ ଭାଙ୍ଗିବା ପରେ 2014ରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ଏହି ପ୍ରସଙ୍ଗକୁ ଏକ ନମ୍ବର ପ୍ରତିଶୃତି ଭାବେ ରଖାଯାଇଥିଲା । ଏହା ଦେଖି ସେ ଖୁସୀ ହୋଇଯାଇଥିଲେ, ଆଶା କରିଥିଲେ ଓଡିଶାବାସୀ ନ୍ୟାୟ ପାଇବେ ।

ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଲେ ଯୁବକଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ମିଳିବ । ରାଜ୍ୟକୁ ଟିକସ ଛାଡ ମିଳିବ । ଅନେକ ଶିଳ୍ପ ଆସିବ, ନିଯୁକ୍ତିର ସୁଯୋଗ ମଧ୍ୟ ବଢିବ । ଦ୍ବିତୀୟ ଲାଭ ହେଉଛି, ଏବେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ଓ ରାଜ୍ର ଭାଗ ପଚାଶ-ପଚାଶ ରହୁଛି । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଲେ ଏହି ଭାଗ 90-10 ପ୍ରତିଶତ ରହିବ । ଏହାଦ୍ବାରା ବଳକା ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମୀ ଓ ଅନ୍ୟାନ ବିକାଶ କାମରେ ଖର୍ଚ୍ଚ କରାଯାଇପାରିବ । କନ୍ତୁ ଚୌକି ଲୋଭରେ ବିଜେପି ତାର ପ୍ରତିଶୃତି ଭୁଲିଗଲାଣି ବୋଲି ନବୀନ ଆକ୍ଷେପ କରିଛନ୍ତି ।

ଓଡିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ବହୁ ଧନ ସମ୍ପତ୍ତି ନଷ୍ଟ ହେଉଛି । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ କଣ ଏହା ଯଥେଷ୍ଟ ପୃଷ୍ଠଭୂମୀ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । 2014ର ଏହି ପ୍ରତିଶୃତି କଥା 2019ରେ ଲୋକେ ମନେ ପକାଇଦେବେ । ସେ କହିଛନ୍ତି ଯେ, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଓଡିଶାର ହକ । ଏଥିପାଇଁ ଲଢେଇ ଜାରି ରହିବ ।

Share

Leave a Reply

Your email address will not be published. Required fields are marked *

five × three =