ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଅଧିକାର ଆଇନକୁ ନେଇ ହିଂସା ଲାଗି ରହିଛି । ପୂର୍ବାପେକ୍ଷା ହିଂସା କମିଥିବା ବେଳେ ଏବେବି ପରିସ୍ଥିତିରେ ସୁଧାର ଆସିନି । ତେବେ ୫ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଏଏ ସହ ଭାରତୀୟଙ୍କ କିଛି ସମ୍ପର୍କ ନାହିଁ । କେବଳ ବିଦେଶୀଙ୍କ ସହ ଏହାର ସମ୍ପର୍କ । ବିଜେଡି ସାଂସଦମାନେ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ, ସିଏଏ ସହ ଏନଆରସିର କୌଣସି ସଂପର୍କ ନାହିଁ । ଏନଆରସିକୁ ବିଜେଡି ବିରୋଧ କରୁଛି । ତେଣୁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏନଆରସି ପ୍ରସଙ୍ଗରେ ବିଜେଡି ଦୈତ ମତ ରଖୁଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ କରିଥିଲେ ତାକୁ ମଧ୍ୟ ଖଣ୍ଡନ କରିଛି ବିଜେଡି । ଶୀତ ଅଧିବେଶନରେ ସଂସଦର ଉଭୟ ଗୃହରେ ସିଏଏ ସଂପର୍କରେ ଆଲୋଚନା ଚାଲିଥିବା ବେଳେ ବିଜେଡି ସାଂସଦମାନେ କଣ କହିଥିଲେ ଦଳ ତାକୁ ପୁଣିଥରେ ମନେ ପକାଇ ଦେଇଛି । ଡିସେମ୍ବର ୧୧ ତାରିଖରେ ରାଜ୍ୟସଭାରେ ବିତର୍କରେ ଅଂଶଗ୍ରହଣ କରି ସିଏଏ ପ୍ରସଙ୍ଗରେ ମତ ରଖିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସେତେବେଳେ ସେ କହିଥିଲେ ଯେ, ସିଏଏ ସହ ଏନଆରସିର ଲିଙ୍କ ନଥିବା ବିଜେଡି ଅନୁଭବ କରୁଛି । ଏନଆରସି ଏକ ଭିନ୍ନ ପ୍ରସଙ୍ଗ, ଯାହା ଉପରେ ଲମ୍ବା ବିତର୍କର ଆବଶ୍ୟକ ଥିବା ସାଂସଦ ଡ. ପାତ୍ର ଉଲ୍ଲେଖ କରିଥିଲେ । ଏହା ସହ ୩ଟି ପ୍ରସ୍ତାବ ମଧ୍ୟ ଦେଇଥିଲେ ।

ସେହିପରି ଲୋକସଭାରେ ଯାଜପୁରର ସାଂସଦ ଶର୍ମିଷ୍ଠା ସେଠୀ ସମାନ ମତ ରଖିଥିଲେ। ଏନଆରସି ସହ ଏହାର କୌଣସି ସଂପର୍କ ନଥିଲେ ଦର୍ଶାଇଥିଲେ । ତେଣୁ ଦଳ ଉଭୟ ମତ କେବେବି ପ୍ରକାଶ କରିନାହିଁ ଏବଂ ରାଷ୍ଟ୍ରୀୟ ହିତରେ ବିଲକୁ ସମର୍ଥନ କରିଥିବା ବେଳେ ଏନଆରସିକୁ ବିରୋଧ କରିଥିବା ପୂର୍ବରୁ ବିଜେଡିର ନେତାମାନେ ପ୍ରତିକ୍ରିୟାରେ କହିସାରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଦଳର ମତକୁ ସ୍ପଷ୍ଟଭାବେ ଦର୍ଶାଇବା ସହ ଗୁଜବରେ ଲୋକେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − sixteen =