ରାଜଧାନୀରେ ବୁଲନି, ଗାଁ ସହ ଯୋଡି ହୁଅ

ଭୁବନେଶ୍ବର () ଆଗକୁ ନିର୍ବାଚନ, ଭୁବନେଶ୍ବରରେ ବୁଲନି, ଗାଁକୁ ଯାଅ ଲୋକଙ୍କ ସହ ଯୋଡି ହୁଅ ଏବଂ ବୁଥ କମିଟି ଗଠନ ପ୍ରକ୍ରିୟା ଶୀଘ୍ର ଶେଷ କର । ଏବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ ନେତା, ବିଧାୟକ ଓ ଟିକେଟ ଆଶାୟୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ମୁଖ୍ୟତଃ ସେହି ବିଧାୟକଙ୍କ ପାଇଁ ଯେଉଁମାନେ ନିଜ ନିର୍ବାଚନମଣ୍ଡଳୀରେ ନରହି ଭୁବନେଶ୍ବରରେ ଟିକେଟ ପାଇଁ ଲବି କରୁଛନ୍ତି ।

ଆଉ ମାତ୍ର ମାସ କେଇଟା ପରେ ସାଧାରଣ ନିର୍ବାଚନ । ବିଜେଡି ପାଇଁ ଏହି ନିର୍ବାଚନ ସମ୍ମାନର କଥା ହୋଇଛି । ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ ଦୈନିକ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଆଣି ରାଜରାସ୍ତାରେ ତୁମ୍ଭିତୋଫାନ କରୁଥିବା ବେଳେ ନବୀନ ପଟ୍ଟନାୟକ 5ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି । ରାଜ୍ୟବାସୀଙ୍କ ଆସ୍ଥା, ଭରସା ଓ ଭଲ ପାଇବାକୁ ପାଥେୟ କରି ବିଜେଡି ନିର୍ବାଚନ ମୈଦାନକୁ ଓହ୍ଲାଇବ ।

ରାଜ୍ୟ ବିଜେଡିର ଯୁକ୍ତି ହେଉଛି, ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବହେଳା ଓ ଅସହଯୋଗ ସତ୍ତ୍ବେ ସରକାର ଏକାଧିକ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଛନ୍ତି ସରକାର । ମମତା ଯୋଜନା ଠାରୁ ଆରମ୍ଭ କରି ଗୋପବନ୍ଧୁ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ଗାଁ ଆମ ବିକାଶ, କାଳିଆ, ମହିଳା ଚାଷୀଙ୍କ ପାଇଁ ମାଗଣା ସ୍ମାର୍ଟ ଫୋନ, ଜାଗା ମିଶନ, ସଙ୍କଳ୍ପ, ମୁଖ୍ୟମନ୍ତ୍ରୀ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା, ଖୁସୀ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା, ଆଦିବାସୀ ଉପଦେଷ୍ଟା ପରିଷଦ, ପିଠା ଏବଂ ସର୍ବୋପରି କାଳିଆ ଯୋଜନା ।

ଏହିସବୁ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚାଇବା ପାଇଁ ବିଜେଡି ବିଧାୟକ ଓ ନେତାମାନଙ୍କୁ ମାଧ୍ୟମ ପାଲଟିବାକୁ ପରାମର୍ଶ ଦିଆଯାଇଛି । ବିରୋଧୀଙ୍କ ଧୂଆଁବାଣରେ ପ୍ରଭାବିତ ନହୋଇ ଭୋଟରମାନେ ସରକାରଙ୍କ ଯୋଜନାର ସୁଫଳ କିଭଳି ନେଇପାରିବେ ତାର ବ୍ୟବସ୍ଥା ମଧ୍ୟ ବିଧାୟକମାନେ ସହଯୋଗ କରିବେ । ବିଜେଡି ସୁପ୍ରିମୋଙ୍କ ଏହି ତାଗିଦ ପରେ ବିଧାୟକ ଓ ନେତାମାନେ ଏବେ ଗାଁ ମୁହାଁ ହେଲେଣି ।

Share

Leave a Reply

Your email address will not be published. Required fields are marked *

one × 3 =