ବିଜେପିକୁ ଡବଲ ଇଞ୍ଜିନର ପାଠ ପଢାଇଲେ ନବୀନ

ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଂଜିନ

ଭୁବନେଶ୍ବର () ରାଜନୀତିରେ ମହିଳାଙ୍କ ଭୂମୀକା ଏବଂ ଆବଶ୍ୟକତାକୁ ଦର୍ଶାଇବାକୁ ଯାଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିରୋଧୀ ଦଳ ବିଶେଷ କରି ବିଜେପିକୁ ଡବଲ ଇଂଜିନର ପାଠ ପଢାଇଛନ୍ତି । ନ୍ୟୁଜିଲାଣ୍ଡରେ ସଂଗଠିତ ଗଣହତ୍ୟାର ଉଦାହାରଣ ଦେଇ ସେ ଦର୍ଶାଇ ଦେଇଥିଲେ ଯେ, ମହିଳାମାନେ ହିଁ ରାଜନୀତିରେ ମାନବୀୟ ସ୍ପର୍ଶ ଦେଇପାରିବେ । ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥାରେ ଅଧିକରୁ ଅଧିକ ସଂଖ୍ୟାରେ ମହିଳାଙ୍କ ଯୋଗଦାନ ବିକାଶର ଧାରାକୁ ନୂଆ ଦିଗନ୍ତ ଦେଇପାରିବ ବୋଲି ସେ କହିଛନ୍ତି ।

ସେ କହିଥିଲେ ଯେ, ନିକଟରେ ନ୍ୟୁଜିଲାଣ୍ଡରେ ଶୁକ୍ରବାର ପ୍ରାର୍ଥନା ସଭାରେ ସଂଗଠିତ ଗଣହତ୍ୟାରେ ବହୁସଂଖ୍ୟାରେ ଶରଣାର୍ଥୀ ନିହତ ହୋଇଥିଲେ । ଏହି ଘାତକ ଆକ୍ରମଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଜିସିଣ୍ଡା ଆଡେନଙ୍କ ପ୍ରତିକ୍ରିୟା ତାଙ୍କୁ ବିଶ୍ବବ୍ୟାପି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଥିଲା ।

ଏହି ଘଟଣାରେ ତାଙ୍କର ପ୍ରିତିକ୍ରିୟା ସାଧାରଣ ନେତାଙ୍କ ଭଳି ନଥିଲା । ସେ ସଂଖ୍ୟା ଗରିଷ୍ଠଙ୍କ ସପକ୍ଷରେ ଯୁକ୍ତି କରି ଘଣାକୁ ହାଲୁକା କରିନଥିଲେ । ତାଙ୍କର ପ୍ରତିକ୍ରିୟା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ଶରଣାର୍ଥୀମାନଙ୍କୁ ସମର୍ଥନ କରି ସେ କହିଥିଲେ, ନ୍ୟୁଜିଲାଣ୍ଡ ସେମାନଙ୍କର ଘର । ସେମାନେ ଆମ ଭଳି । ଏଭଳି ଦୁଃଖଦ ଘଟଣା ଘଟାଇଥିବା ଅପରାଧୀଙ୍କୁ ଆତଙ୍କବାଦୀ ଭାବରେ ବର୍ଣ୍ଣନା କରି ସେ ନେତୃତ୍ବର ଏକ ନୂଆ ପରିଭାଷା ସୃଷ୍ଟି କରିଥିଲେ । ତାଙ୍କର ପ୍ରତିକ୍ରିୟା ଧର୍ମ, ଜାତି ଆଦିର ସଂକୀର୍ଣ୍ଣ ପ୍ରାଚୀରକୁ ଅତିକ୍ରମ କରି ମାନବିକତାକୁ ସମର୍ଥନ କରିଥିଲା ।

ଜର୍ମାନର ଚ୍ୟାନସେଲର ଆଞ୍ଜେଲା ମାର୍କେଲ ବୋଧହୁଏ ବିଶ୍ବର ଏକମାତ୍ର ନେତ୍ରୀ ଯିଏକି ଜାତୀୟତାର ସୀମା ସରହଦକୁ ଖାତିର ନକରି ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଶରଣାର୍ଥୀମାନଙ୍କୁ ସ୍ବାଗତ କରିଥିଲେ ଏବଂ ମାନବ ଜାତି ପ୍ରତି ତାଙ୍କର ଅନୁକମ୍ପା ପ୍ରଦର୍ଶନ କରିଥିଲେ ।

ଏହି ନେତାମାନେ କ୍ଷମତାର ନୂଆ ପରିଭାଷା ସୃଷ୍ଟି କରିଛନ୍ତି । ସେମାନଙ୍କ ନେତୃତ୍ବ ଥିଲା ଦୃଢ … ତାହା ଥିଲା ଶାନ୍ତ ଓ ସମ୍ବେଦନଶୀଳ ବୋଲି ସେ କହିଥିଲେ ।

ମହିଳାମାନେ ରାଜନୀତିରେ କି ପ୍ରକାର ପରିବର୍ତ୍ତନ ଆଣିପାରିବେ, ଏହି ନେତାମାନେ ହେଉଛନ୍ତି ତରା ପ୍ରକୃଷ୍ଟ ଉଦାହାରଣ । ଯଦି ରାଜନୀତି ହେଉଛି କ୍ଷମତା, ତେବେ ଏହାର ପରିପ୍ରକାଶରେ ମହିଳାମାନେ ଅଧିକ ମାନବୀୟ ସ୍ବର୍ଶ ଦେଇପାରିବେ । ଯଦି ରାଜନୀତି ଗୋଟିଏ ଦେଶର ମୂଲ୍ୟବୋଧକୁ ନିର୍ଦ୍ଧାରଣ କରିପାରେ, ତେବେ ଲୋକସଂଖ୍ୟାର ଅର୍ଦ୍ଧେକଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ପାଇଁ ସୁଯୋଗ ନଦେବା କଣ ବିଜ୍ଞତାର ପରିଚୟ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜୁ ବାବୁ ମହିଳା ସଶକ୍ତିକରଣର ଜଣେ ଅଗ୍ରଗଣ୍ୟ ସାରଥୀ ଥିଲେ । ମହିଳାମାନଙ୍କ ପାଇଁ ପଂଚାୟତିରାଜ ଅନୁଷ୍ଠାନ ମାନଙ୍କରେ 3 ପ୍ରତିଶତ ସଂରକ୍ଷଣ ଆରମ୍ଭ କରିଥିଲେ । ଆମେ ତାକୁ 50 ପ୍ରତିଶତକୁ ବୃଦ୍ଧି କରିଛୁ । ଆରମ୍ଭରୁ ଏହାକୁ ବହୁତ ସମାଲୋଚନା କରାଯାଇଥିଲା । ଲୋକେ କହୁଥିଲେ ସ୍ବାମୀ ଏବଂ ବାପାମାନେ ହିଁ ବାସ୍ତବରେ ସବୁ କଥା ବୁଝାବୁଝି କରିବେ । ବୋଧହୁଏ ପ୍ରଥମରୁ ଏହା କିଛି ମାତ୍ରରେ ଠିକ ଥିଲା । ଆଜି ଷାଠିଏ ହଜାର ମହିଳା ଓଡିଶାରେ ସରପଂଚ, ୱାର୍ଡ ମେମ୍ବର, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ସଭାପତି ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ଆଜି ଓଡିଶାର ଶିଶୁ ମୃତ୍ୟୁାର, ମାତୃ ମୃତ୍ୟୁହାର ହ୍ରାସର ଆଦି ବିଭିନ୍ନ ସମାଜିକ, ଅର୍ଥନୈତିକ ସୂଚକାଙ୍କରେ ଯେଉଁ ପରିବର୍ତ୍ତନ ଆସିଛି, ତାର ସମସ୍ତ ଶ୍ରେୟ ହେଉଛି ତୃଣମୂଳ ସ୍ତରରେ କାମ କରୁଥିବା ଆମର ମହିଳା ନେତାମାନଙ୍କର । ଏହାର ଶ୍ରେୟ ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଥିବା 70 ଲକ୍ଷ ମା ମାନଙ୍କର ।

ଯେଉଁ ଦେଶ ତାର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ଫୋରମରେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ପାଇଁ ସୁଯୋଗ ସୃଷ୍ଟି କରେ ନାହିଂ, ତାହା ସିଙ୍ଗିଲ ଇଂଜିନରେ ଚାଲିବା ପରି ହୋଇଥାଏ । ଠିକ ଭାବେ ବିକାଶ ହୋଇନଥାଏ ।

ମୋ ମତରେ ଭାରତକୁ ଯଦି ବିକାର ଶିଖରରେ ପହଞ୍ଚିବାର ଅଛି, ଆମେରିକା, ଚାଇନା ପରି ଦେଶ ସହିତ ପ୍ରତିଦ୍ବନ୍ଦ୍ବିତା କରିବାର ଅଛି, ତାହେଲେ ତାକୁ ତାର ରାଜନୈତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ । ମହିଳାମାନଙ୍କୁ ସଶକ୍ତ କରିବାକୁ ହେବ । ଏହା ହିଁ ହେଉଛି ଆମ ଦେଶ ଆବଶ୍ୟକ କରୁଥିବା ପ୍ରକୃତ ଡବଲ ଇଂଜିନ, ଏହାଦ୍ବାରା ହିଁ ବିକାଶ ଓ ସମତା ଆସିପାରିବ ବୋଲି ସେ କହିଛନ୍ତି ।

ଯଦି ଆମେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ ଦେଇଥାନ୍ତେ, ତାହେଲେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆମର ଦୃଷ୍ଟିଭଙ୍ଗୀ ଆଜି ଭିନ୍ନ ହୋଇଥାନ୍ତା । ଯୁଦ୍ଧ, ଶାନ୍ତି ଓ ଆତଙ୍କବାଦ ଆଦି ପ୍ରଶ୍ନ ଭିନ୍ନ ଭାବରେ ସମାହିତ ହୋଇଥାନ୍ତା । ଧର୍ଷଣ, ଯୌନ ନିର୍ଯାତନା ଓ ଯୌତୁକ ସଂପର୍କିତ ଆମର ଆଇନ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ ହୋଇପାରିବ । ଶିକ୍ଷା, ସ୍ବାସ୍ଥ୍ୟ ଅଧିକ ଗୁରୁତ୍ବ ପାଇପାରିବ । କର୍ପୋରେଟ ଆୟ ପରି ପରିବାରର ଆୟ ବୃଦ୍ଧି ମଧ୍ୟ ଉପଯୁକ୍ତ ପ୍ରାଥମିକତା ପାଇପାରିବ ।

ଆମ ଦଳ ସାରା ଦେଶରେ ପ୍ରଥମ ରାଜନୈତିକ ଦଳ ଯିଏକି ପ୍ରଥମ କରି 33 ପ୍ରତିଶତ ମହିଳାଙ୍କୁ ଲୋକସଭାକୁ ପଠାଇବା ପାିଁ ନିଷ୍ପତ୍ତି କରିଛି । ବିଜୁ ଜନତା ଦଳର ସଭାପତି ଭାବେ ଏହା ଥିଲା ମୋ ପାଇଁ ସବୁଠାରୁ ଆନନ୍ଦଦାୟକ ମୂହୁର୍ତ୍ତ ।

ଆମର ଉଭୟ ଜାତୀୟ ଦଳ ବାରମ୍ବାର ସେମାନଙ୍କ ଇସ୍ତାହାରେ ମହିଳା ସଶକ୍ତିକରଣ ବିଷୟ କହି ଆସୁଛନ୍ତି । କନ୍ତୁ ଯେତେବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ଆସୁଛି, ସେତେବେଳେ ସେମାନଙ୍କ ଉଦ୍ଦ୍ୟେଶମୂଳକ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେମାନଙ୍କର ଏହି ନୀରବତାକୁ ଭଙ୍ଗ କରିବାକୁ ବିଜୁ ଜନତା ଦଳ ତାର ଭୂମୀକା ତୁଲାଇଛି । ମୁଁ ନିଶ୍ଚିତ ଯେ, ଆମର 7ଜଣ ମହିଳା ପ୍ରାର୍ଥୀଙକ ସ୍ବର ଲୋକସଭାର ପବିତ୍ର ଗୃହରେ ପ୍ରତିଧ୍ବନିତ କରିବା ପାଇଁ ଓଡିଶାବାସୀ ସୁଯୋଗ ଦେବେ । ମୁଁ ଆଶାବାଦୀ ଯେ, ଓଡିଶାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଜାତୀୟ ଦଳମାନଙ୍କୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତ ।

Share

Leave a Reply

Your email address will not be published. Required fields are marked *

eighteen − 10 =