ଓଡିଆ କ୍ରିଡାବିତଙ୍କୁ ନବୀନଙ୍କ ପ୍ରୋତ୍ସାହନ

ଭୁବନେଶ୍ବର () ଓଡିଶାର ଖୀପ୍ରତମ ଧାବିକା ଦୂତି ଚାନ୍ଦ ଏବେ ଦେଶର ଡାର୍ଲିଂ ପାଲଟିଛନ୍ତି । ଏସିଆନ ଗେମରେ ପିଟି ଉଷାଙ୍କ ପାଇଁ ଦ୍ବିତୀୟ ଭାରତୀୟ କ୍ରିଡାବିତ ଯିଏ ଦୁଇଟି ଇଭେଣ୍ଟରେ ପଦକ ହାସଲ କରିଛନ୍ତି । ଗୋଟେ ସମୟରେ ତାଙ୍କଠି ଆଣ୍ଡୋଜେନର ମାତ୍ର ଅଧିକ ଥିବା କାରଣ ଦର୍ଶାଇ ଆନ୍ତର୍ଜାତିକ ଆଥଲେଟିକ ଫେଡେରେସନ ତାଙ୍କୁ ବ୍ୟାନ କରିଥିଲା । ସେହି ଦୂତି ଗତକାଲି ଏସିଆନ ଗେମରେ ଦେଶ ପାଇଁ ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରି ଫେରିବା ପରେ ବିମାନ ବନ୍ଦରରେ ତାଙ୍କୁ ଦିଆଯାଇଥିଲା ଉଚ୍ଛ୍ବସିତ ସମ୍ବର୍ଦ୍ଧନା ।

ଆନ୍ତର୍ଜାତିକ ଆଥଲେଟିକ ଫେଡେରେସନର ବ୍ୟାନ ବିରୋଧରେ କ୍ରିଡା ସଂପର୍କିତ କୋର୍ଟ ଅଫ ଆର୍ବିଟ୍ରେସନରେ ସଫଳତା ପାଇଥିବା ଦୂତି ନିଜର ଅଦ୍ଧବସାୟ ଏବଂ ଚେଷ୍ଟାରେ ଆଜି ଏସିଆନରେ ଓଡିଶାର ଏକମାତ୍ର କ୍ରିଡାବିତ ଭାବେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଭାରତର ଦ୍ବିତୀୟ ଏବଂ ଏସିଆର ଖୀପ୍ରତମ ଧାବିକା ଦୂତି କୋର୍ଟ ଅଫ ଆର୍ବିଟ୍ରେସନରେ ଆଇନଗତ ଲଢେଇ ଲଢୁଥିବା ସମୟରେ ତାଙ୍କୁ ମାନସିକ ସହାୟତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏବେ ମଧ୍ୟ ଦୂତିଙ୍କୁ ସେଇ ମାନସିକ ଶକ୍ତି ସହ ଆର୍ଥିକ ସହୟତା ଏବଂ ସର୍ବୋପରି ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ଦୂତିଙ୍କ ସବୁ ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି ନବୀନ । ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଦୂତିଙ୍କୁ କୌଣସି ପ୍ରକାର ବିଧିବଦ୍ଧ ତାଲିମ ମିଳିନି । କେବଳ ନିଜର ଚେଷ୍ଟାରେ ସେ ଆଜି ଏ ସ୍ଥାନରେ ପହଁଚିପାରିଛନ୍ତି, ଯେଉଁଠି ଆଗାମୀ ଦିନରେ ତାଙ୍କ ପଛରେ ବିଜ୍ଞାପନ କମ୍ପାନୀ ଓ ସ୍ପନସରଙ୍କ ଲମ୍ବା ଲାଇନ ଲାଗିବ ।

2020ରେ ଟୋକିୟୋରେ ଖେଳାଯିବାକୁ ଥିବା ଅଲମ୍ପିକ୍ସ ଗେମ ପାଇଁ ଦୂତିଙ୍କ ତାଲିମର ସବୁ ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନିଶ୍ଚିତ ଭାବେ ଦୂତିଙ୍କ ପଛରେ କିଛି କ୍ରିଡା ସ୍ପନସର ଲାଇନ ଲଗାଇବେ । ଏପରିକି ନୂଆ କ୍ରିଡା ବର୍ଷ ପୂର୍ବରୁ ତାଙ୍କୁ ବ୍ରାଣ୍ଡ ପ୍ରମୋସନ ପାଇଁ ବି ବିଜ୍ଞାପନ ସଂସ୍ଥା ଲୋଭନୀୟ ଅଫର ଦେବେ । ଆଗକୁ ଦୂତିଙ୍କ ଆର୍ଥିକ, ସାମାଜିକ ସ୍ଥିତିରେ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଥିବା ବେଳେ ଏସବୁ ସବୁର ଶ୍ରେୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ।

କେବଳ ଦୂତିଙ୍କୁ ନୁହେଁ, ଜାକର୍ତ୍ତା ଠାରେ ଚାଲିଥିବା ଏସିଆନ ଗେମରେ ରୌପ ପଦକ ହାସଲ କରିଥିବା ଭାରତୀୟ ମହିଳା ହକି ଟିମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ 20 ବର୍ଷ ପରେ ମହିଳା ହକି ଟିମ ଏସିଆନ ଗେମର ଫାଇନାଲ ଖେଳିଛି ।

ଜାତୀୟ ମହିଳା ହକି ଟିମରେ ଓଡିଶା ହକି ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସୁନିତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଂଜ ଓ ଦୀପଗ୍ରେସ ଏକକାଙ୍କୁ ଏକ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଓଡିଶା ହକିକୁ ବିଶ୍ବ ସ୍ତରରେ ପ୍ରୋତ୍ସାହିତ କରୁଥିବା ବେଳେ ଏହା ଜାତୀୟ ହକି ଟିମକୁ ସ୍ପନସର ମଧ୍ୟ କରୁଛି । ଏଥିସହିତ ଓଡିଶା ହକି ଟିମ ସହ ପ୍ରତିନିଧିତ୍ବ କରିଥିବା କୋଚଙ୍କୁ ଏସିଆନ ଗେମରେ ପଦକ ହାସଲକାରୀଙ୍କୁ ମିଳୁଥିବା ପୁରସ୍କାର ରାଶିର 20 ପ୍ରତିଶତ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × two =