ନବୀନ ରାଜ୍ୟବାସୀଙ୍କ ପ୍ରଥମ ପସନ୍ଦ

ଇଣ୍ଡିଆ ଟୁଡେ ପରେ ପିପୁଲ୍ସ ପଲସ ସର୍ଭେ

ନବୀନଙ୍କ ସପକ୍ଷରେ 52% ଭୋଟର

ଭୁବନେଶ୍ୱର () ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ରହିଥିବା ବେଳେ ବିରୋଧୀଙ୍କ ଉପରେ ନବୀନ ପଟ୍ଟନାୟକ ଭାରି ପଡିଥିବା ଭଳି ଲାଗୁଛି। ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ ପରେ ଏବେ ହାଇଦ୍ରାବାଦର ଆଉ ଏକ ରାଜନୈତିକ ସର୍ଭେ ସଂସ୍ଥା ପିପୁଲ୍ସ ପଲସ ଦ୍ୱାରା ଆୟୋଜିତ ଏକ ସର୍ଭେ ରିପୋର୍ଟରେ ମଧ୍ୟ ନବୀନଙ୍କୁ ଭୋଟରଙ୍କ ପ୍ରଥମ ପସନ୍ଦ ବୋଲି କହିଛି। ରାଜ୍ୟର ୫୧.୭ ପ୍ରତିଶତ ଭୋଟର ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଥିବା ବେଳେ ୨୨.୮ ପ୍ରତିଶତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ୧୫.୩ ପ୍ରତିଶତ ଭୋଟର ନିରଂଜନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିଛନ୍ତି।
ସେହିଭଳି ୧୮ ବର୍ଷ ଧରି କ୍ରମାଗତ ଭାବେ ବିଜେଡି କ୍ଷମତାରେ ଥିବା ସତ୍ତ୍ୱେ ସରକାର ବିରୋଧୀ ହାୱା ବିଜେଡିକୁ ବିଶେଷ ଭାବେ ପ୍ରଭାବିତ ପ୍ରଭାବିତ କରିପାରିନି। ୪୧.୮ ପ୍ରତିଶତ ଭୋଟର ବିଜେଡିକୁ ପସନ୍ଦ କରୁଥିବା ବେଳେ ୨୩.୩ ପ୍ରତିଶତ ବିଜେପିକୁ ଏବଂ ୨୧.୯ ପ୍ରତିଶତ ଭୋଟର କଂଗ୍ରେସକୁ ପସନ୍ଦ କରୁଛନ୍ତି। ୨୦୧୪ ନିର୍ବାଚନ ପରଠାରୁ ବିଜେଡି ୧.୬ ପ୍ରତିଶତ ଭୋଟ ହରାଇଥିବା ସତ୍ତ୍ୱେ ବିରୋଧୀ ଜନମତକୁ ନିଜ ସପକ୍ଷରେ ଟାଣିପାରୁନାହାଁନ୍ତି। ବିଜେପି ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ନିଷ୍କ୍ରିୟତା ଯୋଗୁଁ ୫.୩ ପ୍ରତିଶତ ଭୋଟ ଅଧିକ ପାଇଥିଲା। କିନ୍ତୁ ଏହି ଭୋଟକୁ ବିଜେପି ଆସନ୍ତା ନିର୍ବାଚନ ଯାଏଁ ନିଜ ସପକ୍ଷରେ ରଖିପାରିନି।
ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରଦର୍ଶନକୁ ନେଇ ୬୧.୫ ପ୍ରତିଶତ ଲୋକ ଖୁସୀ ଥିବା ବେଳେ ୭.୭ ପ୍ରତିଶତ ନବୀନଙ୍କ ପ୍ରଦର୍ଶନକୁ ଚଳନୀୟ ବୋଲି କହିଛନ୍ତି। ତେବେ ୩୦.୮ ପ୍ରତିଶତ ଭୋଟର ନବୀନଙ୍କ ପ୍ରଦର୍ଶନକୁ ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି। ୪୩ ପ୍ରତିଶତ ଭୋଟର ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ଉତ୍ତମ ପ୍ରଶାସନକୁ ତାଙ୍କ ବିଜୟର ମୂଳ କାରଣ ବୋଲି କହିଛନ୍ତି। ୨୧.୬ ପ୍ରତିଶତ ଭୋଟର କେବଳ ନିର୍ମଳ ଭାବମୂର୍ତ୍ତି ହିଁ ନବୀନଙ୍କ ବିଜୟର କାରଣ ବୋଲି କହିଛନ୍ତି।
୧୪.୭ ପ୍ରତିଶତ ଭୋଟରଙ୍କ ମତରେ ରାଜ୍ୟ ରାଜନୀତିରେ ନବୀନଙ୍କ ବିକଳ୍ପ ନାହାଁନ୍ତି। ରାଜ୍ୟର ୨୨ଟି ବିଧାନସଭା କ୍ଷେତ୍ର ଅର୍ଥାତ ମୋଟ ନିର୍ବାଚନମଣ୍ଡଳୀର ୧୫ ପ୍ରତିଶତ ଅଞ୍ଚଳରେ ଏହି ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ନିରଂଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ନେବା ପରେ ଦଳ କିଛିଟା ଶକ୍ତିଶାଳୀ ହୋଇଛି। ୨୪ ପ୍ରତିଶତ ଭୋଟରଙ୍କ ମତରେ ନିରଂଜନଙ୍କ ନିଯୁକ୍ତି ପରେ ରାଜ୍ୟରେ କଂଗ୍ରେସ ପୂର୍ବ ଅପେକ୍ଷା କିଛିଟା କ୍ରିୟାଶିଳ ହୋଇଛି।
Share

Leave a Reply

Your email address will not be published. Required fields are marked *

16 − fifteen =