ମହିଳାଙ୍କୁ ରାଜନୈତିକ କ୍ଷମତା ପାଇଁ ନବୀନଙ୍କ ଲଢେଇ

22ଟି ଦଳର ସମର୍ଥନ ପାଇଁ ଯିବେ ବିଜେଡି ପ୍ରତିନିଧି

ଭୁବନେଶ୍ବର () ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲକୁ ସଂସଦରେ ଆଗତ କରି ଅନୁମୋଦନ କରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏଦିଗରେ ଆଉ ପାଦେ ଆଗେଇଛନ୍ତି । ମହିଳାଙ୍କୁ ରାଜନୀତିରେ କ୍ଷମତାଶାଳୀ କରିବା ପାଇଁ ନବୀନ ପଟ୍ଟନାୟକ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେଥିରେ ଆଗାମୀ ଦିନରେ ବିଜେଡିର ପ୍ରତିନିଧି 22ଟି ରାଜନୈତିକ ଦଳକୁ ଭେଟି ସମର୍ଥନ ଲୋଡିବେ । ମହିଳାଙ୍କୁ ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ସବୁ ଦଳର ମୁଖ୍ୟମାନଙ୍କ ଉପରେ ନୈତିକ ଚାପ ସୃଷ୍ଟି କରିବେ ।

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବୀନ । ମହିଳା ବିଲ୍ ପାସ ପାଇଁ ସମର୍ଥନ ଉଦ୍ୟମ ଆରମ୍ଭ କରିଛନ୍ତି । ଏନେଇ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ବିଜେଡିର ବିଧାୟକ, ସାଂସଦ ଓ ମନ୍ତ୍ରୀ ରହିଛନ୍ତି । ଏମାନେ ଦଳର ପ୍ରତିନିଧି ଭାବେ 7ଟି ଜାତୀୟ ଓ 15ଟି ଆଂଚଳିକ ଏମିତି ୨୨ଟି ରାଜନୈତିକ ଦଳକୁ ଭେଟି ମହିଳା ବିଲ୍ ପାସ୍ କରିବା ପାଇଁ ସମର୍ଥନ ଲୋଡିବେ ।

ମହିଳା ବିଲ୍ ପାସ ପାଇଁ ସମର୍ଥନ କରିବାକୁ ଦେଶର ୭ଟି ଜାତୀୟ ଓ 15ଟି ଆଂଚଳିକ ଦଳକୁ ବିଜେଡିର କେଉଁ ନେତା ଭେଟିବେ ସେନେଇ ଏକ ତାଲିକା ମଧ୍ୟ ପ୍ରକାଶ ହୋଇଛି। କେନ୍ଦ୍ରରେ ସରକାରରେ ଥିବା ବିଜେପିର ସମର୍ଥନ ପାଇଁ ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ଗଠନ କରିଛି ବିଜେଡି । ବିଜେପି ନେତୃବୃନ୍ଦଙ୍କୁ ଭେଟିବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ସରୋଜିନୀ ହେମ୍ବ୍ରମ ଓ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ। ସେହିଭଳି କଂଗ୍ରେସ ନେତୃତ୍ବଙ୍କୁ ସାଂସଦ ତଥାଗତ ଶତପଥୀ, ସାଂସଦ ପିନାକୀ ମିଶ୍ର , ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ରହିଛନ୍ତି । ତୃଣମୂଳ କଂଗ୍ରେସ ଦଳକୁ ଭେଟିବେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ଅନନ୍ତ ଦାସ ଓ ଅରବିନ୍ଦ ଢାଲି ରହିଛନ୍ତି। ବିଏସପି ନେତାଙ୍କୁ ଭେଟିବେ ମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ସାଂସଦ ଏୟୁ ସିଂହଦେଓ ଓ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଦେଓ । ସିପିଆଇ ଓ ସିପିଏମ ନେତାଙ୍କୁ ଭେଟିବେ ସାଂସଦ କୁଳମଣୀ ସାମଲ, କଳିକେଶ ସିଂହଦେଓ ଓ ରୀତା ତରାଇ । ଏନସିପି ନେତାଙ୍କୁ ଭେଟିବେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ପୂର୍ବତନ ମୁମ୍ବାଇ ପୋଲିସ ମହାନିର୍ଦ୍ଦେଶକ ଅରୁପ ପଟ୍ଟନାୟକ ଏବଂ ସକୁନ୍ତଳା ଲାଗୁରୀ ।

୧୫ଟି ଆଞ୍ଚଳିକ ଦଳ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରତିନିଧି ମଣ୍ଡଳୀ ଗଠନ ହୋଇଛି। ତେଲୁଗୁ ଦେଶମ ପାର୍ଟି ଓ ଟିଆରଏସ ନେତାଙ୍କୁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସାଂସଦ ଏନ୍. ଭାସ୍କର ରାଓ ଭେଟି ସମର୍ଥନ ପାଇଁ ଆଲୋଚନା କରିବେ । ଶିବସେନାର ସମର୍ଥନ ପାଇଁ ଅରୂପ ପଟ୍ଟନାୟକ ଓ ବଳଭଦ୍ର ମାଝୀ ଉଦ୍ଧବ ଠାକରେଙ୍କୁ ଭେଟିବେ । ଆପକୁ ଭେଟିବେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ଅନୁଭବ ମହାନ୍ତି ଓ ପ୍ରଭାସ ସିଂହ । ଏଆଇଏଡିଏମକେ ଓ ଡିଏମକେ ନେତୃତ୍ବକୁ ଭେଟିବେ ଦେବୀ ପ୍ରସାଦ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର । ଜେଡି (ଏସ) ଓ ଜେଡି (ୟୁ)କୁ ଭେଟିବେ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ଓ ରବିନ୍ଦ୍ର କୁମାର ଜେନା । ଜେଏମଏମକୁ ଭେଟିବେ ଅନୁଭବ ମହାନ୍ତି, ଝିନ୍ନ ହିକକା ଓ ବିମ୍ବାଧର କୁଅଁର । ଆରଜେଡିକୁ ଭେଟିବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ବ୍ରମ । ସମାଜବାଦୀ ପାର୍ଟିକୁ ସାଂସଦ ଭର୍ତ୍ତୃହରୀ ମହତାପ ଓ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ।

ଓଡ଼ିଶା ବିଧାନସଭାରେ ଏ ନେଇ ସର୍ବସମ୍ମତିରେ ସଂକଳ୍ପ ପାରିତ ହୋଇଛି । ସଶକ୍ତ ମହିଳା, ସଶକ୍ତ ଦେଶ କହିବା ସହ ସବୋର୍ଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥାରେ ମହିଳାଙ୍କ ଭୂମିକା ରହିଲେ ଦେଶର ପ୍ରଗତି ତ୍ବରାନ୍ବିତ ହୋଇପାରିବ ବୋଲି କହିଛନ୍ତି ନବୀନ । ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ ମହିଳାଙ୍କ ହାତରେ କ୍ଷମତା ଦେବା ପାଇଁ ୧୯୯୦ ଦଶକରେ ପଂଚାୟତ ଓ ପୌର ପାଳିକାରେ ଏକ-ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ବିଜୁ ପଟ୍ଟନାୟକ । ୨୦୧୧ରେ ଓଡ଼ିଶା ସରକାର ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

11 − 2 =