କେନ୍ଦ୍ରୀୟ ବଜେଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର () 2019-20 କେନ୍ଦ୍ରୀୟ ବଜେଟ କେନ୍ଦ୍ର ସରକାରଙ୍କ ମଧ୍ୟମରୁ ଦୀର୍ଘସୂତ୍ରୀ ଭିଜନକୁ ଦର୍ଶାଉଛି । ଏହା ଦେଶ ପାଇଁ ଏକ ଭଲ ପଦକ୍ଷେପ । କିନ୍ତୁ ଏହି ଭିଜନକୁ କାର୍ଯ୍ୟକାରୀ କରିବାକୁ ଆନୁପାତିକ ବ୍ୟୟ ବରାଦ କରାଯିବା ଉଚିତ ବୋଲି ବିଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏଥିସହିତ କେନ୍ଦ୍ର ସରକାର ଲାଗୁ କରିଥିବା ଟିକସ ଓ ଅତିରିକ୍ତ ଶୁଳ୍କକୁ ବିଭାଜ୍ୟ ପୁଲ ବର୍ହିଭୁତ ହୋଇଥିବାରୁ ଏହାଦ୍ବାରା ରାଜ୍ୟମାନଙ୍କ ମଧ୍ୟରେ ଆର୍ଥିକ ଆବଣ୍ଟନର ହାର ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସ୍ବାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ପାନୀୟ ଜଳ ଜୀବନଜୀବିକା ପ୍ରକଳ୍ପ, ମହିଳା ଓ ଶିଶୁ ବିକାଶ ଆଦି କ୍ଷେତ୍ର ପ୍ରତି ବଜେଟରେ ବ୍ୟୟବରଦା ବୃଦ୍ଧି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ବାଗତ କରିଛନ୍ତି । ତେବେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଯୁକ୍ତି ଯୋଜନା, ଅନୁସୂଚିତ ଜାତି ଜନଜାତୀ ଓ ଅନ୍ୟାନ ପଛୁଆ ବର୍ଗ ପାଇଁ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ବଜେଟରେ ଅପେକ୍ଷାକୃତ ଭାବେ କମ ବ୍ୟୟବରାଦ କରାଯିବା ଉଦବେଗଜନକ ବୋଲି ସେ କହିଛନ୍ତି ।

ସେହିଭଳି ରେଳବାଇରେ ଅଧିକ ବଜେଟ ବ୍ୟବସ୍ଥା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଏଥିରେ ଓଡିଶାର ବିଭିନ୍ନ ଅସମ୍ପୁର୍ଣ୍ଣ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଆବଶ୍ୟକ ବ୍ୟୟବରାଦ କରାଯାଇଥିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ତେବେ ଜାତୀୟ ରାଜପଥରେ କମ ବ୍ୟୟ ବରାଦ ଆନ୍ତଃ-ରାଜ୍ୟ ଯୋଗାଯୋଗକୁ ପ୍ରଭାବିତ କରିବ ବୋଲି ନବୀନ କହିଛନ୍ତି ।

ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଚାଷୀଙ୍କୁ କାଳିଆ ଯୋଜନା ଭଳି ଅଧିକ ସହାୟତା ମିଳିବ ବୋଲି ଆଶା କରୁଥିଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ପିଏମ-କିଶାନରେ ଭୂମିହୀନ କୃଷି ଶ୍ରମିକ ଓ ଭାଗଚାଷୀଙ୍କୁ ସାମିଲ କରାଯିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − 4 =