ବିତ୍ପତି ବେଳେ ଆସିଲେନି, ଭୋଟ ପାଇଁ ଆସିଗଲେ : ନବୀନ

ବ୍ରହ୍ମପୁର () ପ୍ରଥମ ଦିନର ନିର୍ବାଚନ ପ୍ରଚାରରେ କେନ୍ଦ୍ର ସରକାର ଓ ଘନଘନ ଓଡିଶା ଗସ୍ତରେ ଆସୁଥିବା ଦଳର କେନ୍ଦ୍ରୀୟ ନେତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶାଣିତ ଆକ୍ରମଣ କରିଛନ୍ତି । ପ୍ରଚଣ୍ଡ ଖରାରେ ତାଙ୍କ ପ୍ରଚାରରେ ଯୋଗ ଦେଇଥିବା ବିଜେଡି ସମର୍ଥକଙ୍କୁ ନବୀନ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ରାଜ୍ୟ ପ୍ରତି କେନ୍ଦ୍ରର ଆଭିମୁଖ୍ୟ ସଂପର୍କରେ କହିବାକୁ ଯାଇ କହିଥିଲେ ଯେ,

ଫାଇଲିନ ହେଲା … ଆସିଲେ ନାହିଁ  । ହୁଡ୍ ହୁଡ୍ ହେଲା … ଆସିଲେ ନାହିଁ । ତିତିଲି ହେଲା … ଆସିଲେ ନାହିଁ । ମରୁଡି ହେଲା … ଆସିଲେ ନାହିଁ । କିନ୍ତୁ ନିର୍ବାଚନ ହେଲା … ଭୋଟ ପାଇଁ ଆସିଗଲେ। ଏବେ ବିଜେପିର ବଡ ବଡ ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ତେଣୁ ଆପଣମାନେ ତାଙ୍କୁ ପଚାରନ୍ତୁ । କୁଆଡେ ଗଲା ସିତାପଲ୍ଲୀ ରେଲୱେ ୱାଗନ ଫ୍ୟାକ୍‌ଟ୍ରି? କୁଆଡେ ଗଲା ସ୍ବତନ୍ତ୍ର ରାଜ୍ୟ ମାନ୍ୟତାର ପ୍ରତିଶ୍ରୁତି ? କୁଆଡେ ଗଲା  ମହିଳା ସଂରକ୍ଷଣର ପ୍ରତିଶ୍ରୁତି ? କାହିଁକି ବୀମା ପାଇଁ ଚାଷୀ ହଇରାଣ ହେବେ ଆଉ ଇନସୁରାନ୍ସ କମ୍ପାନୀ ଲାଭବାନ ହେବ? କାହିଁକି ବନ୍ୟାରେ, ବାତ୍ୟାରେ ଓଡିଶାକୁ ସହଯୋଗ ମିଳୁ ନାହିଁ ? କାହିଁକି  ଅନୁସୂଚିତ ଜାତି ଜନଜାତି ପିଲାଙ୍କ ଶିକ୍ଷା ବୃତ୍ତି ବନ୍ଦ କଲେ  ? କୁଆଡେ ଗଲା ପ୍ରତି ବର୍ଷ ୨ କୋଟି ଚାକିରୀ ? ୫ ବର୍ଷରେ ୧୦ କୋଟି ଚାକିରୀ? ପ୍ରତି ତିନୋଟି ଘରୁ ଜଣେ ଚାକିରୀ ପାଇଥିବା କଥା, ହେଲାକି ?

ଗ୍ରାମବାସୀଙ୍କୁ ସମ୍ବୋଧିତ କରି ନବୀନ କହିଥିଲେ ଯେ, ଆପଣଙ୍କ ନିଜ ଗାଁରେ ଦେଖନ୍ତୁ । ନିର୍ବାଚନ ଆସିଲେ ଆସିବେ, ବଡ ବଡ କଥା କହିବେ। ତା ପରେ  ଦେଖା ମିଳିବ ନାହିଁ । ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ମୁଁ ସବୁବେଳେ ଆପଣଙ୍କ ପାଖରେ ଅଛି ଆଉ ରହିବି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର ଯୋଜନା ସବୁ ବର୍ଗ ପାଇଁ ଅଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେ । ଆଉ ୨୦ ଲକ୍ଷ ଚାଷୀଙ୍କର ଲିଷ୍ଟ ହୋଇଛି । ଦୁଃଖର କଥା, ଚାଷୀର ହକ୍‌କୁ କିଛି ବିରୋଧୀ ଦଳ ବିରୋଧ କରୁଛନ୍ତି । ଚାଷୀଭାଇମାନେ ତାଙ୍କୁ ନିର୍ବାଚନରେ ଉଚିତ ଜବାବ ଦେବେ। ଲିଷ୍ଟରେ ଥିବା ସବୁ ଯୋଗ୍ୟ ଚାଷୀ ଯୋଜନାର ଲାଭ ପାଇବେ। ଜଣେ ବି ଯୋଗ୍ୟ ଚାଷୀ ବଞ୍ଚିତ ହେବେ ନାହିଁ ।

Share

Leave a Reply

Your email address will not be published. Required fields are marked *

5 × 4 =