ନବୀନ@୭୨ : ଅପରାଜେୟ, ଅପ୍ରତିଦ୍ବନ୍ଦୀ, ଅକଳଙ୍କ

ନବୀନଙ୍କ ଆଭିମୁଖ୍ୟ ଲୋକଙ୍କ ପାଇଁ, ଲୋକଙ୍କ ସହ
ଭୁବନେଶ୍ୱର (): ଓଡ଼ିଶାର ଅପ୍ରତିନ୍ଦ୍ୱନ୍ଦ୍ୱୀ, ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୦ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ରଖିଛନ୍ତି । ବିରୋଧୀଙ୍କ କୌଣସି ରଣନୀତି ନବୀନଙ୍କ ଭାବମୂର୍ତ୍ତି ଓ ସ୍ୱଚ୍ଛତାକୁ ପ୍ରଭାବିତ କରିପାରିନାହିଁ । ଓଡ଼ିଶା ରାଜନୀତିର ଏହି ଲୋକପ୍ରିୟ ଜନନେତା ଆଜି ୭୨ ବର୍ଷ ବୟସରେ ପହଞ୍ôଚଛନ୍ତି । ତିତ୍ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିରେ ରାଜ୍ୟର ପାଖାପାଖି ୧୬ଟି ଜିଲ୍ଲାର ଲୋକେ ଭୋଗୁଥିବା ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ନବୀନ ନିଜ ଜନ୍ମଦିନ ଉତ୍ସବ ପାଳନ କରିନାହାଁନ୍ତି ।
ଗତକାଲିଠାରୁ ସେ ଏହି ଘୋଷଣା କରିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଥିଲେ । ନବୀନଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଶୁଭେଚ୍ଛୁମାନେ ନବୀନ ନିବାସ ଯାଇନଥିଲେ ସତ; କିନ୍ତୁ ସୋସିଆଲ୍ ମିଡ଼ିଆରେ ଆଜି ନବୀନଙ୍କ ଜନ୍ମଦିନର ଶୁଭେଚ୍ଛା ଛାଇଯାଇଛି । ୧୯୯୭ ମସିହାରେ ବିଜେଡି ଗଠନ ହେବା ସମୟରେ ନବୀନଙ୍କର  ଯେଉଁଭଳି ଭାବରେ ସାଧାରଣ ଜୀବନଯାପନ ଶୈଳୀ ଥିଲା ଆଜି ବି ସେଇଆ । ଧଳା କୂର୍ତ୍ତା ପାଇଜାମା ଓ ହାୱାଇ କିମ୍ବା କୋହ୍ଲାପୁରୀ ଚପଲ । ଏହାହିଁ ନବୀନଙ୍କ ଭାବମୂର୍ତ୍ତିର ସବୁଠାରୁ ବଡ଼ ପରିଚୟ । ଘର ହେଉ କିମ୍ବା ଅଫିସ୍ ସବୁଠି ସେହି ଗୋଟିଏ ପ୍ରକାରର ପରିଧାନ ଏବଂ ଆସବାବପତ୍ର ବି ସାଧାରଣ ବ୍ୟକ୍ତିଙ୍କ ଭଳି ।
୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଆବର୍ତ୍ତମାନରେ ଓଡ଼ିଶା ରାଜନୀତିରେ ପାଦ ଥାପିଥିବା ନବୀନ ଯେ ଦିନେ ରାଜ୍ୟ ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବେ ଏବଂ କେନ୍ଦ୍ରୀୟ ରାଜନୀତିରେ ସମାନ ଭାବେ ନିଜର ଦବଦବା ରଖିବେ ଏକଥାକୁ ସେ ସମୟର ଚର୍ଚ୍ଚିତ ଓ ଅନୁଭବୀ ନେତାମାନେ କେବେ ବି ଚିନ୍ତାକରିନଥିଲେ । ବରଂ ନବୀନ ବିଜେଡିର ମଙ୍ଗ ଧରିବା ସମୟରେ କୁହାଯାଉଥିଲା ଯେ, ସେ ଖୁବ କମ୍ ଦିନରେ ଓଡିଶା ଛାଡି ଚାଲିଯିବେ । କିନ୍ତୁ ୧୯୪୬ରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ଓଡ଼ିଶାବାସୀଙ୍କ ହୃଦୟରେ ଏମିତି ବାନ୍ଧି ହୋଇଯିବେ ଏକଥା କେହି ଅନୁମାନ କରିନଥିଲେ ।
ସ୍ୱଚ୍ଛ ଏବଂ ଦୃଢ ପ୍ରଶାସନର ନାରା ଦେଇ ୨୦୦୦ ମସିହାରେ ଓଡ଼ିଶାର ଶାସନ ଭାର ଗ୍ରହଣ କରିଥିବା ନବୀନ ୧୯୯୮ ଓ ୧୯୯୯ରେ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହେବା ସହ ତକ୍ରାଳୀନ ଏନ୍ଡିଏ ସରକାରରେ କେନ୍ଦ୍ର ଖଣି ଓ ଇସ୍ପାତ୍ ମନ୍ତ୍ରୀ ମଧ୍ୟ ହୋଇଥିଲେ । ୨୦୦୦ ମସିହାରେ ସାଧାରଣ ନିର୍ବାଚନରେ ପାଦ ଥାପିବା ପରେ ଆଉ ନବୀନ ପଛକୁ ଫେରି ନାହାଁନ୍ତି । କ୍ରମାଗତ ଭାବେ ଚାରି ଚାରିଟି ସାଧାରଣ ନିର୍ବାଚନ, ୪ଟି ପଞ୍ଚାୟତ ନିର୍ବାଚନ ଓ ୩ଟି ପୌର ନିର୍ବାଚନକୁ ଏକପାଖିଆ ଭାବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଦଖଲ କରିଛି ।
ପ୍ରତି ନିର୍ବାଚନରେ ବିଜେଡିର ଭୋଟ ହାର୍ ବଢିଛି ସିନା ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ କମିନାହିଁ ।  ରାଜ୍ୟ ଶାସନର ଏହି ୧୯ ବର୍ଷର ଲମ୍ବା ସମୟ ମଧ୍ୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ଉପରେ କଳାଦାଗ ଲଗାଇବାକୁ ଭରପୂର ଚେଷ୍ଟା କରିଛନ୍ତି । କିନ୍ତୁ ସେମାନେ ନା ବିଜେଡି ନା ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ଉପରେ କାଳିମା ବୋଳିବାରେ ସକ୍ଷମ ହୋଇନାହାଁନ୍ତି । ଏପରିକି ବିରୋଧୀଙ୍କ କୌଣସି ଗୋଟିଏ ହେଲେ ଆକ୍ଷେପ ଭୋଟରଙ୍କ ଆସ୍ଥା, ବିଶ୍ୱାସ ଓ ଭରସାକୁ ଦୋହଲାଇ ପାରିନାହିଁ । ବିରୋଧୀ ଯେତିକି ଅପପ୍ରଚାର କରୁଛନ୍ତି ନବୀନ ସେତିକି ସଫଳତାର ସିଡ଼ି ଚଢୁଛନ୍ତି । ୧୯୯୮ ମସିହାରେ ହୋଇଥିବା ବିଜେପି ସହ ମେଣ୍ଟକୁ ଭାଙ୍ଗି ୨୦୦୯ରେ ନବୀନ ଏକାକୀ ମଇଦାନକୁ ଓହ୍ଲାଇଥିଲେ । ସେ ସମୟରେ ରାଜନୈତିକ ପଣ୍ଡିତଙ୍କ ସବୁ ଗଣିତକୁ ଭୁଲ୍ ପ୍ରମାଣିତ କରି ନବୀନ ୧୦୩ ବିଧାନସଭା ଆସନ ଦଖଲ କଲେ । ବରଂ ବିଜେପି ବିଜେଡିର ହାତ ଛାଡିବା ପରେ ବିଧାନସଭାରେ ୬ ଓ ଲୋକସଭାରେ ଖାତା ଖୋଲିପାରିନଥିଲା । ୨୦୧୪ରେ ପୁଣି ଥରେ ସବୁ ବିଷାରଦଙ୍କ ଆକଳନକୁ ପଛରେ ପକାଇ ୧୧୭ ଆସନ ଦଖଲ କଲା ବିଜେଡି ।
ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତ ନବୀନଙ୍କ ମତରେ କ୍ଷମତା ଓ ପଦପଦବୀ ସାଧାରଣ ଲୋକଙ୍କ ସେବାପାଇଁ । ଏହା ଲୋକଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ ପାଇଁ । ଲୋକଙ୍କୁ ଭଲ ପାଇଲେ ଆପଣଙ୍କୁ ନିର୍ବାଚନ ଲଢ଼ିବାର ଆବଶ୍ୟକତା ନାହିଁ । ନବୀନଙ୍କ ଏହି ଲୋକାଭିମୁଖୀ ଆଭିମୁଖ୍ୟ ଯୋଗୁ ରାଜ୍ୟ ବହୁ ଜଟିଳ ସମସ୍ୟାର ସମାଧାନ କରିଥିବା ବେଳେ ତୃଣମୂଳ ସ୍ତରର ଲୋକେ ଏବେ ଏକ ସ୍ୱାଭିମାନର ଜୀବନଯାପନ କରୁଛନ୍ତି । ଏକ ସମୟରେ ଓଡିଶା ବିଶ୍ୱରେ ଅନାହାର, ଦାରିଦ୍ର୍ୟ ଓ ଭୋକ ପାଇଁ ଜଣାଯାଉଥିଲା । ଏବେ କିନ୍ତୁ ଓଡିଶା ଦେଶରେ ଦ୍ରୁତ ଓ ବିକାଶଶୀଳ ରାଜ୍ୟର ମାନ୍ୟତା ପାଇଛି । ନବୀନଙ୍କ ଥ୍ରୀ-ଟି ଫର୍ମୁଲା ଏବଂ ଏକାଧିକ ଜନକଲ୍ୟାଣକାରୀ ଯୋଜନା ସରକାରଙ୍କୁ ଲୋକଙ୍କ ହୃଦୟ ଜିତିଛି ।
ନବୀନଙ୍କ ଏହି ୭୨ତମ ଜନ୍ମଦିନରେ ଆଜି କିଛି ଜ୍ୟୋତିର୍ବିଦ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପୁଣି ଆକଳନ କରିଛନ୍ତି । ଜ୍ୟୋତିର୍ବିଦଙ୍କ ଆକଳନ କହୁଛି ୨୦୧୯ରେ ନବୀନ ପୁଣି ଥରେ ଶାସନ ଗାଦି ଦଖଲ କରିବେ । ୨୦୧୯ ଜାନୁଆରୀ ମାସରେ ରାଜ୍ୟ ରାଜନୀତିର କିଛି ଚର୍ଚ୍ଚିତ ଓ ବରିଷ୍ଠ ନେତା ବିରୋଧୀଙ୍କ ଶିବିର ଛାଡି ନବୀନଙ୍କ ଶିବିରରେ ଯୋଗଦେବେ ।
Share

Leave a Reply

Your email address will not be published. Required fields are marked *

nineteen + 13 =