ଓଡିଶାବାସୀଙ୍କ ହୃଦୟରେ ନବୀନ …

ଭୁବନେଶ୍ବର () ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଅବତାରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଏଥର ସେ ଭୋଟ ରାଜନୀତିରୁ ଉର୍ଦ୍ଧ୍ବକୁ ଗଲେଣି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସୂଚାଇ ଦେଉଛି ସେ ଜଣେ ନେତା ଭାବେ ନୁହେଁ, ଜଣେ ବିକାଶ ପୂରୁଷ ଭାବେ ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ଏକ ନେତାଭାବେ ନୁହେଁ, ନିଜକୁ ସାଧାରଣ ଲୋକଙ୍କ ସେବକ ଭାବେ ପ୍ରତିପାଦିତ କରିଛନ୍ତି, ଆଉ ସାରା ଦେଶକୁ ରାଜନୀତିର ପ୍ରକୃତ ସଂଜ୍ଞା ବୁଝାଇଛନ୍ତି । ତାହା ହେଲା ‘ସେବା’ ।

କାଳିଆ ଯୋଜନା ହେଉ କି ସୁରଜ ସେଠୀଙ୍କ ନାଁରେ ବାର୍ଷିକ ପୁରସ୍କାର ଘୋଷଣା, ସବୁ କିଛି ସାଧାରଣ ଲୋକଙ୍କ ଉତ୍ସାହିତ କରିବା ପାଇଁ, ଲୋକଙ୍କ କଲ୍ୟାଣ ପାଇଁ । ଭାରତୀୟ ରାଜନୀତିରେ କୌଣସି ମୁଖ୍ୟମନ୍ତ୍ରୀ କେବେ ବି ଲୋକଙ୍କୁ ପ୍ରଶାସନରେ ସହଭାଗୀ କରିନଥିଲେ । ଏହା କେବଳ ଏକ ମନଲୋଭା ଭଷଣ ହୋଇ ରହିଥିଲା । ନବୀନ ପଟ୍ଟନାୟକ କିନ୍ତୁ ଏହାକୁ ବାସ୍ତବତାର ରୂପ ଦେଇଛନ୍ତି । ପ୍ରଥମ ଥର ପାଇଁ ବିଭିନ୍ନ ଯୋଜନାରେ ଲୋକଙ୍କ ମତାମତକୁ ଗ୍ରହଣ କରୁଛନ୍ତି । ଏଥିସହିତ ମନ୍ତ୍ରୀ, ସଚିବ, ବିଧାୟକ ସମସ୍ତଙ୍କୁ ତୃଣମୂଳ ସ୍ତରରେ ଯୋଜନାର କାର୍ଯ୍ୟକାରିତାର ତଦାରଖ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ବି ନିଜର ରିପୋର୍ଟ କାର୍ଡ ଦେଉଛନ୍ତି । ସେହି ଆଧାରରେ ସେମାନଙ୍କ ଦକ୍ଷତା ଓ ପାରଦର୍ଶୀତାର ଆକଳନ କରାଯିବ ।

5-ଟି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ମାନସ ପୁତ୍ର । ପ୍ରଶାସନକୁ ଅଧିକ ସ୍ବଚ୍ଛ, ଦକ୍ଷ, ଲୋକାଭିମୁଖୀ, ସମୟାନୁବର୍ତ୍ତୀ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା । ଏହି ଯୋଜନାର ଏକ ଅଂଶ ବିଶେଷ ଭାବେ ଆରମ୍ଭ ହୋଇଛି ମୋ ସରକାର । ପ୍ରାଥମିକ ସ୍ତରରେ ଏହା ଡାକ୍ତରଖାନା ଓ ପୋଲିସ ଥାନାରେ କାର୍ଯ୍ୟକାରୀ ହୋଇଛି । ସାଧାରଣ ଭାବେ ଏହି ଦୁଇଟି ସେବା ପ୍ରଦାନକାରୀ ସଂସ୍ଥା ଉପରେ ରାଜ୍ୟର ପ୍ରତ୍ୟେକଟି ନାଗରିକ ନିଜର ଦୈନନ୍ଦିନ ଜୀବନରେ ନିର୍ଭର କରିଥାଏ । ଆଉ ଏହି ଦୁଇଟି ସ୍ଥାନରେ ହିଁ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେଣୁ ଏହି ଦୁଇଟି ସେବା ପ୍ରଦାନକାରୀ ସଂସ୍ଥାକୁ ଆସୁଥିବା ଲୋକଙ୍କ ଅନୁଭୂତିକୁ ନେଇ ମୁଖ୍ୟମନ୍ତ୍ରୀ ଏଠାରେ ସେବାକୁ ଅଧିକ ସୁଗମ ଓ ସହଜ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଫୋନ କରି ସେମାନଙ୍କ ଅନୁଭୁତି ସମ୍ପର୍କରେ ପଚାରି ବୁଝୁଛନ୍ତି ।

କେବଳ ଏତିକି ନୁହେଁ, 2000 ମସିହାରେ ରାଜ୍ୟ ଶାସନର ଡୋରି ଧରିବା ସମୟରେ ମୁଖ୍ୟମନ୍ତ୍ରୀ ନିଜର ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ଏହି ପାଳିରେ ଅଧିକ କଠୋର କରିଛନ୍ତି । ଯେଉଁଥିପାଇଁ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ ନିଲମ୍ବନ କରାଯାଉଛି । ଏପରିକି କିଛି ଅଧିକାରୀଙ୍କ ପେନସନ ମଧ୍ୟ ବନ୍ଦ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ଅନୁକରଣ କରି କିଛି ମନ୍ତ୍ରୀ ବି ଚାଷୀ ଓ ଅନ୍ୟ ସାଧାରଣ ଲୋକଙ୍କ ନମ୍ବର ସଂଗ୍ରହ କରି ସେମାନଙ୍କୁ ଫୋନ କରି ସେମାନଙ୍କ ଅଂଚଳର ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି । ଏହାଦ୍ବାରା ଦୁର୍ନୀତିଖୋର, ଲାଞ୍ଚୁଆ ଓ ଠକ ଅଧିକାରୀମାନେ ଯେତିକି ଭୟଭିତ ହେଉଛନ୍ତି, ସାଧାରଣ ଲୋକେ ସେତିକି ସହଜରେ ସେବା ପାଉଛନ୍ତି । ଏହା ରାଜ୍ୟର ରୂପାନ୍ତରଣ ପ୍ରକ୍ରିୟାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଏହି ରୂପାନ୍ତରଣ ପ୍ରକ୍ରିୟାରେ ପୂରୀ ବି ସାମିଲ ହୋଇଛି । ବର୍ଷ ବର୍ଷ ଧରି କୌଣସି ସରକାର କେବେ ପୁରୀର ବିକାଶ ପାଇଁ ଚିନ୍ତା କରୁନଥିଲେ । ଯେଉଁ ଶ୍ରୀଜଗନ୍ନାଥଙ୍କ ପାଇଁ ଜଗନ୍ନାଥ କ୍ଷେତ୍ର ବିଶ୍ବ ପ୍ରସିଦ୍ଧ, ସେହି ଧର୍ମୀୟ ସ୍ଥଳୀର ବିକାଶ କଥା କେହି କେବେ ଚିନ୍ତା କରିନଥିଲେ । ନବୀନ ପଟ୍ଟନାୟକ କିନ୍ତୁ ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର କରିବା ପାଇଁ ଯେଉଁ ସଙ୍କଳ୍ପ ନେଇଛନ୍ତି, ତାର ଝଲକ ଏବେଠୁ ଦେଖିବାକୁ ମିଳିଲାଣି ।

କେବଳ ପ୍ରଶାସନିକ ଦକ୍ଷତା ବୃଦ୍ଧି ନୁହେଁ, ସୁରଜଙ୍କ ଭଳି ଯୁବକଙ୍କ ପରିବାରର ମହନିୟତା ପାଇଁ ସେମାନଙ୍କୁ ଉତ୍ସାହିତ କରି ନବୀନ ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ସୁରଜଙ୍କ ପରିବାରର ମାନବସେବା ସମ୍ପର୍କରେ ଗଣମାଧ୍ୟମ ହୁଏତ କିଛି ଦିନ ଖବର ପରିବେଷଣ କରି ଚୁପ ପଡିଯାଇଥାଆନ୍ତା । କିନ୍ତୁ ମୁଖ୍ୟମନ୍ତ୍ରୀ ସୁରଜଙ୍କୁ ସବୁଦିନ ପାଇଁ ରାଜ୍ୟବାସୀଙ୍କ ହୃଦୟରେ ଅମର କରି ରଖିଦେଲେ । ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଏବେ ଦୁଇ ଶିଶୁଙ୍କୁ ନୂଆ ଜୀବନ ଦେଇଛି । ଅସହାୟ ଲୋକଙ୍କୁ ସହଯୋଗ, ରାଜ୍ୟରେ କ୍ରୀଡାର ବିକାଶ, ଶିଳ୍ପର ଅଭିବୃଦ୍ଧି, ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି ପାଇଁ ନବୀନ ଗ୍ରହଣ କରିଥିବା ପଦକ୍ଷେପ ତାଙ୍କୁ ଗାଁଠୁ ସହର ଯାଏଁ ସବୁଠି ବିକାଶ ପୁରୁଷ ଭାବେ ପ୍ରତିଷ୍ଠିତ କରିଛି । କେବଳ ରାଜ୍ୟ ପ୍ରଶାସନକୁ ସେ ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରୁନାହାଁନ୍ତି, ଏକ ରାଜନୈତିକ ଦଳ ବିଜୁ ଜନତା ଦଳକୁ ମଧ୍ୟ ସେ ସେବାର ପ୍ରତିକ ଭାବେ ପ୍ରତିଷ୍ଠିତ କରିବାକୁ ଗଠନ କରିଛନ୍ତି ଏକ ସ୍ବେଚ୍ଛାସେବୀ ୱିଙ୍ଗ ।

Share

Leave a Reply

Your email address will not be published. Required fields are marked *

19 − one =